କନକ ବ୍ୟୁରୋ: ଅର୍ଥବଳ,ବାହୁବଳ ବ୍ୟବହାର କରି ନେତା ନିର୍ବାଚନ ଜିତୁଥିବାର ଅନେକ ଅଭିଯୋଗ ହୋଇଥାଏ । ଭୋଟରମାନେ ଟଙ୍କା ନେଇ ମଦ-ମାଂସ ଖାଇ ଭୋଟ ଦେଉଥିବାରୁ ଅଞ୍ଚଳର ବିକାଶ ହେଉନଥିବା ଚର୍ଚ୍ଚାହୁଏ । କିନ୍ତୁ ଏହାରି ଭିତରେ,ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ପ୍ରଚାର ମଇଦାନ ସରଗରମ ଥିବାବେଳେ ସୁନ୍ଦରଗଡର କୁତ୍ରାରୁ ଆସିଛି ରୋଚକ ଖବର । ସରପଞ୍ଚ ବାଛିବା ପାଇଁ ଭୋଟରମାନେ ପ୍ରାର୍ଥୀଙ୍କ ପରୀକ୍ଷା କରାଇଛନ୍ତି ଆଉ କହିଛନ୍ତି, ଆଦିବାସୀ ଇଲାକାରେ ହୋଇଥିବା ଏହି ପରୀକ୍ଷା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
- ‘କୁତ୍ରା’ରୁ ଆସିଲା ସାରା ରାଜ୍ୟକୁ ବାର୍ତ୍ତା
- ପଞ୍ଚାୟତ ପାଇଁ ପରୀକ୍ଷା ଦେଲେ ପ୍ରାର୍ଥୀ
- ‘ଉତ୍ତର ଦିଅ, ଭୋଟ ନିଅ’
ସ୍କୁଲ ବାରଣ୍ଡାରେ ଚାଲିଥିବା ଏପରି ପରୀକ୍ଷା, ହୁଏତ ଅନ୍ୟ କୌଣସି ଅଞ୍ଚଳରେ ଦେଖିବାକୁ ମିଳିନଥିବ । ଗ୍ରାମବାସୀଙ୍କ ବିଭିନ୍ନ ପ୍ରଶ୍ନର ଲିଖିତ ଓ ମୈାଖିକ ଉତ୍ତର ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ । ସେମାନଙ୍କୁ ଘେରି ରହିଛନ୍ତି ଗ୍ରାମବାସୀ । ଆଉ ପରୀକ୍ଷାରେ ଯିଏ ସଫଳ ହେବେ, ତାଙ୍କୁ ମିଳିବ ଭୋଟ । ଏମିତି ରୋଚକ ଖବର ଆସିଛିି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ମାଲୁପଡ଼ା ଗ୍ରାମରୁ । କୁତ୍ରା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଲଢେଇ କରୁଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ଦେଉଛନ୍ତି ପରୀକ୍ଷା । ପଞ୍ଚାୟତର ଉନ୍ନତି ପାଇଁ କେଉଁ ପ୍ରାର୍ଥୀ ଯୋଗ୍ୟ ତାହାକୁ ପରଖୁଛନ୍ତି ଗ୍ରାମବାସୀ ।
ଲୋକ ପ୍ରତିନିଧି ଓ ନେତାଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ହେବା ଉଚିତ, ଏହାକୁ ନେଇ ସବୁବେଳେ ବିତର୍କ ଚାଲି ଥିବା ବେଳେ, ଆଦିବାସୀ ବହୁଳ ଏହି ଅଞ୍ଚଳବାସୀଙ୍କ ଏଭଳି ପରୀକ୍ଷା ନେତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚାଲିଥିବା ପୁଣି ନୂଆ ବିତର୍କ ସୃଷ୍ଟି କରିଛି । ନଜର ପକାନ୍ତୁ କ’ଣ ଥିଲା ସରପଞ୍ଚ ପ୍ରାର୍ଥୀଙ୍କୁ ମାଲୁପଡ଼ାର ଗ୍ରାମବାସୀଙ୍କ ପ୍ରଶ୍ନ
୧. ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ଟି ଉଦ୍ଦେଶ୍ୟ କ’ଣ?
୨. ଯଦି ସରପଞ୍ଚ ଭାବେ ନିର୍ବାଚିତ ହେବେ, ଆଗାମୀ ୫ ବର୍ଷ ପାଇଁ କ’ଣ କରିବେ?
୩. ଆପଣ ଲୋକଙ୍କ ସେବା କରିବାକୁ ଆସିଛନ୍ତି, ତେବେ ପୂର୍ବରୁ କରିଥିବା ୫ଟି ନିଃସ୍ୱାର୍ଥ ସେବା କ’ଣ ?
୪. ଏବେ ଯେମିତି ଘର ଘର ବୁଲି ଭୋଟ ମାଗୁଛନ୍ତି, ନିର୍ବାଚିତ ହେବା ପରେ ଘର ଘର ବୁଲି ସମସ୍ୟା ସମାଧାନ କରିବେ କି?
୫. ଆପଣଙ୍କ ସ୍ୱପ୍ନର ଗ୍ରାମ ପଞ୍ଚାୟତ କିଭଳି ହେବା ଆବଶ୍ୟକ?
୬. ଆପଣଙ୍କ ଗ୍ରାମ ପଞ୍ଚାୟତରେ କେତେ ଗ୍ରାମ, କେତେ ୱାର୍ଡ ଅଛି ଓ ମୋଟ ଜନସଂଖ୍ୟା କେତେ ?
୭. ପୂର୍ବ ସରପଞ୍ଚଙ୍କ ବାବଦରେ ବର୍ଣ୍ଣନା କର ।
ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ଗ୍ରାମବାସୀ କରିଥିବା ଏହି ପରୀକ୍ଷାରେ କିନ୍ତୁ ପାସ କରିଛନ୍ତି ୩ ଜଣ ପ୍ରାର୍ଥୀ । ଏବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ନିର୍ବାଚିତ କରିବାକୁ ଭୋଟ ଦେବେ ମତଦାତା ।ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ନେତା ଭୋଟ ହାତଉଥିବା ଅଭିଯୋଗ ହୋଇଥାଏ । ଭୋଟର ମଧ୍ୟ ବ୍ୟକ୍ତିଗତ ସୁବିଧା ପାଇଁ ଭୋଟ ଦେଉଥିବା ଦେଖାଯାଏ । କିନ୍ତୁ ନିଜ ପଞ୍ଚାୟତର ଉନ୍ନତି ପାଇଁ ସୁନ୍ଦରଗଡର ଏହି ଅଖ୍ୟାତ ପଲ୍ଲୀର ବାସିନ୍ଦା କରିଥିବା ଏହି ଉଦ୍ୟମ ସାରା ରାଜ୍ୟରେ ଏକ ଉଦାହରଣ ସୃଷ୍ଟି କରିଛି ।