ବନ୍ୟାଞ୍ଚଳରେ ପାଣି ଅମୂଲମୂଲ : ଗରାଏ ପାଣିକୁ ୧୦୦ରୁ ୩୦୦ ଟଙ୍କା; ଆଳି, ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳ ସ୍ଥିତି ସଙ୍ଗୀନ

230

କନକ ବ୍ୟୁରୋ : କୁହାଯାଏ ଜଳବହୁଳେ ସୃଷ୍ଟି ନାଶ, ଜଳବିହୁନେ ସୃଷ୍ଟି ନାଶ। ପ୍ରକୃତି ଏମିତି ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳରେ । ଯେଉଁ ଅଞ୍ଚଳ ପାଣିରେ ଉବୁଟୁବୁ ହେଉଛି, ଘରେ ପାଣିର ଲହଡି ଖେଳୁଛି, ଠିକ୍ ସେହି ସ୍ଥାନରେ ବାସ କରୁଥିବା ମଣିଷ, ପାଣି ଟୋପାଏ ପାଇଁ ଡହଳବିକଳ ହେଉଛି। ଜୀବନ ସହିତ ସଂଘର୍ଷ କରୁଛି । ଖାଇବାକୁ ଗଣ୍ଡେ ନ ଦେଲେ ନାହିଁ, ଭଲ ପିଇବା ପାଣି ଟିକେ ପାଇଁ ଚିତ୍କାର କରୁଛି। କେବଳ ସେତିକି ନୁହେଁ, ପାଣିର ମୂଲ୍ୟ ଏଠି ଏତେ ଅମୂଲ୍ୟ ଯେ ଗୋଟିଏ ଗରାର ପାଣି ଆଣିବା ପାଇଁ ୧୦୦ରୁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ଲୋକଙ୍କୁ ।ଏଭଳି ସ୍ଥିତି କିଛି ହାତଗଣତି ଲୋକଙ୍କ କ୍ଷେତ୍ରରେ ବା ଗୋଟିଏ ଦୁଇଟି ସ୍ଥାନରେ ହୋଇଛି ସେକଥା ବି ନୁହେଁ, ବରଂ ପାଖାପାଖି ଦେଢଲକ୍ଷରୁ ଅଧିକ ଲୋକ ଏମିତି ଜୀବନ ଯନ୍ତ୍ରଣା ଭିତରେ ଛଟପଟ ହେଉଛନ୍ତି। ବ୍ରାହ୍ମଣୀ, କାଣି ଓ ଖରସ୍ରୋତାର ବନ୍ୟା ସେମାନଙ୍କ ଜୀବନକୁ ଦୁର୍ବିସହ କରିପକାଇଛି। ମହାମାରୀ କରୋନା ଭଳି ଅଦୃଶ୍ୟ ଭୂତାଣୁର ଡରକୁ ଏ ଦୃଶ୍ୟମାନ ବିପର୍ଯ୍ୟୟ ଯେମିତି ହଜାଇ ଦେଇଛି। ମହାମାରୀକୁ ନେଇ ପ୍ରଶାସନର କାଇଦା, କଟକଣା ସବୁ ଅନେକ ପଛରେ ରହିଯାଇଛି। କିଏ ସଂକ୍ରମିତ ହେବ ସେ ଡର କାହା ଭିତରେ ନାହିଁ କିମ୍ବା ମାସ୍କ ପିନ୍ଧିବା ଅଥବା ସାମାଜିକ ଦୂରତ୍ବ ଆଦି ସବୁକିଛି ଏମାନଙ୍କ ପାଇଁ ମୂଲ୍ୟହୀନ।

