କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟ୍ ବର୍ଜନର ଧମକ, ନିର୍ବାଚନ ପୂର୍ବରୁ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ନହେଲେ କରାଯିବ ଭୋଟ୍ ବର୍ଜନ। ଦୀର୍ଘ ବର୍ଷ ପରେବି ନିଜର ମୌଳିକ ଅଧିକାର ରୁ ବଞ୍ଚିତ ଅଞ୍ଚଳବାସୀ। ରହିବା ପାଇଁ ଘର ନାହିଁ, ପିଇବା ପାଇଁ ପାଣି ନାହିଁ ,ଚିକିତ୍ସ ପାଇଁ ଡାକ୍ତର ନାହିଁ ତେଣୁ ଏମିତି ଅନେକ ସମସ୍ୟାର ସମାଧାନ ପାଇଁ ଆଜି ଜିଲ୍ଲାର ବିଭିନ୍ନ ବ୍ଲକ୍ ଘେରାଉ କରିଛନ୍ତି ଜିଲ୍ଲା ବାସୀ। ରାଜନୀତିର ଛକାପଞ୍ଝା ଭିତରେ ପେଷି ହୋଇଯାଉଛନ୍ତି ସାଧାରଣ ଜନତା। ଗରିବ ନିମ୍ନଗାମୀ ହେଉଥିବା ବେଳେ ଧନୀ ଉର୍ଧଗାମୀ ହେବାରେ ଲାଗିଛି। ତେଣୁ ନିଜ ସମସ୍ୟା ସମାଧାନର ଚାବି କାଠି ଏବେ ନିଜ ହାତ ମୁଠାରେ ରଖିବା ପାଇଁ ପଣ କରିଛନ୍ତି ମତଦାତା। କାମ ନାହିଁ ତ ଭୋଟ୍ ନହିଁ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜର ଦାବିପତ୍ର ପଧ୍ୟ ପଠାଇଛନ୍ତି।
ଭୋଟ ବର୍ଜନ ଚେତାବନୀ ଦେଇ ବ୍ଲକ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା । ବୋତଲରେ ଗୋଳିଆ ପାଣି ରଖି, ହାତରେ ପ୍ଲା-କାର୍ଡ ଧରି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି ଗ୍ରାମବାସୀ । ଏମାନେ ହେଉଛନ୍ତି ମୟୂରଭଂଜ ଜିଲ୍ଲା ବାରିପଦା ବ୍ଲକ ଅଧିନସ୍ଥ ବିଭିନ୍ନ ଗାଁର ଅଧିବାସୀ । ଦୀପତଳ ଅନ୍ଧାର ଭଳି, ବାରିପଦା ସହରକୁ ଲାଗି ରହିଥିବା ଗାଁକୁ ରାସ୍ତା ନାହିଁ, ପିଇବା ପାଣିର ସୁବିଧା ନାହିଁ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ବିଭିନ୍ନ ମୌଳିକ ସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେଣୁ ଏଥରର ପଂଚାୟତ ନିର୍ବାଚନ ଆଗରୁ ଗାଁ ସମସ୍ୟାର ସମାଧାନ ନହେଲେ ଲୋକେ ମତଦାନ କେନ୍ଦ୍ରକୁ ଯିବେ ନାହିଁ ଚେତାବନୀ ଦେଇଛନ୍ତି ।
ବୁଢାବଳଙ୍ଗ ନଦୀ କୂଳରେ ରହିଛି ଶ୍ୟାମଖୁଂଟା ବ୍ଲକର ବାଉଁଶବିଲା ଓ ପୋଡାଅସ୍ତିଆ ପଂଚାୟତର ଅନେକ ଗାଁ । ନଦୀ କୂଳ ଖାଇ ଗାଁ ଆଡକୁ ମାଡି ଆସୁଥିବା ବେଳେ ଲୋକେ ପଲିଥିନ ତଳେ ରହୁଛନ୍ତି । ହେଲେ ପ୍ରଶାସନର ନଜର ପଡୁନଥିବାରୁ ପଂଚାୟତ ସମିତି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକେ ।
କୁଣ୍ଡାବାଇ ପଂଚାୟତର ବାଲମା, ତଳବାଲମା, ମାତକାମବିର ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନଦୀ ପ୍ରତିବନ୍ଧକ ସାଜିଛି । ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ କେହି ଶୁଣୁନାହାନ୍ତି । ତେଣୁ ତାତି ଉଠିଛନ୍ତି ଗ୍ରାମବାସୀ । ଭୋଟ ବର୍ଜନ ନିଷ୍ପତି ନେଇ ଉଦଳା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଗ୍ରାମବାସୀ ।
ମୌଳିକ ସୁବିଧା ପାଉନଥିବା ଗ୍ରାମବାସୀ ଭୋଟ ବର୍ଜନ ନେଇ ଧମକ ଦେଉଥିବା ବେଳେ ଏ ବାବଦରେ ମୁହଁ ଖୋଲି ନାହାନ୍ତି ବାରିପଦା ବିଡିଓ । ଶ୍ୟାମଖୁଂଟା ବିଡିଓ ମଧ୍ୟ ଘଟଣାକୁ ଏଡାଇ ଯିବାକୁ ଚେଷ୍ଟା କରିଛନ୍ତି । କେବଳ ଏହି ୩ଟି ବ୍ଲକ ନୁହେଁ ଜିଲ୍ଲାର ୧୨ଟି ବ୍ଲକରେ ଭୋଟ୍ ବର୍ଜନ ନେଇ ହଜାର ହଜାର ଭୋଟର ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ।
Follow Us