ବଦଳିଲା ପାକ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱର। ଲୋଡ଼ିଲେ ମୋଦୀଙ୍କ ସହଯୋଗ!

576

କନକ ବ୍ୟୁରୋ: ପାକିସ୍ତାନରେ ଆର୍ଥିକ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମହଙ୍ଗା ଦର ଏତେ ମାତ୍ରାରେ ବଢ଼ିଯାଇଛି ଯେ ସାଧାରଣ ଲୋକଙ୍କୁ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କୁ ମନେପଡିଛି ଭାରତ କଥା । ଏକ ସାକ୍ଷାତକାରରେ ପାକ୍ ପ୍ରଧାନମନ୍ତ୍ରୀ ଭାରତକୁ ଅପିଲ୍ କରିଛନ୍ତି । କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ସମସ୍ୟାକୁ ଗୁରୁତର ସହ ନିଅନ୍ତୁ । ଆମକୁ ଏବେ ସବୁ ପୁରୁଣା କଥା ଭୁଲି ସାମ୍ନାସାମ୍ନି ବସି ଆଲୋଚନା କରିବା ଉଚିତ୍ ।

ସାକ୍ଷାତକାରରେ ଶରିଫ୍ ଭାରତ ଠାରୁ ତିନି ତିନିଥର ଯୁଦ୍ଧ ହାରିଥିବା କଥା ସ୍ୱୀକାର କରିଛନ୍ତି । ଏହାସହ ଏହି ଯୁଦ୍ଧ ତାଙ୍କ ଦେଶକୁ ଉଚିତ୍ ଶିକ୍ଷା ଦେଇଥିବା କଥା କହିଛନ୍ତି । ଯୁଦ୍ଧ ଯୋଗୁଁ ପାକିସ୍ତାନ ଆର୍ଥିକ କ୍ଷେତ୍ରରେ ମଧ୍ୟ ଦୁର୍ବଳ ହୋଇଛି । ତେଣୁ ଏବେ ଯୁଦ୍ଧ ନୁହେଁ, ଶାନ୍ତି ଚାହୁଁଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଶରିଫ୍ ଆହୁରି କହିଛନ୍ତି, ଆର୍ଥିକ ସ୍ଥିତିରେ ବେଶ ଦୁର୍ବଳ ହୋଇଛି ପାକିସ୍ତାନ । ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ୟାର ସମାଧାନ କରିବାକୁ ଚାହୁଁଛୁ । ଆମ ସମ୍ପତ୍ତିକୁ ବୋମା, ବାରୁଦରେ ନଷ୍ଟ କରିବାକୁ ଚାହୁଁନାହୁଁ । ଉଭୟ ଦେଶ ପାଖରେ ଭରପୂର ପରମାଣୁ ଶକ୍ତି ରହିଛି । ଆଉ ଯୁଦ୍ଧ ହେଲେ ପରିଣାମ କ’ଣ ହେବ, ତାହା କହିହେବ ନାହିଁ ବୋଲି କହିଛନ୍ତି । ତେବେ କଥାରେ ନୁହେଁ, କାମରେ କରି ଦେଖାଇବାକୁ ଭାରତୀୟ ବିଶେଷଜ୍ଞ ମତ ଦେଇଛନ୍ତି ।

ଆର୍ଥିକ ସଙ୍କଟ ବ୍ୟତୀତ ପାକିସ୍ତାନ ଅଧିକୃତ କାଶ୍ମୀରରେ ସରକାର ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି । ଶହବାଜ ସରିଫ ସରକାର ବିରୋଧରେ ଲୋକେ ପ୍ରତିବାଦ, ନାରାବାଜି କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ କୁଶପୁତ୍ତଳିକା ଦାହ କରି ଲୋକେ ନାୟ ଦାବି କରିଛନ୍ତି । ଖାଦ୍ୟ ସଙ୍କଟ ଏବଂ ପାକ୍ ସରକାରଙ୍କ ଭେଦଭାବ ନୀତି ବିରୋଧରେ ଦିନକୁ ଦିନ ଗିଲଗିଟ ବାଲଟିସ୍ତାନରେ ବିକ୍ଷୋଭ ତେଜିବାର ଲାଗିଛି । ତେଣୁ ଏସବୁ ବିରୋଧ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ପ୍ରତି ସ୍ୱର ବଦଳାଇଥିବା କୁହାଯାଉଛି ।