ବୀରପୁଅକୁ ଝୁରୁଛି ଗାଁ, ସହିଦ ଦେବାଶିଷ ବିଶ୍ୱାଳଙ୍କ ପାଇଁ କାନ୍ଦୁଛି ଜନ୍ମମାଟି । ପରିବାର ଉପରେ ଖସିପଡିଛି ଦୁଃଖର ପାହାଡ଼ ।

1,235

କନକ ବ୍ୟୁରୋ: ଦେଶର ସୁରକ୍ଷା ପାଇଁ ଘରୁ ବାହାରି ଯାଇଥିବା ପୁଅର ସହିଦ ଖବର ଯେତେ ଘରେ ପହଞ୍ଚିଛି, ଖବରଟି ଚଡ଼କ ଭଳି ପରିବାର’ର ମୁଣ୍ଡରେ ଛିଣ୍ଡିପଡ଼ିଛି । ଅପ୍ରତ୍ୟାଶିତ ଓ ଅବିଶ୍ୱନୀୟ ଖବରଟି ପୁରା ଅଳଗୁମ ପଞ୍ଚାୟତକୁ ଚହଳାଇ ଦେଇଛି । ଘର, ଗାଁ, ସାମଗ୍ରିକ ଭାବେ ପୁରୀ ଜିଲ୍ଲାକୁ ଶୋକରେ ବୁଡ଼ାଇ ଦେଇଛି ।ଏଇ କିଛି ମାସ ତଳେ ଘରରକୁ ଆସିଥିଲେ ଦେବାଶିଷ ବିଶ୍ୱାଳ । କୁନି ଝିଅର ଜନ୍ମଦିନରେ ପ୍ରତିଶ୍ରୁତି ଦେଇ କହିଥିଲେ, ପୁଣି ସମୟ ମିଳିଲେ ସୀମାରୁ ଫେରିଥିବେ । ଦିନକ ପରେ ଦେବାଶିଷ ବିଶ୍ୱାଳ ଏବଂ ପତ୍ନୀ ସୁଶ୍ରୀ ସଙ୍ଗୀତା ବିଶ୍ୱାଳର ପ୍ରଥମ ବିବାହ ବାର୍ଷିକୀ ପାଳିଥାନ୍ତେ । ହେଲେ ତାପୂର୍ବରୁ ଦେବାଶିଷ ମା’ମାଟିର ସୁରକ୍ଷା ପାଇଁ ସବୁଦିନ ପାଇଁ ସହିଦ ହୋଇଯାଇଛନ୍ତି ।

ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଯେତେବେଳେ ଆମ ପ୍ରତିନିଧି ପହଞ୍ଚିଥିଲେ, ଦେବାଶିଷଙ୍କ ବିୟୋଗ ଖବରର ବିସାଦରେ ବୁଡ଼ି ରହିଥିଲା ପୁରା ଗାଁ । ସାଙ୍ଗ ସାଥୀ ଝୁରୁଥିଲେ, ଆତ୍ମୟୀ ସ୍ୱଜନ ଝୁରୁଥିଲେ । ପରିବାର ଲୋକଙ୍କ ଅବସ୍ଥା ତ’ ଆଖିରେ ଦେଖି ହେଉନଥିଲା ।

ଦେଶର ସୁରକ୍ଷା ପାଇଁ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଭାବେ ଆତଙ୍କବାଦୀ ନିରୋଧ ଅପରେସନରେ ସାମିଲ ଥିଲେ ଓଡ଼ିଆ ଯବାନ ଲାନ୍ସ ନାଏକ୍ ଦେବାଶିଷ ବିଶ୍ୱାଳ । ହେଲେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଓଡ଼ିଶାର ଦେବାଶିଷଙ୍କ ସମେତ ୪ ଜଣ ଯବାନଙ୍କୁ ବଳିଦାନ ଦେବାକୁ ପଡ଼ିଛି । ଏହି ଘଟଣାରେ ପଞ୍ଜାବର ହାବିଲଦାର ମନଦୀପ ସିଂ, ଲାନ୍ସ ନାଏକ କୁଲୱନ୍ତ ସିଂ, ସିପାହୀ ହରକ୍ରିଷନ ସିଂ ଏବଂ ସେବକ ସିଂ ସହିଦ ହୋଇଛନ୍ତି । ଓଡ଼ିଶା ଭଳି ପଞ୍ଜାବର ସହିଦ ପରିବାରରେ ମଧ୍ୟ ଦେଖିବାକୁ ମିଳିଛି ଶୋକାକୂଳ ପରିବେଶ ।

ଯେତେବେଳେ ବି ଯବାନ ଦେହରୁ ରକ୍ତ ଝରେ, ସେହି ରକ୍ତ ଦେଶର ୧୪୦ କୋଟି ଜନତାଙ୍କ ଦେହରେ ନିଆଁ ଲଗାଇଦିଏ । ଆଜି ପୁଣି ଥରେ ସେଇଆ ଘଟିଛି ।ଯବାନଙ୍କ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ସୀମାର ସୁରକ୍ଷା ପାଇଁ, ଦେଶବାସୀଙ୍କ ସୁରକ୍ଷା ପାଇଁ ବଳିଦାନକୁ ଆଜି ସଲାମ୍ କରୁଛି ସାରା ଦେଶ ।