ଯେତେବେଳେ ସମଗ୍ର ବିଶ୍ୱ କରୋନା ବିରୁଦ୍ଧରେ ସଂଗ୍ରାମ କରୁଥିଲା ଠିକ ସେତେବେଳେ କରୋନା ଟୀକା ତିଆରି କରି ଭାରତ କିପରି ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ତିନିଜଣ ବୈଜ୍ଞାନିକଙ୍କ କାହାଣୀ ମାଧ୍ୟମରେ ଏହା ଦେଖେଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଚଳଚ୍ଚିତ୍ର ଦେଖି ବେଳେବେଳେ ତୁମେ ଭାବପ୍ରବଣ ହେଇଯିବ ଏବଂ ବେଳେବେଳେ ଗର୍ବରେ ତୁମ ଛାତି ଫୁଲି ଉଠିବ ଏବଂ ଶେଷରେ ତମେ ଅନୁଭବ କରିବ ଯେ ଅନ୍ଧକାର ବିଦାୟ ନେଇ ନୂତନ ସୂର୍ଯ୍ୟ ତମକୁ ସ୍ବାଗତ କରୁଛି । ବିବେକ ଅଗ୍ନିହୋତ୍ରୀ ଯିଏ ‘ଦି କାଶ୍ମୀର ଫାଇଲ୍ସ’ ପରି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଆସନ୍ତୁ ଏହି ସମୀକ୍ଷାରେ ଜାଣିବା ତାଙ୍କର ନୂତନ ଫିଲ୍ମ ‘ଦି ଭ୍ୟାକସିନ ୱାର’ ବିଷୟରେ ।
ନିକଟ ଅତୀତରେ ଅନେକ ଲେଖକ ଏବଂ ନିର୍ଦ୍ଦେଶକଙ୍କ ଦ୍ଵାରା କରୋନା ସମୟର ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ମଧୁର ଭଣ୍ଡାରକର ପ୍ରାରମ୍ଭିକ ଦିନର ଲକଡାଉନର ଯନ୍ତ୍ରଣାକୁ ନେଇ ‘ଇଣ୍ଡିଆ ଲକଡାଉନ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେହିପରି ପ୍ରଖ୍ୟାତ ନିର୍ଦ୍ଦେଶକ ଅନୁଭବ ସିହ୍ନା ଲକଡାଉନ ସମୟରେ ଚାଲି ଚାଲି ଫେରୁଥିବା ଲୋକମାନକର ଖାସ କରି ଶ୍ରମିକ ମାନଙ୍କର କଷ୍ଟକୁ ‘ଭିଡ୍’ ଚଳଚ୍ଚିତ୍ର ମାଧ୍ୟମରେ ଦେଖେଇବାକୁ ଚେଷ୍ଟା କରିଥିଲେ । ପ୍ରଖ୍ୟାତ ନିର୍ମାତା/ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ସେହି କରୋନା କାଳର କାହାଣୀକୁ ନେଇ ‘ଦି ଭ୍ୟାକସିନ ୱାର’ ନାମକ ଫିଲ୍ମ ନିର୍ମାଣ କରିଛନ୍ତି । ତାଙ୍କ ନିଜସ୍ବ ଢଙ୍ଗରେ କରୋନା ସମୟରେ ଟୀକାର ଉଦ୍ଭାବନ ବିଷୟରେ ଏଥିରେ ବର୍ଣନା କରିଛନ୍ତି । ଏହି ଚଳଚ୍ଚିତ୍ରରେ କରୋନା ଟୀକାର ଆବିଷ୍କାରର ଯାତ୍ରା କିପରି ଥିଲା ତାହା ଦେଖେଇବାକୁ ଚେଷ୍ଟା କରିଛନ୍ତି ।
କାହାଣୀ
ଏହି ଚଳଚ୍ଚିତ୍ର ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ସମୟ ସୀମାର କାହାଣୀ ଉପରେ ଆଧାରିତ । କାହାଣୀ ଆରମ୍ଭ ହୁଏ ଜାନୁୟାରୀ ୨୦୨୦ରୁ ଚୀନ୍ର ୱୁହାନରୁ ଆସୁଥିବା ଜୀବାଣୁ ଖବର ଉପରେ । ଆଇସିଏମଆର ସଚେତନ ହୋଇଛି । ଭାରତରେ ଏହାର ପ୍ରଭାବର ସମ୍ଭାବନା ଉପରେ ଆଧାର କରି ପ୍ରସ୍ତୁତି ଆରମ୍ଭ ହେଇଯାଏ । ବୈଜ୍ଞାନିକ ମାନଙ୍କର ଏକ ଦଳ କିପରି ଏହି ଟୀକା ପ୍ରସ୍ତୁତ କରନ୍ତି ଏବଂ ସମଗ୍ର ଯାତ୍ରାରେ ସେମାନଙ୍କୁ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ବର୍ତ୍ତମାନର ସରକାରଙ୍କ ସମର୍ଥନ, ବିବାଦ, ବଢୁଥିବା କରୋନା ମାମଲା , ଏବଂ ମୃତ୍ୟୁ ବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଏହିପରି ସମସ୍ତ ଦିଗକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ଚେଷ୍ଟା କରାଯାଇଛି ଏହି ଚଳଚ୍ଚିତ୍ର ମାଧ୍ୟମରେ ।
ନିର୍ଦ୍ଦେଶନା
କାହାଣୀ ଓ ନିର୍ଦ୍ଦେଶନା ଦୁଇଟି ଯାକ ଦିଗ ସମ୍ଭାଳିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ । ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ କୋରୋନା କାଳର ଏକ ନୂତନ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ଯାହା ପୁଣି ଆପଣଙ୍କୁ ସେହି ସମୟକୁ ଫେରାଇନେବ । ସାଧାରଣ ଲୋକ , ଶ୍ରମିକ , ଡକ୍ଟର ଏବଂ ପୋଲିସ ଆଦିଙ୍କ ଦୃଷ୍ଟିରେ ଆପଣମାନେ କରୋନାର ବହୁତ କାହାଣୀ ଦେଖିଥିବେ କିନ୍ତୁ ଏକ ବୈଜ୍ଞାନିକ ଆଖିରେ ଏହା କେମିତି ଥିଲା ଏବଂ ଏହାର ମୁକାବିଲା ସେମାନେ କେମିତି କରିଥିଲେ ତାହା ସେ ଦେଖାଇଛନ୍ତି । ଏହାବାଦ ମହିଳା ସଶକ୍ତିକରଣ ବିଷୟରେ ମଧ୍ୟ ସେ ଦେଖେଇବାକୁ ଚାହିଁଛନ୍ତି । ଗବେଷଣାରେ ଥିବା ସମସ୍ତ ମହିଳା ବୈଜ୍ଞାନିକମାନଙ୍କର ନିଷ୍ଠା ଏବଂ ଅଧ୍ୟବସାୟକୁ ଖୁବ ସୁନ୍ଦର ଢଙ୍ଗରେ ଉପସ୍ଥାପନ କରିଛନ୍ତି । ପରିବାର ଓ କର୍ମ ମଧ୍ୟରେ କିପରି ଧନ୍ଦି ହେଇ ନିଜର କର୍ତବ୍ୟ ପଥରେ ଆଗେଇଛନ୍ତି ତାହା ଖୁବ ରୁଚିକର ଲାଗିବ । ଏପରି କିଛି ସିନ ଅଛି ଯାହାକୁ ଦେଖି ଗର୍ବରେ ଆପଣଙ୍କ ଛାତି ଫୁଲିଉଠିବ । ଏବେ ଜାଣିବା ଫିଲ୍ମର ସେହି ଦିଗ ଉପରେ ଯାହା ଉପରେ ନିର୍ଦ୍ଦେଶକ ଆଉ ଟିକେ ଧ୍ୟାନ ଦେଇଥିଲେ ଭଲ ହେଇଥାନ୍ତା । ଚଳଚ୍ଚିତ୍ରର ଲେଖା ଏତେ ଭଲ ନୁହେଁ କିନ୍ତୁ ଠିକଠାକ ଶ୍ରେଣୀରେ ଯିବ । ଯେଉଁଥିପାଇଁ ଫିଲ୍ମର ପ୍ରଥମାର୍ଦ୍ଧ ବହୁତ ଲମ୍ବା ହେଲାପରି ଅନୁଭବ ହେବ । କିଛି ସିନକୁ ଏଡିଟ କରି ଆହୁରି ଭଲ କରାଯାଇ ପାରିଥାନ୍ତା । ଫିଲ୍ମରେ ଅନେକ ଦୃଶ୍ୟ ଅଛି ଯେଉଁଠାରେ ବର୍ତ୍ତମାନର ସରକାରଙ୍କ ସଫଳତାକୁ ଖୁବ ସୂକ୍ଷ୍ମ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଟେକନିକାଲ ଦିଗକୁ ଏତେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଦର୍ଶିତ କରାଯାଇଛି ଯେ ସାଧାରଣ ଦର୍ଶକ ମୁଣ୍ଡରେ ଏହା ମାଡିମାଡି ପଡ଼ିବ ଯଦି ଏଥିରେ କିଛି ହାଲୁକା ମୁହୂର୍ତ୍ତ ଥାଆନ୍ତା ବୋଧହୁଏ ଫିଲ୍ମକୁ ଦର୍ଶକ ଆଉଟିକେ ଉତ୍ସାହର ସହ ଉପଭୋଗ କରିଥାନ୍ତେ ।
