କନକ ବ୍ୟୁରୋ: ବିରୋଧ, ସମାଲୋଚନା ଓ ପ୍ରତିବାଦ ସତ୍ୱେ ବି ଗସ୍ତ ଜାରି ରଖିଛନ୍ତି ଫାଇଭ-ଟି ସଚିବ । ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି । ଭଞ୍ଜନଗର, ସୋରଡ଼ା, ଆସିକା, ପୋଲସରା ଓ ଖଲିକୋଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଜନସଭାରେ ଲୋକଙ୍କୁ ସମ୍ବୋନ୍ଧିତ କରିଛନ୍ତି ।

Advertisment

ଫାଇଭ-ଟି ସଚିବଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆୟୋଜିତ ସଭାସ୍ଥଳରେ ତନତନ କରି ଯାଞ୍ଚ କରି ଲୋକଙ୍କୁ ଛାଡ଼ିଥିଲା ପୋଲିସ । ଏପରିକି ଯେଉଁମାନେ ପାଣି ବୋତଲ ଧରି ସଭାକୁ ଯାଇଥିଲେ ଯାଞ୍ଚ ସମୟରେ ତାଙ୍କ ଠାରୁ ପାଣି ବୋତଲ କାଢ଼ି ନିଆଯାଇଥିଲା । ସେହିପରି କଳାପୋଷକ ପିନ୍ଧିଥିବା ବ୍ୟକ୍ତିଙ୍କୁ ସଭାସ୍ଥଳକୁ ଯିବାକୁ ବାରଣ କରାଯାଇଛି।

ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମ ବେଳେ ବିଜେପି ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି । କେଉଁଠି କଳାପୋଷାକ ପିନ୍ଧି ତ ଆଉ କେଉଁଠି କଳା ପତାକା ଦେଖାଇ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ପୋଲସରାରେ କଳା ପତାକା ଧରି ବିଜେପି କର୍ମୀ ସଚିବଙ୍କ ସଭାସ୍ଥଳକୁ ଯାଉଥିବା ବେଳେ ଅଟକାଇଥିଲା ପୋଲିସ । ଯାହାକୁ ନେଇ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତାପରେ ବିଜେଡି କର୍ମୀ ଓ ବିଜେପି କର୍ମୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି ।

ତେବେ ପାଣ୍ଡିଆନଙ୍କ ଗସ୍ତବେଳେ ଆସିଥିବା କେତେକ ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି । ସଚିବଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପୋଷାକର ରଂଗ ବଦଳି ଯାଇଛି । ଶୁକ୍ରବାର ଗୋଲାପି ଟି-ସାର୍ଟରେ ନଜର ଆସିଥିବା ସୁରକ୍ଷା କର୍ମୀ ଶନିବାର ନୀଳ ରଂଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ସେମାନେ ସଚିବଙ୍କ ପାଖେ ରହି ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି । ତେବେ ସଚିବଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପୋଷାକର ରଂଗ ବଦଳାଯିବା ପଛର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।