ଦ୍ୱୈତ ନଗରୀକୁ ଫେରିବ ଜଳବନ୍ଦୀ ସମସ୍ୟା! ବର୍ଷା ଦିନ ପୂର୍ବରୁ ବଢାଇଲା ଚିନ୍ତା

122

କନକ ବ୍ୟୁରୋ: ଓଡିଶାକୁ ମୌସୁମୀ ଛୁଇଁ ସାରିଛି । ଦିନ କେଇଟା ପରେ ବର୍ଷା ଆରମ୍ଭ ହୋଇଯିବ । ବର୍ଷା ହେଲେ ଜଳବନ୍ଦୀ ହେବ ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱର । ଏହାର ମୁକାବିଲା ପାଇଁ ପ୍ରଶାସନ କେତେ ପ୍ରସ୍ତୁତ ଅଛନ୍ତି, ତାହାର ରିଏଲିଟି ଚେକ କରିଥିଲା କନକ ନ୍ୟୁଜ ।

କେମିତି ରହିଛି ଦେଶର ଅନ୍ୟତମ ସ୍ମାର୍ଟ ସିଟି ଭୁବନେଶ୍ୱର ସ୍ମାର୍ଟ ଡ୍ରେନେଜ ବ୍ୟବସ୍ଥା । କେଉଁଠି ମୁକୁଳା ପଡିଛି, କେଉଁଠି ପଙ୍କ, କାଦୁଅ ଭର୍ତି ଡ୍ରେନ ସଫେଇ ହୋଇନାହିଁ । ପୁଣି କେଉଁଠି ଭାଙ୍ଗିଯାଇଥିବା ଡ୍ରେନ ସ୍ଲାବ ଉପରେ ଅଭିନବ ଉପାୟରେ ଘୋଡେଇ ଦିଆଯାଇଛି ।

ବର୍ଷା ଦିନେ ରାଜଧାନୀର ଡ୍ରେନରୁ ବର୍ଷା ପାଣି ଉଛୁଳି ରାସ୍ତାରେ ଭାସେ, ଘରେ ପଶିଯାଏ । ଏବର୍ଷ ମଧ୍ୟ ସେହି ସମାନ ସମସ୍ୟା ଘଟିବାକୁ ଯାଉଛି । କାରଣ ରାଜଧାନୀର ଗଳିକନ୍ଦିରେ ଥିବା ଅଧିକାଂଶ ଡ୍ରେନ ସଫା କରାଯାଇ ନାହିଁ । ତେବେ ଜୁନ ୨୦ ସୁଦ୍ଧା ଡ୍ରେନ କାମ ସରିବ ବୋଲି ବିଏମସି କମିଶନର କହିଛନ୍ତି ।

ଭୁବନେଶ୍ୱର ଭଳି କଟକରେ ମଧ୍ୟ ସମାନ ସମସ୍ୟା । ବର୍ଷା ହେଲେ ଜଳବନ୍ଦୀ ସମସ୍ୟାରେ ଘାଂଟି ହୁଅନ୍ତି କଟକବାସିନ୍ଦା । ପଙ୍କ ଓ ଅଳିଆ, ପ୍ଲାଷ୍ଟିକରେ ଭର୍ତ୍ତି ହୋଇ ରହିଛି କଟକର ସେମିନାର ଛକ ମୁଖ୍ୟ ଡ୍ରେନ ଓ ଝୋଲା ସାହି ମୁଖ୍ୟ ଡ୍ରେନ । ଏହି ଡ୍ରେନକୁ ଦେଖିଲେ ବୁଝି ହେଉଛି ବର୍ଷା ଜଳ ନିଷ୍କାସନ ପାଇଁ କେତେ ପ୍ରସ୍ତୁତ ପ୍ରଶାସନ ।

ଓଡିଶାକୁ ମୌସୁମୀ ଛୁଇଁ ସାରିଛି । କିଛି ଦିନ ପରେ ଆରମ୍ଭ ହୋଇଯିବ ମୌସୁମୀ ବର୍ଷା । ଯଦିଓ ପ୍ରଶାସନିକ ଅଧିକାରୀ ଟୁଇନସିଟିରେ ଜଳବନ୍ଦୀ ସମସ୍ୟା ହେବ ନାହିଁ ବୋଲି କହୁଛନ୍ତି, ହେଲେ ବାସ୍ତବ ଚିତ୍ର ଭିନ୍ନ କଥା କହୁଛି ।