ନବରଙ୍ଗପୁରରେ ଛତିଶଗଡ଼ ଯୁବକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କଲେ ଗ୍ରାମବାସୀ। ରାଇଘର ଥାନାର ଦ୍ୱାରସ୍ଥ ହେଲେ ହଜାର ହଜାର ଲୋକ।

126

କନକ ବ୍ୟୁରୋ: ମାଓବାଦୀ ଓ ପୁଲିସ ଗୁଳିବିନିମୟ ବେଳେ ଦୁଇ ଛତିଶଗଡ଼ ଯୁବକଙ୍କୁ ଉଠାଇ ଆଣିଛି ଓଡ଼ିଶା ପୁଲିସ । ମାଓବାଦୀ ଭାବି ପୁଲିସ ନିରୀହ ଲୋକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରି ରାଇଘର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛତିଶଗଡ଼ର ଜନତା । ଶତାଧିକ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି । ଗତ ୨୫ ତାରିଖ ଓଡିଶା-ଛତିଶଗଡ ସୀମାନ୍ତ ଗୋରିଆବନ୍ଧ ଜିଲ୍ଲା ଶୋଭା ସ୍ଥିତ ସାଇବାନୀ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ଓଡ଼ିଶା ପୁଲିସ, ଛତିଶଗଡ଼ର ଦୁଇ ଯୁବକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରି ନବରଙ୍ଗପୁର ରାଇଘର ଥାନା ଆଗରେ ପହଞ୍ଚିଛନ୍ତି ଶୋଭା ଥାନା ଅଞ୍ଚଳର ୮ଟି ପଞ୍ଚାୟତର ଲୋକ । ପ୍ରାୟ ୪ ଶହରୁ ଅଧିକ ଗ୍ରାମବାସୀ ରାଇଘର ଥାନାରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପୁଲିସ ଆଣିଥିବା ନିରୀହ ଯୁବକଙ୍କୁ ତୁରନ୍ତ ଛାଡ଼ିଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ପୁଲିସ ଉଠାଇ ଆଣିଥିବା ଯୁବକ ଦୁଇଜଣ ହେଲେ ମୋତିପାଣି ଗାଁର ୩୧ ବର୍ଷୀୟ ହେମଲାଲ୍ ନାଗେଶ ଓ ଭୁତବେଡ଼ା ଗାଁର ୨୦ ବର୍ଷୀୟ ପ୍ରକାଶ ମାର୍କମ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସେମାନେ ଗତକାଲି ଜଙ୍ଗଲକୁ ଶିଆଳି ଦଉଡ଼ି ଆଣିବାକୁ ଯାଇଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଛି । ସେମାନଙ୍କୁ ପୁଲିସ କବଳରୁ ମୁକାଳିବା ପାଇଁ ଗ୍ରାମବାସୀମାନେ ପ୍ରଥମେ ଫୁଟାନଡ଼ାଠାରେ ଥିବା ସିଆରପିଏଫ କ୍ୟାମ୍ପକୁ ଯାଇଥିଲେ । କିନ୍ତୁ ସେମାନଙ୍କୁ ରାଇଘର ପୁଲିସ ନବରଙ୍ଗପୁର ପଠାଇଥିବା ଜାଣିବା ପରେ ସମସ୍ତେ ରାଇଘର ଥାନା ସମ୍ମୁଖରେ ରୁଣ୍ଡ ହୋଇଥିଲେ । ବେଶ କିଛି ସମୟ ଧରି ପୁଲିସ ସହ ଗ୍ରାମବାସୀ ଆଲୋଚନା କରିଛନ୍ତି । ସେପଟେ ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର କହିଛନ୍ତି, ଗ୍ରାମବାସୀ କହୁଥିବା ଦୁଇ ଜଣ ଯୁବକଙ୍କ ବିଷୟରେ ପୁଲିସ ନିକଟରେ କୌଣସି ସୂଚନା ନାହିଁ ।