ଏହି ଚଳଚ୍ଚିତ୍ରରେ ଦେଶର ସଫଳତା ଉପରେ ଯେପରି ଧ୍ୟାନ କେନ୍ଦ୍ରିତ ହେଇଛି ସେହିପରି ସ୍ୱାସ୍ଥ୍ୟ ବିଭାଗର ବିଫଳତାକୁ ଦେଖା ଯାଇନାହିଁ । ସେହିସବୁ ଦିଗ ମଧ୍ୟ ଦେଖାଇଥିଲେ ଠିକ ଲାଗିଥାନ୍ତା । ତୃତୀୟ ଭୁଲ ହେଉଛି ଗଣମାଧ୍ୟମର ଉପସ୍ଥାପନା । ରୋହିଣୀଙ୍କ ଚରିତ୍ର ସାମ୍ବାଦିକଙ୍କ ଅପେକ୍ଷା ଅଧିକ କମେଡିଆନ ପରି ହେଇଛି । ମିଡିଆକୁ ପୁରା ଚଳଚ୍ଚିତ୍ରରେ ଭିଲେନ୍ ଭାବରେ ଉପସ୍ଥାପିତ କରାଯାଇଛି । ଯାହା ହଜମ କରିବା ଟିକେ କଷ୍ଟକର ମନେହୁଏ । ବାମପନ୍ଥୀ ବିଚାରଧାରାରେ ବିଶ୍ବାସ ରଖୁଥିବା ବ୍ୟକ୍ତିମାନଙ୍କ ପାଇଁ ସେ ଚଳଚ୍ଚିତ୍ର ମାଧ୍ୟମରେ ଏକ କଟାକ୍ଷ କରିଛନ୍ତି । ଯେ ସମଗ୍ର କୋରୋନା କାଳରେ ଗଣମାଧ୍ୟମ କେବଳ ନକାରାତ୍ମକ ଖବରକୁ ପ୍ରଦର୍ଶିତ କରିଛି ଏବଂ ଭାରତର ଟିକା ହାସଲ ଉପରେ କଦାପି ଧ୍ୟାନ ଦେଇ ନାହିଁ ।
ଅଭିନୟ
କୁହାଯାଏ ଯଦି ଫିଲ୍ମରେ ଭଲ ଅଭିନେତା/ଅଭିନେତ୍ରୀ ଥାନ୍ତି ତେବେ ନିର୍ଦ୍ଦେଶକଙ୍କ ୫୦ ଭାଗ କାମ ହେଇଯାଏ । ଡକ୍ଟର ଭାର୍ଗବ ରୂପେ ଅଭିନେତା ନାନା ପାଟେକରଙ୍କୁ ନେବା ଖୁବ ଭଲ ନିର୍ଣ୍ଣୟ । ତାଙ୍କର ଦମଦାର ଅଭିନୟ ଚରିତ୍ରକୁ ଆହୁରି ଜୀବନ୍ତ କରିଦେଇଛି । ମହିଳା ବୈଜ୍ଞାନିକ ଭାବେ ପଲ୍ଲବୀ ଜୋଶୀଙ୍କ ଭୂମିକା ମଧ୍ୟ ଖୁବ ଚ୍ୟାଲେଞ୍ଜିଙ୍ଗ ଥିଲା । ଦକ୍ଷିଣ ଭାରତୀୟ ଉଚ୍ଚାରଣକୁ ସେ ବହୁତ ଭଲ ଭାବରେ କାବୁ କରିପାରିଛନ୍ତି । ତଥାପି କିଛି ଦୃଶ୍ୟରେ ସେ ତାହାକୁ ବଜାୟ ରଖିବା ପରି ମନେ ହେଉନାହିଁ । ମହିଳା ବୈଜ୍ଞାନିକ ରୋଲରେ ଗିରିଜ ଓକେ ଓ ନିବେଦିତା ଭଟ୍ଟାଚାର୍ଯ୍ୟଙ୍କ କାମ ଖୁବ ସୁନ୍ଦର ହେଇଛି । ପ୍ରତ୍ୟେକ ଫ୍ରେମରେ ସେମାନେ ବହୁତ ସହଜରେ ଅଭିନୟ କରିଛନ୍ତି । ସେମାନଙ୍କ ଭାବପ୍ରବଣତା ଦର୍ଶକ ମାନଙ୍କୁ ବାନ୍ଧି ରଖି ପାରିବ ବୋଲି ବିଶ୍ବାସ କରାଯାଏ ।
କାହିଁକି ଦେଖିବେ ?
କରୋନା କାଳରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଦି ଭ୍ୟାକସିନ ୱାର ଏକ ଭିନ୍ନ ଦୃଷ୍ଟିକୋଣର ଫିଲ୍ମ । ଉତ୍କୃଷ୍ଟ ଅଭିନୟ ଏବଂ ନିର୍ଦ୍ଦେଶନା ଓ କାହାଣି ପାଇଁ ଏହି ଚଳଚ୍ଚିତ୍ରକୁ ଏକ ସୁଯୋଗ ଦିଆଯାଇପାରେ ।