ବଢୁଛି ବ୍ରାହ୍ମଣୀ, ବୈତରଣୀ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ବୋହୁଛି ବ୍ରାହ୍ମଣୀ ।

179

କନକ ବ୍ୟୁରୋ: ବଢ଼ୁଛି ବ୍ରାହ୍ମଣୀ ନଦୀର ଜଳସ୍ତର । ଧର୍ମଶାଳା ଜେନାପୁର ନିକଟରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମ୍ଣୀ ନଦୀର ଜଳ । ଏଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବାବେଳେ ସନ୍ଧ୍ୟା ୭ଟା ବେଳକୁ ଏଠାରେ ଜଳସ୍ତର ୬୭.୮୦ ଫୁଟରେ ପ୍ରବାହିତ ହେଉଥିଲା । ରାତି ୧୧ଟାରୁ ୧୨ ବେଳକୁ ଜଳସ୍ତର ଆହୁରି ବଢ଼ିବା ସମ୍ଭାବନା ରହିଛି । ତେବେ ଜଳସ୍ତର ୬୯ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ନିର୍ବାହି ଯନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ବୈତରଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି ।

ଅନ୍ୟପଟେ ଲଗାଣ ବର୍ଷାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି । ତା ସହିତ ୩୬୯୬ଟି ଗାଁ ମଧ୍ୟ ପ୍ରଭାବିତ ହୋଇଛି । ବର୍ଷା ଫଳରେ ରାଜ୍ୟର ୨୦ ଲକ୍ଷ ୪୬ ହଜାର ୧୨୨ ଲୋକ ପ୍ରଭାବିତ ହୋଇଛନ୍ତି, ୨୮୭୦ ଘର ନଷ୍ଟ ହୋଇଛି । ପ୍ରଭାବିତ ହୋଇଥିବା ୧୩ ହଜାର ୫୩୪ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଅନୁଗୁଳର ୮ ବ୍ଲକ, ବରଗଡର ୪ ବ୍ଲକ , ବାଲେଶ୍ୱରର ୭ ବ୍ଲକ, ବୌଦ୍ଧର ୩, କଟକର ୯, ଦେବଗଡର ୨, ଢ଼େଙ୍କାନାଳର ୮, ଜଗତସିଂହପୁରର ୮, ଯାଜପୁରର ୧୦,କଳାହାଣ୍ଡିର ୩, କନ୍ଧମାଳର ୬, କେନ୍ଦ୍ରାପଡାର ୫, କେନ୍ଦୁଝରର ୫ , ଖୋର୍ଦ୍ଧାର ୧୦, କୋରାପୁଟର ୫, ନୟାଗଡର ୨ଟି, ନୂଆପଡାର ୩, ପୁରୀର ୬, ସୁବର୍ଣ୍ଣପୁରର ୬ଟି ବ୍ଲକ ପ୍ରଭାବିତ ହୋଇଛି । ଜିଲ୍ଲା ସ୍ତରରୁ ଆସିଥିବା ପ୍ରାଥମିକ ରିପୋର୍ଟ ଅନୁସାରେ ରାଜ୍ୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସମ୍ପୂର୍ଣ୍ଣ କ୍ଷତିର ଆକଳନ ପାଇଁ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ ଜାରି ରଖିଛନ୍ତି ।