ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ : ରାଜଘାଟଠାରେ ସତର୍କ ସଙ୍କେତ ପାର କରିଛି ସୁବର୍ଣ୍ଣରେଖା

ଉପର ମୁଣ୍ଡରେ ପ୍ରଳବ ବର୍ଷା ଯୋଗୁ ବଢୁଛି ନଦୀର ଜଳସ୍ତର; ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱରର ଶତାଧିକ ଗାଁ ଜଳମଗ୍ନ ହେବା ଆଶଙ୍କା

154

କନକ ବ୍ୟୁରୋ : ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଲଘୁଚାପଜନିତ ପ୍ରବଳ ବର୍ଷା କାରଣରୁ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ଝାଡଖଣ୍ଡ ଗାଲୁଡିବି ବ୍ୟାରେଜରୁ ଗତ ଦୁଇଦିନରେ ୨୫୦୦ କ୍ୟୁସେକ ପାଣି ନିଷ୍କାସନ କରିବା ଫଳରେ ଜଳସ୍ତର ବଢୁଛି । ନଦୀର ଜଳସ୍ତର ବଢୁଥିବାରୁ ବାଲିଆପାଳ , ଭୋଗରାଇ ଓ ଜଳେଶ୍ୱର ବ୍ଲକର ଶତାଧିକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି ।

ସେପଟେ ବଢୁଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତା ଅଂଚଳରେ ଗତକାଲି ସାମାନ୍ୟ ବର୍ଷା ହୋଇଥିବାବେଳେ ଉପରମୁଣ୍ଡରେ ବର୍ଷା କାରଣରୁ ଜଳସ୍ତର ବଢି ବନ୍ୟା ପରିସ୍ଥିତି ଉପୁଜିଛି । ବସ୍ତା ଅଂଚଳରେ ପାଖାପଖି ୩ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ତଳିଆ ଅଂଚଳରେ କିଛି ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମଥାନୀ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି ।