ଅବପାତର ରୂପ ନେଲା ୱେଲମାର୍କ ଲୋ-ପ୍ରେସର : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସକାଳେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ସ୍ଥଳଭାଗ ଛୁଇଁବ

578

କନକ ବ୍ୟୁରୋ : ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସର । ଏହା ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ବାତ୍ୟାର ରୂପ ନେବା ପରେ ‘ୟାସ’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅତି ତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ଥିବା କହିଛନ୍ତି, ଆଚଂଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍ ।

ଏହାର ପ୍ରଭାବରେ ଓଡିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୬ ତାରିଖରେ ବାତ୍ୟା ସମୁଦ୍ର ପଥରେ ଓଡିଶା ଉପକୂଳ ଗତି କରିବା ସମୟରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଂଜରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆଚଂଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଏହି ୩ଟି ଜିଲ୍ଲାରେ ୨୦ ସେଂଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।