କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ବଢିବାରେ ଲାଗିଛି ବିଲଡରମାନଙ୍କ ଦୌରାତ୍ମ୍ୟ । ସେମାନଙ୍କ ସହ ମିଶିଛନ୍ତି କିଛି ଜମି ମାଫିଆ । ନଦୀ ପଠାକୁ ବିକ୍ରି କରିବାକୁ ମଧ୍ୟ ପଛାଉ ନାହାନ୍ତି ଏହି ଜମି ଦଲାଲ । ଯାହା ଫଳରେ ନଦୀ ଉପରେ ତ ବିପଦ ମାଡ଼ି ଆସୁଛି, ଚାଷ ମଧ୍ୟ ଉଜୁଡ଼ି ଯାଉଛି । ବାଲିଅନ୍ତା ଅଂଚଳ ସରକଣା, ଅନ୍ଧଟି ମୌଜା ଦେଇ ବୋହିଥିବା ଧନୁଆ ନଦୀ ଓ ପଠା । ଏହି ଧନୁଆ ନଦୀର ପଠାରେ ଦୀର୍ଘ ଦିନ ଧରି ଚାଲିଛି ଜମି ପ୍ଲଟିଙ୍ଗ । ବିଲ୍ଡର ମାନେ କମ୍ ଟଙ୍କାରେ ଏହି ପଠା ଜମିକୁ କିଣି ଚଢ଼ା ଦରରେ ବିକ୍ରି କରୁଛନ୍ତି । ଜମି କିଣି ପାଚେରି ବୁଲାଇଲେଣି ଲୋକେ । ଯାହାର ସିଧା ସଳଖ ପ୍ରଭାବ ପଡୁଛି ଧନୁଆ ନଦି ଏବଂ ଚାଷୀଙ୍କ ଉପରେ ।

Advertisment

ବାଟ ଫିଟାଇବା ପାଇଁ ସରକାରି ଜମି, ଦଣ୍ଡା, ଗୋଚର, ନଦୀପଠା ଓ ପ୍ରାକ୍ୃୁତିକ ଜଳାଶୟକୁ ପୋତି ରାସ୍ତା ନିର୍ମାଣ କରୁଛନ୍ତି ବିଲଡର । ଧନୁଆ ନଦୀକୁ ଲାଗିଥିବା ପ୍ରାକୃତିକ ନାଳ ଗୁଡିକ ପୋତି ହେଇଯିବା ଏବଂ ନଦୀ ପଠାରେ ପାଚେରି, ଘର ଓ ରାସ୍ତା ନିର୍ମାଣ ହେବାରୁ ହୋଇପାରୁନି ଜଳ ନିଷ୍କାସନ । ଯାହାର ସିଧାସଳଖ ପ୍ରଭାବ ପଡୁଛି ଚାଷୀଙ୍କ ଉପରେ ।

ଯଦି ବନ୍ୟା ଆସିଲେ, ପାଣି ଏହି ପଠା ଦେଇ ଯାଇ ନପାରି ଗାଁ ଭିତରେ ପଶିଯିବା ଆଶଙ୍କାରେ ରହିଛନ୍ତି ଗ୍ରାମବାସୀ । ଏହି ସମସ୍ୟା ନେଇ ବାରମ୍ବାର ସ୍ଥାନୀୟ ବିଡିଓ, ତହସିଲଦାରଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ସମସ୍ତେ ଚୁପ୍ ହୋଇ ବସିଛନ୍ତିି । କେବଳ ଧନୁଆ ନୁହେ, ରାଜ୍ୟର ବିଭିନ୍ନ ନଦୀ ଗୁଡିକରେ ଏଭଳି ସମାନ ଅବସ୍ଥା । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଛନ୍ତି ପରିବେଶବିତ ।

ଏହି ସମସ୍ୟା ନେଇ ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗାଯେଗ କରାଯାଇଥିଲେ ମଧ୍ୟ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଏହି ସମସ୍ୟାର ସମାଧାନ ନହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି ।