ପୁଣି ବଦଳିପାରେ ଗାଡି ନମ୍ବର ପ୍ଲେଟ, ଚିନ୍ତାରେ ଗାଡି ମାଲିକ।

6,446

କନକ ବ୍ୟୁରୋ: ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବେ ଗାଡିରେ ଲାଗୁଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ । ଅନେକ ଗାଡି ମାଲିକ ନୂଆ ନମ୍ବର ପ୍ଳେଟ ଲଗାଇ ସାରିଛନ୍ତି ଆଉ କିଛି ଏଥିପାଇଁ ବୁକିଂ ବି କରିସାରିଛନ୍ତି । ଏଥିପାଇଁ ବହୁ ବାଦ ବିବାଦ ହେଲା ଆଉ ଶେଷରେ ସରକାରଙ୍କ ନିଷ୍ପତି ମାନିବାକୁ ବାଧ୍ୟ ହେଲେ ଗାଡି ମାଲିକ । କିନ୍ତୁ କେଇ ମାସ ଭିତରେ ଏହି ନମ୍ବର ପ୍ଲେଟ ବି ଅକାମୀ ହୋଇଯାଇପାରେ ବୋଲି ଆଶଙ୍କା କରାଯାଉଛି । ଜାତୀୟ ରାଜପଥରେ କୌଣସି ଅସୁବିଧାକୁ ଦୂର କରିବା ପାଇଁ ନ୍ୟାସନଲ ହାଇୱେ ଅଥରିଟି ଅଫ ଇଣ୍ଡିଅ।। ଉନ୍ନତ ଜ୍ଞାନ କୌଶଳ ଏ.ଏନ.ପି.ଆର ବ୍ୟବହାର କରିବାକୁ ଯାଉଛି । ତେବେ ଏଥିପାଇଁ ନମ୍ବର ପ୍ଲେଟ ବଦଳିପାରେ ବୋଲି ଚର୍ଚା ଆରମ୍ଭ ହୋଇଗଲାଣି । ଆଉ ଏହି ଖବର ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି ।

ଟୋଲ ଆଦାୟ ବ୍ୟବସ୍ଥାକୁ ସହଜ କରିବା ପାଇଁ ସ୍ୱଂୟଚାଳିତ ନମ୍ବର ପ୍ଲେଟ ସ୍ୱୀକୃତି ଏ.ଏନ.ପି.ଆର ଉପରେ ବିସ୍ତୃତ ଅଧ୍ୟୟନ ପାଇଁ ଏନଏଚଏଆଇ ଏକ ପରାମର୍ଶଦାତା ଏଜେନ୍ସି ନିଯୁକ୍ତି କରିଛି । ଗତ କିଛି ଦିନ ତଳେ ରାଜ୍ୟସଭାରେ ଲିଖିତ ଉତ୍ତରର ଜବାବ ଦେଇ ଏଭଳି ସୂଚନା ଦେଇଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ତେବେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତିରେ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି ବୋଲି କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ ।

ଟୋଲ ଆଦାୟ ପ୍ରକ୍ରିୟାକୁ ସହଜ କରିବା ପାଇଁ ଗାଡିରେ ଫାଷ୍ଟଟ୍ୟାଗ ବ୍ୟବସ୍ଥା କରାଗଲା । କିନ୍ତୁ ଏହାର ସେଭଳି କୌଣସି ପ୍ରଭାବ ପଡିଲାନି । ଟୋଲଗେଟରେ ଗାଡିର ଲମ୍ବା ଧାଡି ପୂର୍ବଭଳି ଲାଗିରହିଲା । ସେଥିପାଇଁ ଏବେ କେନ୍ଦ୍ର ସରକାର ଏ.ଏନ.ପି.ଆର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଆଗକୁ ଟୋଲ ଗେଟ ଉଠାଇ ଜାତୀୟ ରାଜପଥରେ ଅତ୍ୟାଧୁନିକ କ୍ୟାମେରା ଲଗାଇବେ ସରକାର । ନମ୍ବର ପ୍ଲେଟକୁ ସ୍କାନ କରିବ ଏହି କ୍ୟାମେରା ଆଉ ଟୋଲ ବାବଦକୁ ଟଙ୍କା ଆପଣଙ୍କ ଆକାଉଣ୍ଟରୁ କଟିଯିବ । ଏଥିପାଇଁ ଗାଡିର ନମ୍ବରକୁ ଆକାଉଣ୍ଟ ସହ ଯୋଡିବାକୁ ପଡିବ । ସେଥିପାଇଁ ଆଗକୁ ନମ୍ବର ପ୍ଲେଟ ପରିବର୍ତନ ହେବ ବୋଲି ଆକଳନ କଲେଣି ବିଶେଷଜ୍ଞ ।