ଗାଁ ଲୋକଙ୍କ ଚିନ୍ତା ବଢାଉଛି ଖରସ୍ରୋତା । ପ୍ରତିବର୍ଷ ଅତଡା ଖାଉଛି, ପଥର ପାକିଂ ସହ ବନ୍ଧ ନିର୍ମାଣ ପାଇଁ ଜୋରଧରିଲା ଦାବି

184

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଖରସ୍ରୋତ ନଦୀ । ଆତଙ୍କରେ ଗାଁ ଲୋକ । ଗାଁକୁ ସୁରକ୍ଷା ଦେବାକୁ ନାହିଁ ନଦୀ ବନ୍ଦ । ଅତଡ଼ା ଖସି ଧୀରେ ଧୀରେ ନଦୀ ଗର୍ଭକୁ ଚାଲିଗଲାଣି ପୁରା ଗାଁ । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଯାଜପୁର କୋରାଇ ବ୍ଲକ ବଡତ୍ରିଲୋଚନପୁର ଗାଁ ଲୋକ । ପୂର୍ବରୁ ଅନେକ ସମୟରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ଏହି ଗାଁର ଲୋକେ ।

ଗାଁ କଡ଼ରେ ବହି ଯାଇଛି ବ୍ରାହ୍ମଣୀର ଶାଖା ନଦୀର ଖରସ୍ରୋତ । ନଦୀ ବନ୍ଧ ନଥିବାରୁ ପ୍ରତି ବର୍ଷ ନଦୀରେ ପାଣି ଅତଡ଼ା ଖାଇ ଗାଁରେ ବନ୍ୟାଜଳ ପ୍ରବେଶ କରି ଅନେକ କିଛି କ୍ଷୟକ୍ଷତି ଘଟାଏ । ବହୁ ଧନ ଜୀବନ ନଷ୍ଟ ହୁଏ । ଉଜୁଡ଼ି ଯାଏ ଚାଷୀର ପରିଶ୍ରମ । ନଷ୍ଟ ହୋଇଯାଏ ଏକର ଏକର ପନିପରିବା ଚାଷ । ତେଣୁ ଯଥାଶିଘ୍ର ଏଠାରେ ବନ୍ଧ ନିର୍ମାଣ କରାଯିବା ସହ ପଥର ପାକିଂ କରିବାକୁ ଗାଁ ଲୋକ ଦାବୀ କରିଛନ୍ତି ।