ପଂଜଶୀରରେ ଶେଷ ହୋଇନି ଯୁଦ୍ଧ । ଏମିତି ମିଳିଲା ତାଲିବାନକୁ ଜବାବ୍… 

652

କନକ ବ୍ୟୁରୋ: ପଂଜଶୀରରେ ଶେଷ ହୋଇନି ଯୁଦ୍ଧ । ତାଲିବାନ ବିରୋଧରେ ସରିନି ବିଦ୍ରୋହୀ ସେନାଙ୍କ ଲଢେଇ । ସୋମବାର ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଘୋଷଣା କରି କହିଥିଲେ ଯେ, ପଂଜଶୀର ଉପରେ ତାଲିବାନ ଦଖଲ କରିଛି । ଏବେ ସମ୍ପୂର୍ଣ୍ଣ ତାଲିବାନ ପଂଜଶୀର ଅଧିନରେ । ତାଙ୍କର ଏହି ବୟାନର ୨୪ ଘଂଟା ନ ପୁରୁଣୁ ତାଲିବାନୀଙ୍କୁ ମିଳିଛି ଜବରଦସ୍ତ ଉତର । ପଂଜଶୀରରେ ଥିବା ତାଲିବାନୀଙ୍କ ଅଡ୍ଡା ଉପରେ ହୋଇଛି ଏୟାରଷ୍ଟ୍ରାଇକ୍ ।

ତାଲିବାନ ବିରୋଧରେ ପଂଜଶୀରରେ ଶେଷ ହୋଇନି ଯୁଦ୍ଧ । ପଂଜଶୀର ଉପରେ ଦଖଲର ତାଲିବାନ ଦାବି କରୁଥିବାବେଳେ, ତାର ଅଡ୍ଡା ଉପରେ ହୋଇଛି ଏୟାରଷ୍ଟ୍ରାଇକ୍ । କାବୁଲ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମଙ୍ଗଳବାର ଭୋରରୁ ପଂଜଶୀରରେ ଥିବା ତାଲିବାନର ଠିକଣାଗୁଡିକୁ ଟାର୍ଗେଟ କରି କରାଯାଇଛି ଏୟାରଷ୍ଟ୍ରାଇକ୍ । କିଛି ଅଜ୍ଞାତ ସାମରିକ ବିମାନ ଏହି ଏୟାରଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣରେ ମୃତାହତଙ୍କ କୌଣସି ସୂଚନା ମିଳିନାହିଁ । ସେପଟେ ପଂଜଶୀରରେ ଉଭୟ ପକ୍ଷରୁ ଜାରି ରହିଛି ଗୁଳିଚାଳନା । ରାତି ଅନ୍ଧକାରରେ ବିଦ୍ରୋହୀ ସେନା ଓ ତାଲିବାନିଙ୍କ ମଧ୍ୟରେ ଜବରଦସ୍ତ ଫାୟାରିଂ ହେଉଥିବା ଦେଖିବାକୁ ମିଳିଛି ।

ସୋମବାର ପଂଜଶୀର କବ୍ଜା କରିଥିବା ନେଇ ତାଲିବାନ ଦାବି କରିଥିଲା । ପଂଜଶୀର ଗଭର୍ଣ୍ଣର ହାଉସ ଆଗରେ ଛିଡା ହୋଇ ତାଲିବାନି ନେତା ଉଡାଇଥିଲେ ପତାକା । ହେଲେ ଏହାର ୨୪ ଘଂଟା ଭିତରେ ତାଲିବାନକୁ ନର୍ଦନ ଆଲିଆନ୍ସ ଦେଇଛି କଡ୍ଡା ଜବାବ ।

