ଆରମ୍ଭ ହେଲା ଭୋଟ୍ ଗଣତି : ବାଲେଶ୍ୱର ଓ ତିର୍ତ୍ତୋଲରେ କିଏ ମାରିବ ବାଜି ? କାହା ଉପରେ ଭରସା କରିଛନ୍ତି ଭୋଟର, ଆସିବ ଜନତାଙ୍କ ରାୟ

193

କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ବାଲେଶ୍ୱର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି ହେଉଥିବା ବେଳେ ତିର୍ତ୍ତୋଲ ପାଇଁ ଏସଭିଏମ କଲେଜ ପରିସରରେ ହେଉଛି ଭୋଟ ଗଣତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିିଥିବା ସୂଚନା ମୁତାବକ ପ୍ରଥମେ ପୋଷ୍ଟାଲ ଭୋଟର ଗଣତି କରାଯିବ, ଏବଂ ଏହାପରେ ଇଭିଏମ ଭୋଟ ଗଣତି କରାଯିବ । କୋଭିଡ ନିୟମକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି ।

ଉଭୟ ନିର୍ବାଚନ ମଣ୍ଡଳୀରେ ମୋଟ ୧୧୦ ଜଣ କାଉଁଟିଂ କର୍ମଚାରୀ ଓ ୫୭ଜଣ ମାଇକ୍ରୋ ଅବଜରଭର ଭୋଟ ଗଣତିରେ ନିୟୋଜିତ ଅଛନ୍ତି । ତିର୍ତ୍ତୋଲରେ ୩୭୩ଟି ବୁଥ ଏବଂ ବାଲେଶ୍ୱରରେ ୩୪୬ଟି ବୁଥରେ ମତଦାନ ହୋଇଛି । କୋଭିଡ କଟକଣା ଓ ସାମାଜିକ ଦୁରତ୍ୱକୁ ଦୃଷ୍ଟିରେ ରଖି ଏଥର କାଉଁଟିଂ ଏଜେଂଟମାନଙ୍କ ପାଇଁ ପ୍ରତି ରାଉଣ୍ଡର ଫଳାଫଳ ଜାଣିବା ପାଇଁ ପ୍ରତି ଭୋଟ ଗଣତି ଟେବୁଲ ନିକଟରେ ଏକ ବଡ ସ୍କ୍ରିନର ବ୍ୟବସ୍ଥା କରାଯାଇଛି । ବାଲେଶ୍ୱର ଆସନରେ ୬ଜଣ ପ୍ରାର୍ଥୀ ଓ ତିର୍ତ୍ତୋଲ ଆସନରେ ୯ଜଣ ପ୍ରାର୍ଥୀ ଅଛନ୍ତି । ଉଭୟ ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେବା ନେଇ ଅନୁମାନ କରାଯାଉଛି ।
ଆଜି ରାଜନୈତିକ ଦଳମାନଙ୍କର ଅଗ୍ନିପରୀକ୍ଷା । ବାଲେଶ୍ୱର ଓ ତିର୍ତ୍ତୋଲ ଜନତାଙ୍କ ନିଷ୍ପତି ଆଜି ସାମ୍ନାକୁ ଆସିବ । କିଏ ଜିତିବ, କିଏ ହାରିବ, ତା’ର ଫୈସଲା ହେବ । ସରକାର କେମିତି କୋଭିଡ ପରିଚାଳନା କରିଛନ୍ତି, ଏଥିରେ ଲୋକ ଖୁସି ଅଛନ୍ତି କି ନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅତୁଟ ଅଛି କି ନାହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାର ଏଠାରେ ପ୍ରଭାବ ଅଛି କି ନାହିଁ, ଏମିତି ଅନେକ ପ୍ରଶ୍ନର ଉତର ମିଳିବ ।