କନକ ବ୍ୟୁରୋ : ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି କିଛିଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି । କନକ ନ୍ୟୁଜ ହାତରେ ସେହି ସମୟର ଏକ ଫଟୋ ଲାଗିଛି । ନାବାଳିକାଙ୍କୁ ଏକ ଦଉଡି ସାହାଯ୍ୟରେ ବିଜୁଳି ଖୁଣ୍ଟରେ ବାନ୍ଧି ଦିଆଯାଇଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ବିଚଳିତ କରିଛି ଏହି ଘଟଣା ।
ପୀଡିତା ପରିବାରର ଅଭିଯୋଗ ଆଧାରରେ ପୋଲିସ ୭ ଜଣଙ୍କୁ ଗିରଫ କରି ତନାଘନା ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ, ନୟାଗଡ ରଣପୁର ଥାନା ହିଞ୍ଜିଳଗାଡିଆ ଗାଁର ତପନ ପରିଡାଙ୍କ ପୁଅ ବାବୁ ୩ ମାସ ତଳେ ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଏନେଇ ପୀଡିତା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଜଣାଇଥିଲେ । ହେଲେ ସେତେବେଳେ ମାମଲାର ସମାଧାନ କରାଯିବ କହି ପଞ୍ଚାୟତ ନିର୍ବାଚନ ଆଳରେ ସମୟ ଗଡାଇ ଚାଲିଥିଲେ । ନିର୍ବାଚନ ସରିବା ପରେ ମଧ୍ୟ କେହି ପୀଡିତା ପରିବାରର କଥା ଶୁଣିନଥିଲେ । ବାଧ୍ୟ ହୋଇ ପୀଡିତା ପରିବାର ନ୍ୟାୟ ଆଶାରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ସେହି ଗାଁର ସୌଭାଗ୍ୟ ବେହେରା ଓରଫ ବାବାଜି, କୈଳାସ ପରିଡା ଓରଫ ବାବୁଲା, ରବି ପରିଡା ଓରଫ ଟୁଙ୍ଗା, ବିନ ମିତା, ସିପୁ ତୋଟାଳ ପ୍ରମୁଖ ମିଶି ଅଭିଯୋଗକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ଓ ମାଡ ମାରିଥିଲେ । ଏପରିକି ଦାଣ୍ଡ ଦୁଆରେ ନାବାଳିକାଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ତାଙ୍କ ମାଆଙ୍କୁ ମଧ୍ୟ କିଛି ମହିଳା ମିଶି ମାରଧର କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଖବର ପାଇ ରଣପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।