ପଂଜଶୀର ସ୍ଥିତ ନର୍ଦନ ଆଲିଆନ୍ସ ତାଲିବାନକୁ କଡ୍ଡା ଟକ୍କର ଦେଇ ଆସୁଛି । ଆଉ ନର୍ଦନ ଆଲିଆନ୍ସ ବା ବିଦ୍ରୋହୀ ସେନା ବର୍ତମାନ ସୁଦ୍ଧା ହାର ମାନି ନାହାଁନ୍ତି । ଅହମ୍ମଦ ମାସୁଦ ଓ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲାହ ସଲେହ ବିଦ୍ରୋହୀ ସେନାର ନେତୃତ୍ୱ ନେଉଛନ୍ତି । ସୋମବାର ପଂଜଶୀର ଦଖଲ କରିଥିବା ତାଲିବାନର ଦାବିକୁ ଏମାନେ ଖଣ୍ଡନ କରିଛନ୍ତି ମାସୁଦ କହିଛନ୍ତି, ମୃତ୍ୟୁ ପର୍ଯ୍ୟନ୍ତ ତାଲିବାନ ବିରୋଧି ତାଙ୍କ ଲଢେଇ ଜାରି ରହିବ । ପଂଜଶୀରକୁ ଦଖଲ କରିବା ପାଇଁ ଗତ ୨୫ ଦିନ ହେବ ତାଲିବାନିମାନେ ବିଦ୍ରୋହୀ ସେନାଙ୍କ ଉପରେ ଆକ୍ରମଣ କରି ଆସୁଛି । ଆଉ ପଂଜଶୀରକୁ ଦଖଲ କରିବା ପାଇଁ ତାଲିବାନକୁ ସାହାଯ୍ୟ କରିଛି ପାକିସ୍ତାନ । ସୋମବାର ପାକିସ୍ତାନ ସେନା ଡ୍ରୋନ୍ ଜରିଆରେ ପଂଜଶୀର ବିଦ୍ରୋହୀ ସେନା ଉପରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି

ସୋମବାର ତାଲିବାନ ମୁଖପାତ୍ର ଘୋଷଣା କରିଥିଲେ ସେମାନେ ପଂଜଶୀରକୁ କବ୍ଜା କରିବାରେ ସଫଳ ହୋଇଛନ୍ତି । ଆଉ ଯଦି କେହିବି ତାଲିବାନ ବିରୋଧରେ ବନ୍ଧୁକ ଉଠାଏ ତାହାଲେ ସେମାନଙ୍କ ଅବସ୍ଥା ପଂଜଶୀର ଭଳି ହେବ ବୋଲି କହିଥିଲେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ।

ପଂଜଶୀର ଉପରେ ପାକିସ୍ତାନ ଡ୍ରୋନ୍ ଏବଂ ଯୁଦ୍ଧ ବିମାନରେ ଆକ୍ରମଣ କରିଥିଲା । କୁହାଯାଉଛି ନର୍ଦନ ଆଲିଆନ୍ସର ମୁଖପାତ୍ର ଫାହିମ ଦସ୍ତିଙ୍କ ସାଟେଲାଇଟ୍ ଫୋନ୍ ଅନ୍ ଥିଲା, ସେ ବିବିସିକୁ ସାକ୍ଷାତ୍କାର ଦେଉଥିଲେ । ଏହି ସମୟରେ ଫାହିମ୍କୁ ଟାର୍ଗେଟ କରିଥିଲା ପାକ୍ ଡ୍ରୋନ୍ । ଏହି ଘଟଣା ପଂଜଶୀରରେ ପାକ୍ ବିରୋଧରେ ପ୍ରତିବାଦକୁ ଦାନା ଦେଇଛି । ପଂଜଶୀରରେ ପାକିସ୍ତାନର ଡ୍ରୋନ୍ ଆଟାକ୍ ନେଇ ମାସୁଦ୍ ବି ଅଭିଯୋଗ ଆଣିଛନ୍ତି । ଆଉ ମାସୁଦ୍ଙ୍କ କଥାରେ ପାକ୍ ବିରୋଧରେ ନାରାବାଜୀ କରିଛନ୍ତି ପଂଜଶୀର ବାସି । ଏହାରି ଭିତରେ ତାଲିବାନକୁ କଡ୍ଡା ଟକ୍କର ଦେବାପାଇଁ ମଙ୍ଗଳବାର ତାଲିବାନ ଅଡ୍ଡା ଉପରେ କରାଯାଇଛି ଏୟାରଷ୍ଟ୍ରାଇକ୍ । ତେବେ ଏହି ଏୟାରଷ୍ଟ୍ରାଇକ୍ ପାଇଁ ବିଦ୍ରୋହୀ ସେନାକୁ କିଏ ସାହାଯ୍ୟ କରିଛି ସେନେଇ ଏବେ ସୁଦ୍ଧା ସୂଚନା ମିଳିନି ।