କନକ ବ୍ୟୁରୋ: ଏକବିଂଶ ଶତାବ୍ଦୀରେ ଏହି ବର୍ବର ଘଟଣା ସଭ୍ୟ ସମାଜ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ମାସ ତଳର ଏହି ବର୍ବରଚିତ ଭିଡିଓ ସାମନାକୁ ଆସିବା ପରେ ରାଜନୀତିର ବଡ଼ ପ୍ରସଙ୍ଗ ପାଲଟି ଯାଇଛି ।

Advertisment
  • ଦେଶକୁ ଦୋହଲାଇ ଦେଲା ମଣିପୁର ଘଟଣା
  • ସଡ଼କରୁ ସଂସଦ ସବୁଠି ଆଲୋଡ଼ନ

ଉଭୟ କେନ୍ଦ୍ର ଓ ମଣିପୁରରେ ବିଜେପିର ସରକାର ଥିବାରୁ ଘେରିଛନ୍ତି ବିରୋଧୀ । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ଇସ୍ତଫା ଦାବି କରିବା ସହ ସଂସଦର ଉଭୟ ସଦନରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାର ନିନ୍ଦା କରିଛନ୍ତି । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଖୁବ୍ ବ୍ୟଥିତ କରିଛି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି । ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଏଥିରେ ହସ୍ତକ୍ଷେପ କରିବ ସୁପ୍ରିମକୋର୍ଟ । ସେପଟେ ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେବାକୁ ଚିନ୍ତା କରାଯାଉଛି ।

ଦୁଇ ମାସରୁ ଅଧିକ ଦିନ ଧରି ମଣିପୁରରେ ହିଂସା ଜାରି ରହିଛି । ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ଏଭଳି ଘଟଣା ସାରାଦେଶରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ପରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଭାଇରାଲ ହେଉଥିବା ଭିଡିଓ ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ଏହାକୁ ସେୟାର ନକରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି । ଫେସବୁକ, ଟ୍ୱିଟର ଆଦି ସୋସିଆଲ ମିଡିଆରେ ଏହି ଭିଡିଓ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ମହିଳା କମିଶନ ଏହି ଘଟଣାକୁ ଗୁରୁତର ସହ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଣିପୁର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳାଙ୍କୁ ସମ୍ମାନ ଏବଂ ବେଟି ବଚାଓ, ବେଟି ପଢାଓ ନାରା ଉପରେ ଶକ୍ତ ଆଘାତ ଦେଇଛି ମଣିପୁରର ଏହି ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ୧୨ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି ମଣିପୁର ପୋଲିସ ।