କନକ ବ୍ୟୁରୋ : କଳା ଓ ସଂସ୍କୃତିର ରାଜ୍ୟ। ଓଡ଼ିଶାରେ ବିଭିନ୍ନ ପ୍ରକାର ହସ୍ତକଳା ଓ ହସ୍ତତନ୍ତ ରହିଛି। ସେମିତି ଏକ କଳା ହେଇଛି ଧଳାପଥର ପରଦା କଳା। ଏହି କଳା ପାଇଁ ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଏହି ଗାଁ। କିନ୍ତୁ ପ୍ରଶାସନର ଆନ୍ତରିକତା ଆଉ ପ୍ରୋତ୍ସାହନ ଅଭାବରୁ ପରଦା କଳା ଏବେ ଲିଭିଲିଭି ଯାଉଛି।
ଖୋର୍ଦ୍ଧା ଜିଲ୍ଲାର ଧଳାପଥର ବୁଣାକାର ଗାଁ ଭାବେ ବେଶ ପରିଚିତ। ଗାଁର ୭୦ ଭାଗ ଲୋକ ବୁଣାବୁଣି କରି ଗୁଜୁରାଣ ମେଣ୍ଟାନ୍ତି। ରଙ୍ଗଣୀ ସମ୍ପ୍ରଦାୟର ଲୋକେ ବଂଶାନୁକ୍ରମିକ ଭାବେ ଲୁଗା ବୁଣୁଛନ୍ତି। ପ୍ରଥମେ ବୁଣାକାରମାନେ କୁସୁମି, ଅକଟା, ଫୁଲପେଡି, କଙ୍କଣପେଡି,ଆଦି ଶାଢ଼ି ପ୍ରସ୍ତୁତ କରୁଥିଲେ। ହେଲେ ୧୯୩୦ ମସିହାରେ କୁସୁମୀ ଶାଢ଼ିକୁ ପରଦାର ରୂପ ଦେଇଥିଲେ ବୁଣାକାର ସ୍ୱର୍ଗତ ଉଦୟ ନାଥ ସାହୁ । ଯାହା ବଜାରରେ ବେଶ ଆଦୃତି ଲାଭ କରିଛି ।
ଧଳାପଥରର ପରଦା କଳାକୁ ୨୦୧୨ ମସିହାରୁ ଜିଆଇ ଟ୍ୟାଗ ମିଳିଛି। ଏହାସହ ୟୁନିସ୍କୋର ପାଂଚ ବୟନ ଭିତରେ ମଧ୍ୟ ସ୍ଥାନ ମିଳିଛି। ହେଲେ ବର୍ତମାନ ବଜାର ବ୍ୟବସ୍ଥା ନଥିବାରୁ ଅତି ଦୁର୍ଦୀନରେ କାଳତିପାତ କରୁଛନ୍ତି ବୁଣାକାର। ବଜାରରେ ଶସ୍ତା ପ୍ରିଣ୍ଟ ସ୍କ୍ରିନ ବିକ୍ରି ବଢ଼ିଥିବାରୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ପ୍ରୋତ୍ସାହନ ଅଭାବରୁ ଏବେ ବିଲୁପ୍ତ ଦ୍ୱାରଦେଶରେ ପରଦା କଳା।
(ରିପୋର୍ଟ: ଖୋର୍ଦ୍ଧାରୁ ରମେଶ ସାହୁ)