କନକ ବ୍ୟୁରୋ : ଶୁଣିଲାନି ପ୍ରଶାସନ, ଶୁଣିଲେ ନାହିଁ ସରପଞ୍ଚ । ରାସ୍ତା ଖଣ୍ଡିଏ ପାଇଁ ଗୁହାରି କରି ଥକିଗଲେ ଗାଁ ଲୋକେ । ଶେଷରେ ପ୍ରଶାସନ ଉପରୁ ତୁଟିଲା ଭରସା । ରାସ୍ତା ପାଇଁ ବର୍ଷା ଦିନେ ହନ୍ତସନ୍ତ ହେବାପରେ ଏକାଠି ହେଲେ ଗାଁ ଲୋକେ । ଆଉ ନିଜ ପାଇଁ ନିଜେ ରାସ୍ତା ତିଆରି କରି ଅନ୍ୟ ପାଇଁ ଉଦାହରଣ ପାଲଟିଲେ ।

Advertisment

ମୟୂରଭଂଜ ବହଳଦା ବ୍ଲକ୍ ଯଶିପୁର ପଞ୍ଚାୟତର ରଙ୍ଗାମାଟିଆ ଗାଁ । ପୁରା ଗାଁ ଲାଗିଛି କାମରେ । କିଏ ମାଟି ହାଣୁଛନ୍ତି ତ ଆଉ କିଏ ମାଟି ବୋହି ନେଇ ରାସ୍ତା ଉପରେ ପକାଉଛନ୍ତି । ଗାଁ ରାସ୍ତା ମରାମତି କରିବା ପାଇଁ ଗ୍ରାମବାସୀ ଲାଗିପଡିଛନ୍ତି । ନିଜ ଅର୍ଥ ଓ ନିଜ ଶ୍ରମ ଦାନରେ ରାସ୍ତା ତିଆରି କରି ପ୍ରଶାସନର ଗାଲକୁ ଶକ୍ତ ଚାପୁଡା ମାରିଛନ୍ତି ରଙ୍ଗାମାଟିଆ ଗ୍ରାମବାସୀ । ପରିବାର ପିଛା ୨ଶହ ଟଙ୍କା ଲେଖାଏଁ ଚାନ୍ଦା କରି ଟ୍ରାକ୍ଟରରେ ମାଟି ବୋହି ଆଣି ରାସ୍ତା ମରାମତି କରାଯାଇଛି ।

ରଙ୍ଗାମାଟିଆ ଗାଁରେ ରହୁଛନ୍ତି ୧୦୦ରୁ ଉର୍ଦ୍ଧ ପରିବାର । ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ରାସ୍ତା କାଦୁଅ ପଚପଚ ହୋଇଯାଉଛି । ଭଲ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖ ହୁଅନ୍ତି ଲୋକେ । ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ପହଂଚି ପାରେନାହିଁ । ପ୍ରସୂତୀ ଓ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଅଧ କିଲୋମିଟର ଖଟିଆରେ ବୋହି ନେବାକୁ ପଡେ । ଛାତ୍ରଛାତ୍ରୀ ମଧ୍ୟ କାଦୁଅ ରାସ୍ତାରେ ସ୍କୁଲ ଯିବା ଆସିବା କରନ୍ତି । ତେଣୁ ରାସ୍ତା ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ନିରାସ ହୋଇଥିବା ଅଭିଯୋଗ କରିଛନ୍ତି ।

ରାସ୍ତା ତିଆରି କରିବା ପରେ ମଧ୍ୟ ପ୍ରଶାସନ ରାସ୍ତା ପ୍ରତି ଦ୍ୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ଲକ୍ ଓ ପଂଚାୟତ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ସରପଂଚଙ୍କୁ ଯୋଗାଯୋଗ କରିବାରୁ ସେ କ୍ୟାମେରା ସାମନାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।