ଶୁଖୁଛି ମହାନଦୀ: ତଳକୁ ଖସିଚାଲିଛି ଜଳସ୍ତର, ନଦୀ ଭିତରକୁ ପଶୁଛି ସମୁଦ୍ର ପାଣି

151

କନକ ବ୍ୟୁରୋ: ଅଣମୌସୁମୀ ଋତୁରେ ପାଣି ଛାଡୁନି ଛତିଶଗଡ଼ । ଅଧା ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ଘନେଇ ଆସୁଛି ସଂକଟ । ମହାନଦୀର ପ୍ରବାହ ସ୍ୱାଭାବିକ ଭାବେ ହେଉନଥିବାରୁ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାହା ସାଂଘାତିକ । କାରଣ, ନଦୀ ଶୁଖିଲା ପଡୁଥିବାରୁ ଭୂତଳ ଜଳସ୍ତର ଖସିଯାଉଛି । ବିଶେଷଜ୍ଞଙ୍କ କହିବା କଥା, ସ୍ୱାଭାବିକ ଭାବେ ମହାନଦୀରୁ ମଧୁର ଜଳ ସମୁଦ୍ରରେ ମିଶିଥାଏ, କିନ୍ତୁ ମହାନଦୀରେ ପାଣି ନଥିବାରୁ ସମୁଦ୍ର ପାଣି ନଦୀ ଭିତରକୁ ଉଠିଯାଉଛି । ଫଳରେ ଲବଣାକ୍ତ ହୋଇଚାଲିଛି ଉପକୂଳ ଓଡ଼ିଶା । କେବଳ ଏହାର ପ୍ରଭାବ ଚାଷ ଜମି ଉପରେ ପଡୁନି, ଜୈବ ବିବିଧତା ବ୍ୟାପକ ଭାବେ ନଷ୍ଟ ହେଉଛି ।

ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଛି । ମାଳମାଳ ବ୍ୟାରେଜ୍ ଓ ଡ୍ୟାମ ତିଆରି କରି ପାଣି ରୋକୁଛି ଛତିଶଗଡ଼ । ଓଡ଼ିଶାର ଏହି ଅଭିଯୋଗକୁ ଅଣଦେଖା କରି ଚାଲିଛି ପଡ଼ୋଶୀ ରାଜ୍ୟ । ଏହାର ସମାଧାନ ପାଇଁ ୨୦୧୮ ମସିହାରେ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା । ଏହାରି ଭିତରେ ୫ ବର୍ଷ ବିତିଯାଇଛି, କିନ୍ତୁ ବିବାଦର ସମାଧାନ କରିପାରିନାହିଁ ଟ୍ରିବ୍ୟୁନାଲ୍ । ଉଭୟ ରାଜ୍ୟ ସରକାର ଓ ଟ୍ରିବ୍ୟୁନାଲ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ୫ ବର୍ଷ ଭିତରେ ଛତିଶଗଡ଼କୁ ପାଣି ଛାଡିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇନାହାନ୍ତି ଟ୍ରିବ୍ୟୁନାଲ୍ କି ରାଜ୍ୟ ସରକାର ଏଥିପାଇଁ ଚାପ ପକାଇ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଗତ ଦୁଇ ମାସରେ ମହାନଦୀରେ ୭୦ ପ୍ରତିଶତରୁ ଅଧିକ ଜଳପ୍ରବାହ କମିଛି ।

ନିକଟରେ ଛତିଶଗଡ଼ର ବିଭିନ୍ନ ବ୍ୟାରେଜ୍ ବୁଲି ଦେଖିଛନ୍ତି ଟ୍ରିବ୍ୟୁନାଲ୍ ସଦସ୍ୟ । ଖରାଦିନେ ଓଡ଼ିଶାରେ ମହାନଦୀର ସ୍ଥିତି କିପରି ରହିଛି, ଏବେ ବୁଲି ଦେଖିବେ । ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶାର ସ୍ଥିତି ଦେଖି ଛତିଶଗଡ଼କୁ ପାଣି ଛାଡିବାକୁ ନିର୍ଦ୍ଦେଶ ଦେବେ କି ଟ୍ରିବ୍ୟୁନାଲ୍?