ଯେତେବେଳେ ସମଗ୍ର ବିଶ୍ୱ କରୋନା ବିରୁଦ୍ଧରେ ସଂଗ୍ରାମ କରୁଥିଲା ଠିକ ସେତେବେଳେ କରୋନା ଟୀକା ତିଆରି କରି ଭାରତ କିପରି ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ତିନିଜଣ ବୈଜ୍ଞାନିକଙ୍କ କାହାଣୀ ମାଧ୍ୟମରେ ଏହା ଦେଖେଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

Advertisment

ଏହି ଚଳଚ୍ଚିତ୍ର ଦେଖି ବେଳେବେଳେ ତୁମେ ଭାବପ୍ରବଣ ହେଇଯିବ ଏବଂ ବେଳେବେଳେ ଗର୍ବରେ ତୁମ ଛାତି ଫୁଲି ଉଠିବ ଏବଂ ଶେଷରେ ତମେ ଅନୁଭବ କରିବ ଯେ ଅନ୍ଧକାର ବିଦାୟ ନେଇ ନୂତନ ସୂର୍ଯ୍ୟ ତମକୁ ସ୍ବାଗତ କରୁଛି ।  ବିବେକ ଅଗ୍ନିହୋତ୍ରୀ ଯିଏ ‘ଦି କାଶ୍ମୀର ଫାଇଲ୍ସ’ ପରି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି  ଆସନ୍ତୁ ଏହି ସମୀକ୍ଷାରେ ଜାଣିବା ତାଙ୍କର ନୂତନ ଫିଲ୍ମ  ‘ଦି ଭ୍ୟାକସିନ ୱାର’ ବିଷୟରେ ।

ନିକଟ ଅତୀତରେ ଅନେକ ଲେଖକ ଏବଂ ନିର୍ଦ୍ଦେଶକଙ୍କ ଦ୍ଵାରା କରୋନା ସମୟର ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ମଧୁର ଭଣ୍ଡାରକର ପ୍ରାରମ୍ଭିକ ଦିନର ଲକଡାଉନର ଯନ୍ତ୍ରଣାକୁ ନେଇ ‘ଇଣ୍ଡିଆ ଲକଡାଉନ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେହିପରି ପ୍ରଖ୍ୟାତ ନିର୍ଦ୍ଦେଶକ ଅନୁଭବ ସିହ୍ନା ଲକଡାଉନ ସମୟରେ ଚାଲି ଚାଲି ଫେରୁଥିବା ଲୋକମାନକର ଖାସ କରି ଶ୍ରମିକ ମାନଙ୍କର କଷ୍ଟକୁ ‘ଭିଡ୍’ ଚଳଚ୍ଚିତ୍ର ମାଧ୍ୟମରେ ଦେଖେଇବାକୁ ଚେଷ୍ଟା କରିଥିଲେ । ପ୍ରଖ୍ୟାତ ନିର୍ମାତା/ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ସେହି କରୋନା କାଳର କାହାଣୀକୁ ନେଇ ‘ଦି ଭ୍ୟାକସିନ ୱାର’ ନାମକ ଫିଲ୍ମ ନିର୍ମାଣ କରିଛନ୍ତି । ତାଙ୍କ ନିଜସ୍ବ ଢଙ୍ଗରେ କରୋନା ସମୟରେ ଟୀକାର ଉଦ୍ଭାବନ ବିଷୟରେ ଏଥିରେ ବର୍ଣନା କରିଛନ୍ତି । ଏହି ଚଳଚ୍ଚିତ୍ରରେ କରୋନା ଟୀକାର ଆବିଷ୍କାରର ଯାତ୍ରା କିପରି ଥିଲା ତାହା ଦେଖେଇବାକୁ ଚେଷ୍ଟା କରିଛନ୍ତି ।

କାହାଣୀ

ଏହି ଚଳଚ୍ଚିତ୍ର ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ସମୟ ସୀମାର କାହାଣୀ ଉପରେ ଆଧାରିତ । କାହାଣୀ ଆରମ୍ଭ ହୁଏ  ଜାନୁୟାରୀ ୨୦୨୦ରୁ ଚୀନ୍‌ର ୱୁହାନରୁ ଆସୁଥିବା ଜୀବାଣୁ ଖବର ଉପରେ । ଆଇସିଏମଆର ସଚେତନ ହୋଇଛି । ଭାରତରେ ଏହାର ପ୍ରଭାବର ସମ୍ଭାବନା ଉପରେ ଆଧାର କରି ପ୍ରସ୍ତୁତି ଆରମ୍ଭ ହେଇଯାଏ । ବୈଜ୍ଞାନିକ ମାନଙ୍କର ଏକ ଦଳ କିପରି ଏହି ଟୀକା ପ୍ରସ୍ତୁତ କରନ୍ତି ଏବଂ ସମଗ୍ର ଯାତ୍ରାରେ ସେମାନଙ୍କୁ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ବର୍ତ୍ତମାନର ସରକାରଙ୍କ ସମର୍ଥନ, ବିବାଦ, ବଢୁଥିବା କରୋନା ମାମଲା , ଏବଂ ମୃତ୍ୟୁ ବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଏହିପରି ସମସ୍ତ ଦିଗକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ଚେଷ୍ଟା କରାଯାଇଛି ଏହି ଚଳଚ୍ଚିତ୍ର ମାଧ୍ୟମରେ ।

ନିର୍ଦ୍ଦେଶନା

କାହାଣୀ ଓ ନିର୍ଦ୍ଦେଶନା ଦୁଇଟି ଯାକ ଦିଗ ସମ୍ଭାