୫୦ ହଜାରରେ ବିକ୍ରି ହେବ ରଥ ଚକ। ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ।

Advertisment
୫୦ ହଜାରରେ ବିକ୍ରି ହେବ ରଥ ଚକ। ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ।

କନକ ବ୍ୟୁରୋ: ଶ୍ରୀମନ୍ଦିରର ତିନି ରଥର ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦୀର୍ଘ ୫ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଖତ ଖାଉଥିବା ମହାପ୍ରଭୁଙ୍କ ତିନି ରଥର ଏକାଧିକ ଚକକୁ ମରାମତି କରାଯାଇ ବିକ୍ରି କରିବାକୁ ନିଷ୍ପତି ନେଇଛି ପରିଚାଳନା କମିଟି । ଆଉ କମିଟିର ନିଷ୍ପତି ଅନୁସାରେ ହୋଇଥିବା ଏସଓପି ଜରିଆରେ ରଥ ଚକ କେଉଁମାନଙ୍କୁ ଦିଆଯିବ, ତାହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।
ପ୍ରତ୍ୟେକ ରଥ ଚକର ଦାମ ୫୦ହଜାର ଟଙ୍କା । ପ୍ରଭା ୨୫ ହଜାର ଟଙ୍କା ଓ ଗୁଜର ଦର ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଚଳିତ ଥର ରଥ ଚକ କିଣିବା ପାଇଁ ୬୦ରୁ ଅଧିକ ଆବେଦନ ହୋଇଛି । ସେଥି ମଧ୍ୟରେ ବିଦେଶରୁ ଦୁଇଟି ଆବେଦନ ହୋଇଛି । ବିଦେଶରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରୁଥିବା ଦୁଇଟି ଅନୁଷ୍ଠାନ ରଥ ଚକ ପାଇଁ ଆବେଦନ କରିଥିବା ସୂଚନା ମିଳିଛି।

ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ରଥ ଚକ ପାଇଁ ହୋଇଥିବା ଆବେଦନକୁ ୪ଟି ବର୍ଗରେ ଭାଗ କରାଯାଇଛି ।
ପ୍ରଥମ ବର୍ଗ – ମନ୍ଦିର, ମଠ, ଧାର୍ମିକ ଅନୁଷ୍ଠାନ
ଦ୍ୱିତୀୟ ବର୍ଗ – ସରକାରୀ କାର୍ଯ୍ୟାଳୟ
ତୃତୀୟ ବର୍ଗ - କର୍ପୋରେଟ ହାଉସ
ଚତୁର୍ଥ ବର୍ଗ – ଶ୍ରଦ୍ଧାଳୁ ଓ ସାଧାରଣ ବ୍ୟକ୍ତି

ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଧାର୍ମିକ ଅନୁଷ୍ଠାନ, ମଠ, ମନ୍ଦିରକୁ ପ୍ରାଥମିକତା ଭିତିରେ ରଥ ଚକ ଦାନ କରାଯିବ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟକୁ ଦିଆଯାଉଥିବା ଚକ – ବିମାନ ବନ୍ଦର, ରେଲୱେ ଷ୍ଟେସନ, ସଚିବାଳୟ, ବସଷ୍ଟାଣ୍ଡରେ ରଖାଯିବ । ତେବେ ରଥ ଚକ ଓ ଏହାର ଅଂଶର ସଂରକ୍ଷଣ ପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀ ରହିଛି।
ରଥ ଚକ ସଂରକ୍ଷଣ ପାଇଁ ନିୟମାବଳୀ
ରଥ ଚକକୁ ଧାର୍ମିକ ଭାବନା ସହ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ସର୍ତାବଳୀ
ଦାନରେ ଦିଆଯାଇଥିବା ଚକ ଓ ଅନ୍ୟ ଅଂଶରେ ଶ୍ରୀମନ୍ଦିର ପ୍ରଶାସନର ନାମ ରହିବ
ଯୋଗାଯୋଗ ପାଇଁ ଫୋନ ନମ୍ବର ସହ ଇମେଲ ଆଇଡି ଉଲ୍ଲେଖ ରହିବ
ରଥ ଚକକୁ ସଂରକ୍ଷିତ ରଖିବାରେ ଅବେହଳା କଲେ କାର୍ଯ୍ୟାନୁଷ୍ଠାନ
ଅପମାନିତ କଲା ଭଳି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

ରଥ ଚକ ତଥା ଏହାର ଅଂଶ ବିଶେଷରେ ଉଲ୍ଲେଖ ଥିବା ନମ୍ବର କିମ୍ବା ମେଲ ଆଇଡିରେ ଯେ କେହି ଅଭିଯୋଗ କରିପାରିବେ । ୨୦୧୭ ମସିହା ପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୪୦ଟି ରଥ ଚକ ବିକ୍ରି ନ ହୋଇ ନଷ୍ଟ ହେଉଥିଲା । ଆଉ ଏବେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe