ଗାଁକୁ ପକ୍କା ରାସ୍ତା ନାହିଁ ତ, ପଞ୍ଚାୟତ ନିର୍ବାଚନରେ ଭୋଟ୍ ନାହିଁ । ନେତାଙ୍କୁ ଚେତାବନୀ ଦେଲେ ଗାଁ ଲୋକ ।

129

କନକ ବ୍ୟୁରୋ: ଗାଁକୁ ପକ୍କା ରାସ୍ତା ନାହିଁ ତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ନାହିଁ । ନେତାଙ୍କୁ ଗାଁରେ ପଶିବାକୁ ଦେବୁନି । ଏଥର ଆଉ ପ୍ରତିଶ୍ରୁତି ଦେଇ ବୋକା ବନେଇ ପାରିବେ ନାହିଁ ରାଜନେତା । ରାସ୍ତା ନହେବା ଯାଏଁ ଭୋଟ କେନ୍ଦ୍ରକୁ ଯିବେ ନାହିଁ ଜନତା । ଏଭଳି ଚେତାବନୀ ଦେଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପାଟନାସୀ ଗାଁର ଲୋକେ ।

ପିଚୁ ରାସ୍ତା ନାହିଁ ତ ଭୋଟ୍ ନାହିଁ । ଗାଁକୁ ଭୋଟ ପ୍ରଚାର ଗାଡି ପ୍ରବେଶ ନିଷେଧ… ଆଉ ଚଳିବନି ନୀଚ ରାଜନୀତି, ମିଥ୍ୟା ପ୍ରତିଶ୍ରୁତି । ଏମିତି କିଛି ଲେଖା ହୋଇଥିବା ପୋଷ୍ଟର ସାରା ପାଟନାସୀ ଗାଁରେ ଲଗାଯାଇଛି । ଇଲେକଟ୍ରିକ୍ ପୋଲ ଓ କାନ୍ଥବାଡରେ ପୋଷ୍ଟର ମାରି ପ୍ରଶାସନ ଓ ରାଜନେତାଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଗ୍ରାମବାସୀ । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ପକ୍କା ରାସ୍ତା ନହେଲେ ଲୋକେ ଭୋଟ୍ ଦେବେ ନାହିଁ କି ରାଜନେତାଙ୍କୁ ଗାଁରେ ପୂରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପାଟନାସୀ ଗ୍ରାମବାସୀ ।

ପାଟନାସୀ ଗ୍ରାମବାସୀଙ୍କ ଅଭିଯୋଗ, ସେମାନଙ୍କ କଥା ଶୁଣୁନାହାନ୍ତି ଜନପ୍ରତିନିଧି କି ପ୍ରଶାସନିକ ଅଧିକାରୀ । ନିର୍ବାଚନ ସମୟକୁ ଛାଡି ଦେଲେ ଅନ୍ୟ କୌଣସି ସମୟରେ କେହି ଆସୁ ନାହାନ୍ତି । ପକ୍କା ରାସ୍ତାଟିଏ ପାଇଁ ବାରମ୍ବାର ଦାବି କଲେ ବି କେହି ଶୁଣନ୍ତି ନାହିଁ । କେବଳ ନିର୍ବାଚନ ସମୟରେ ଆସନ୍ତି ଏବଂ ପୁଳା ପୁଳା ମିଠା ପ୍ରତିଶ୍ରୁତି ଦିଅନ୍ତି । ଆଉ ଭୋଟ୍ ସରିଯିବା ପରେ ଲୋକଙ୍କ ସମସ୍ୟାକୁ ଭୁଲି ଯାଆନ୍ତି । ତେଣୁ ଏଥର ଆଉ ପ୍ରତିଶ୍ରୁତିକୁ ଭରସା କରି ଭୋଟ୍ ଦେବେ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।