କୁଆଖିଆ, କାଠଯୋଡି, ମହାନଦୀ, ଗୋବରୀ, ବ୍ରାହ୍ମଣୀରେ ବନ୍ୟାର ଗମ୍ଭୀରତାକୁ ସାଉଁଟି ସାଉଁଟି ଆଗକୁ ବଢି ଆମେ ପହଞ୍ଚିଲୁ ଆଳି ଧୋୟା ଅଞ୍ଚଳରେ। କାଣି ନଦୀ ପୋଲ ଅତିକ୍ରମ କରି ମାନପୁରରେ ପହଞ୍ଚିଲା ବେଳେ ଦେଖିଲୁ, ଆଗକୁ କେବଳ ସମୁଦ୍ର ଭଳି ପରିସ୍ଥିତି। ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି। କେଉଁ ଘର ସମ୍ପୂର୍ଣ୍ଣ ବୁଡାଇ ଦେଇଛି, ଆଉ କେଉଁଠି ଛାତ ଉପରେ ଆଶ୍ରୟ ନେଇଛନ୍ତି ପରିବାର। ନଦୀ ବନ୍ଧ ଉପରେ ହାତଗଣତି ଗାଈ ବନ୍ଧା ହୋଇଛନ୍ତି। ଗୋମାତା ଆଖିରୁ ଲୁହ ଝରୁଛି। ଯେଉଁଠି ମଣିଷ ପିଇବା ଖାଇବା ପାଇଁ ଯୁଝୁଛି, ସେଠି ସେମାନଙ୍କ କଥା କିଏ ବୁଝେ । କିଏ ହୁଲି ଡଙ୍ଗାରେ ଗ୍ୟାସ ଟାଙ୍କି ଆଣୁଛି, ଆଉ କିଏ ପାଣି ଗରା, ଘରେ ଦୀର୍ଘ ଦିନ ଧରି ରଖିଥିବା ବୋତଲରେ ପାଣି ପାଇ ସ୍ଥଳଭାଗକୁ ଆସୁଛି। କୈଳାସ ଚନ୍ଦ୍ର ସାମଲ ନାମକ ଜଣେ ବୟସ୍କ ବ୍ୟକ୍ତି ଆମକୁ କହିଲେ, ୧୯୭୫ ମସିହା ପରଠାରୁ ଏମିତି ପରିସ୍ଥିତି କେବେ ସେ ଦେଖିନାହାନ୍ତି। ପାଳିମୀ ପର୍ଯ୍ୟନ୍ତ ଦୀର୍ଘ ୨୫ କିଲୋମିଟର ଯାଏ ଲୋକେ ପାଣିରେ ଫସି ରହିଛନ୍ତି। ମାଛଧରା ଡଙ୍ଗା ଏବେ ତାଙ୍କର ଏକମାତ୍ର ଭରସା ।

କେବଳ ଆଳିରେ ଏମିତି ସ୍ଥିତି ସେୟା ନୁହେଁ, ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ୧ରୁ ୧୦ ଵାର୍ଡ ଯାଏ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନିପଟ ମହସଲ କଥା ଦୂରେ ଥାଉ, ସ୍ଥାନୀୟ ଅଞ୍ଚଳର ଅମରେଶ ପାତ୍ର କହିଥିଲେ, ତିନି ଓ ଚାରିନମ୍ବର ଵାର୍ଡକୁ କେହି ଆସିନାହାନ୍ତି। ତନୁପୁର ଅଞ୍ଚଳରେ ଲୋକଙ୍କ ଜୀବନ ତଦ୍ରୂପ। ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳ ସ୍ଥିତି ବି ସଙ୍ଗିନ୍। ବଲୁରିଆରୁ ଅଳପୁଆ ଯୁଆଡେ ଚାହିଁଲେ ବ୍ରାହ୍ମଣୀ ନଦୀ ଗି​ଳି ଦେଇଛି। ବନ୍ୟାର ଆଁରେ ବଲୁରିଆ, ଅମୃତମଣୋହି, ଅଣ୍ଡରା, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ, ସିଂହଗାଁ ପଶିଯାଇଛି। ସିଂହଗାଁକୁ ତିନି ଆଡୁ ଘେରିଛି ବନ୍ୟା। ଗୋଟିଏ ପଟେ ବ୍ରାହ୍ମଣୀ, ଅନ୍ୟ ପଟେ ଖରସ୍ରୋତା ଓ କାଣୀ। ସ୍ଥିତି କେତେ ଗମ୍ଭୀର ଥିବ, ତାହା ବର୍ଣ୍ଣନା କରିବା ମୁସ୍କିଲ୍। ଏଠାରେ ବି ଗତ ପାଞ୍ଚ ଦିନ ଧରି ଲାଇନ୍ ନାହିଁ। ସବ୍‌ଷ୍ଟେସନ୍ ପାଣି ଭିତରେ ବୁଡିରହିଛି। ସନ୍ଧ୍ୟା ପରେ ଚାରିଆଡ ଅନ୍ଧାର। ମାଳ ମାଳ ସାପ ପାଣିରେ ପହଁରୁଛନ୍ତି। ତା ଭିତରେ ପରିବାରକୁ ନେଇ ବଞ୍ଚିବାର ରାହା ଖୋଜୁଛନ୍ତି ଲୋକେ।