କନକ ବ୍ୟୁରୋ : ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଓଡ଼ିଶା ସୀମାରେ ଥିବା ଲୋକେ ଆନ୍ଧ୍ର ମୁହାଁ ହେବାରେ ଲାଗିଛନ୍ତି । ବିଶେଷକରି କୋରାପୁଟ ଜିଲ୍ଲାର ଚାଟୁଆ ପଞ୍ଚାୟତର ଲୋକେ ଆନ୍ଧ୍ର ଆଡ଼କୁ ମୁହାଁଇଛନ୍ତି । ଏଠାରେ ଥିବା କେବଳ ସାଇନ ବୋର୍ଡ ଉଭୟ ରାଜ୍ୟର ସୀମା ରେଖାକୁ ନିର୍ଦ୍ଧାରଣ କରୁଛି । ଚାଟୁଆ ଗାଁରେ ୪୦୦ ପରିବାର ରହୁଛନ୍ତି ।

Advertisment

ଗ୍ରାମବାସୀ ସଦର ମହକୁମା ଠାରୁ ବହୁ ଦୂରରେ ରହିଥିବାରୁ ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ସେମାନେ କହିଛନ୍ତି । ଓଡ଼ିଶା ଯୋଜନା ତୁଳନାରେ ଆନ୍ଧ୍ର ଯୋଜନା ଅଧିକା ଓ ଭଲ । ଏହି ଗାଁରେ ସରକାରୀ ବାବୁଙ୍କ ପାଦ ପଡ଼ୁ ନାହିଁ । ଗାଁଟି ସବୁ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ରହୁଥିବାରୁ ଏମାନେ ଆନ୍ଧ୍ର ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି । ଗାଁରେ ବଡ଼ ସମସ୍ୟା ହେଉଛି ପାଣି । ପାଣି ପାଇଁ ଗାଁର ମହିଳାମାନେ ମାଇଲ ମାଇଲ ଧରି ଚାଲୁଛନ୍ତି ।

ଏମାନଙ୍କ କହିବା କଥା ହେଲା, ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି କିନ୍ତୁ ଦାୟିତ୍ୱରେ ରହିଥିବା ଅଧିକାରୀ ପାଳନ କରୁନାହାନ୍ତି । ପୂର୍ବରୁ ଏହି ପଞ୍ଚାୟତରେ ଥିଲା ବୋରା ଗୁମ୍ଫା । ଯାହା ଆନ୍ଧ୍ର ବୋରା କେଭ୍ ନାଁରେ ରାଜସ୍ୱ ଆଦାୟ କରୁଛି । ଏବେ ଏହି ବୋରା ସହ ଆହୁରି ୭ଟି ଗାଁକୁ ମଧ୍ୟ ଆନ୍ଧ୍ର କବଜା କରିସାରିଲାଣି । ଆଗକୁ ରାଇପାହାଡ଼ ଗାଁ ମଧ୍ୟ ଆନ୍ଧ୍ରରେ ମିଶିଯିବାର ସମ୍ଭାବନା ରହିଛି ।