ଶ୍ମଶାନ ଦାବିରେ ପଞ୍ଚ ପାଇକ ପୀଠରେ ତାଲା ପକାଇଲେ ଗ୍ରାମବାସୀ । ପୀଠ ବାହାରେ ଉଡିଲା ତ୍ରିରଙ୍ଗା ପତାକା ।

62

କନକ ବ୍ୟୁରୋ: ଶ୍ମଶାନ ଦାବିରେ ପଞ୍ଚ ପାଇକ ପୀଠରେ ତାଲା ପକାଇ ପ୍ରତିବାଦ କଲେ ଗ୍ରାମବାସୀ । ତାଲା ପଡ଼ିବା କାରଣରୁ ପୀଠ ବାହାରେ ଉଡ଼ିଲା ତ୍ରିରଙ୍ଗା । ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧା ଗଡ଼ । ଇଂରେଜ ବିରୁଦ୍ଧରେ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ସାଜିଥିଲେ ପଞ୍ଚ ପାଇକ । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟଶାଣି ଓ ମାଧବ ଚନ୍ଦ୍ର ରାଉତରାୟ ବୀରତ୍ୱର ପ୍ରତୀକ ।

ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଖୋର୍ଦ୍ଧା ଗଡ଼ ଛକରେ ଥିବା ପଞ୍ଚ ପାଇକଙ୍କ ପ୍ରତିମୂର୍ତିକୁ ନିକଟସ୍ଥ ଗଡ଼ ବାଉରୀ ସାହି ଶ୍ମଶାନ ନିକଟକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ । ଗଡ଼ ବାଉରୀ ସାହିବାସିନ୍ଦାଙ୍କୁ ଅନ୍ୟତ୍ର ଶ୍ମଶାନ ଜାଗା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା । ଶ୍ମଶାନ ଜମି ଯୋଗାଇଦେବାକୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇ ନିରାଶ ହେବା ପରେ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚ ପାଇକ ପୀଠକୁ ତାଲା ପକାଇ ପ୍ରତିବାଦ କରଥିଲେ ଗ୍ରାମବାସୀ । ଖବର ପାଇ ଖୋର୍ଦ୍ଧା ତହସିଲଦାର ପଞ୍ଚପାଇକ ପୀଠରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ୧୫ ଦିନ ମଧ୍ୟରେ ଜାଗା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ବାସିନ୍ଦା ତାଲା ଖୋଲିଥିଲେ ।