ଗାଁରେ ସପ୍ତାହକୁ ଥରେ ଆସୁଛି ପାଇପ୍ ପାଣି । ଶୋଷ ମେଣ୍ଟାଇବାକୁ ବର୍ଷ ତମାମ୍ ପଡୋଶୀ ଗାଁ ଭରସା

58

କନକ ବ୍ୟୁରୋ: ପାଣି ଦିଅ ଭୋଟ ନିଅ । ପାଣି ନାହିଁ ତ ଭୋଟ ନାହିଁ । ଏଭଳି ଏକ ଖବର ଆସିଛି କୋରାପୁଟ ବୋରିଗୁମ୍ମା ବ୍ଳକର ବାମୁଣିଆଗୁଡ଼ା ଗାଁରେ । ଗାଁରେ ନାହିଁ ଜଳଉତ୍ସ । ନଳକୂଅ ନଥିବା ବେଳେ ପାଇପ୍ ପାଣି ଦନେ ଆସିଲେ ସପ୍ତାହେ ନାହିଁ । ତେଣୁ ଗାଁ ଠାରୁ ୩ କିଲୋମିଟର ଚାଲିଲେ ମିଳୁଛି ମୁନ୍ଦାଏ ପିଇବା ପାଣି ।

ପାଣି ହାଣ୍ଡି ଧରି ଲମ୍ବା ଧାଡ଼ିରେ ମହିଳା । ଆଉ ଘରର ପୁରୁଷମାନେ କିଏ ସାଇକେଲରେ ତ ଆଉ କିଏ ବାହୁଙ୍ଗୀରେ ପାଣି ବୋହୁଛନ୍ତି । ଥରୁଟିଏ ପାଣି ଆଣିଲେ ଦିନକର ଶୋଷ ମେଣ୍ଟୁଛି । ଖରା ଦାଉରୁ ରକ୍ଷା ପାଇବା ପାଇଁ ତରତର ହୋଇ ପାଣି ପାଇଁ ଯାଉଛନ୍ତି । କାରଣ ଘର ଠାରୁ ୩ କିଲୋମିଟର ଦୂରକୁ ଯିବାକୁ ପଡୁଛି । ଆଉ ଏ କଷ୍ଟ ଦିନେ କି ଦୁଇ ଦିନର ନୁହେଁ, ବର୍ଷ ବର୍ଷର । ପାଣି ପାଇଁ ଦହଗଞ୍ଜ ହେଉଛନ୍ତି କୋରାପୁଟ ବୋରିଗୁମ୍ମା ବ୍ଳକର ବାମୁଣିଆଗୁଡ଼ାର ୩ଶହ ପରିବାର ।

  • ଗାଁକୁ ଘାରିଛି ପାଣି ଚିନ୍ତା
  • ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର
  • ପାଣି ପାଇଁ ପଡୋଶୀ ଗାଁ ଭରସା

ଅନେକ ସମୟରେ ନେତା ଓ ଅଧିକାରୀ ଗାଁକୁ ଆସନ୍ତି, ଗ୍ରାମବାସୀଙ୍କ ଗୁହାରୀ ଶୁଣନ୍ତି, ବଡବଡ ପ୍ରତିଶ୍ରୁତି ଦିଅନ୍ତି । ହେଲେ କେହି କେବେ କିଛି କରିନାହାନ୍ତି । ତେଣୁ ଆଜି ବି ପଡୋଶୀ ଡ଼ାବାଗାଁ ଗାଁରୁ ପାଣି ଆଣି ତୃଷ୍ଣା ମେଂଟାଉଛନ୍ତି । ହେଲେ ଏବେ ଆଉ କାହାରି ମିଛ ପ୍ରତିଶ୍ରୁତିରେ ଭଳି ଯିବାର ନାହିଁ ବୋଲି ନିଷ୍ପତି ନେଇଛନ୍ତି ବାମୁଣିଆଗୁଡ଼ା ଗ୍ରାମବାସୀ । ନିର୍ବାଚନ ବେଳେ ନେତାଙ୍କୁ ଜବାବ ଦେବେ ବୋଲି କହୁଛନ୍ତି ଗ୍ରାମାବସୀ । ଘର ଘରକୁ ପିଇବା ପାଣି ଯୋଗାଇବା ପାଇଁ ବାମୁଣିଆଗୁଡ଼ା ଗାଁରେ ପାଇପ ଲାଇନ ବିଛାଯାଇଛି । ସେଥିରୁ ଦିନେ ପାଣି ବାହାରିଲେ, ସପ୍ତାହେ ନାହିଁ । ତେଣୁ ଏହାର ଜବାବ ଏଥର ଭୋଟରେ ପ୍ରତିଫଳନ ହେବ ବୋଲି ଚେତାଇ ଦେଇଛନ୍ତି ଶୋଷିଲା ମଣିଷ ।