ମହାନଦୀର ସବୁଠାରୁ ବଡ ଗଣ୍ଡ ସାତକୋଶିଆରେ ହ୍ରାସ ପାଉଛି ଜଳସ୍ତର । ଉପର ମୁଣ୍ଡରେ ବ୍ୟାରେଜ ଯୋଗୁଁ ଲଗାତାର ଭାବେ କମୁଛି ଜଳସ୍ତର
କନକ ବ୍ୟୁରୋ : ଧୀରେ ଧୀରେ କମିବାକୁ ଲାଗୁଛି ମହାନଦୀର ସବୁଠାରୁ ବଡ଼ ଗଣ୍ଡ କୁହାଯାଉଥିବା ସାତକୋଶିଆ ଗଣ୍ଡର ଜଳସ୍ତର । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ହେବା ପରେ ସାତକୋଶିଆ ଗଣ୍ଡର ଜଳସ୍ତର ସାଙ୍ଗକୁ ଗଣ୍ଡର ଓସାର ଓ ଗଭୀରତା କମିଥିବା ନେଇ ଅନୁମାନ କରାଯାଇଛି । ଫଳରେ ସାତକୋଶିଆର ଜୈବ ବିବିଧତା କୁମ୍ଭୀର ପ୍ରଜନନ ଉପରେ ପ୍ରଭାବ ପକାଇବ ନିଶ୍ଚୟ । ଅନ୍ୟପଟେ ଆଗାମୀ ଭବିଷ୍ୟତରେ ସାତକୋଶିଆ ତାର ଅସ୍ତିତ୍ଵ ହରାଇବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ପରିବେଶବିତ୍।

Kanak News is now on WhatsApp
Join and get latest news updates delivered to you via WhatsApp
ଅନୁଗୁଳ ଜିଲ୍ଲାରେ ରହିଛି ମହାନଦୀର ସବୁଠାରୁ ବଡ ଗଣ୍ଡ, ସାତକୋଶିଆ ଗଣ୍ଡ । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ଯୋଗୁଁ ସିଧାସଳଖ ପ୍ରଭାବିତ ହୋଇଛି ସାତକୋଶିଆ ଗଣ୍ଡ । ଦିନେ ଯେଉଁ ଗଣ୍ଡରେ ଅକାତ କାତ ପାଣି ରହୁଥିଲା, ଏବେ ଲଗାତାର ଭାବେ ଜଳସ୍ତର କମୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।
୨୨ କିଲୋମିଟର ବ୍ୟାପୀ ସାତକୋଶିଆ ଗଣ୍ଡରେ ବର୍ଷ ତମାମ ପାଣି ରହିଥାଏ । ୧୯୭୬ ମସିହାରେ ସାତକୋଶିଆ ଅଭୟାରଣ୍ୟ ଘୋଷଣା ହୋଇଥିଲା । ବିଲୁପ୍ତ ଘଡିଆଳଙ୍କ ବଂଶ ବୃଦ୍ଧି ପାଇଁ ୧୯୭୫ ମସିହାରେ ଏଠାରେ ଘଡିଆଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଥିଲା । ୨୦୦୬ରେ କୁମ୍ଭୀରମାନଙ୍କ ଚିଡିଆଖାନା ସ୍ଥାପିତ କରାଯାଇଥିଲା । ସାତକୋଶିଆ ଅବବାହିକାରେ ଥିବା ବିସ୍ତୀର୍ଣ୍ଣ ଜଙ୍ଗଲକୁ ମିଶାଇ ୨୦୦୭ରେ ଏହାକୁ ଜାତୀୟ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ଦେଇଥିଲେ କେନ୍ଦ୍ର ସରକାର । ହେଲେ ଏବେ ଏହି ସାତକୋଶିଆ ଗଣ୍ଡରେ ଧିରେ ଧିରେ ଜଳସ୍ତର କମିବାରେ ଲାଗିଛି । ଏହାର ଓସାର ଓ ଗଭୀରତା ମଧ୍ୟ ହ୍ରାସ ପାଉଥିବା ପରିବେଶବିତ୍ ଅନୁମାନ କରୁଛନ୍ତି ।
ଏହି ଭଳି ଭାବେ ଜଳସ୍ତର କମିଲେ, ସାତକୋଶିଆର ଜୈବ ବିବିଧତା ଓ କୁମ୍ଭୀର ପ୍ରଜନନ ସିଧାସଳଖ ପ୍ରଭାବିତ ହେବ । ଯେଉଁଥିପାଇଁ ସାତକୋଶିଆ ସାରା ବିଶ୍ୱରେ ପରିଚିତ, ଆଗାମୀ ଦିନରେ ତା’ର ଅସ୍ଥିତ୍ୱ ହରାଇବାର ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ସେପଟେ ସାତକୋଶିଆ ଗଣ୍ଡର ଜଳସ୍ତର କମିବା ପ୍ରସଙ୍ଗରେ ପ୍ରତିକ୍ରିୟା ପାଇଁ ଟିକରପଡାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗ ବିଭାଗ କେନ୍ଦ୍ରକୁ ଯାଇଥିଲେ ଆମ ପ୍ରତିନିଧି । ହେଲେ ଗଣ୍ଡର ଜଳସ୍ତର ସଂପର୍କରେ ତଥ୍ୟ ଗୋପନ ରଖିଥିଲେ ବିଭାଗୀୟ ଅଧିକାରୀ ।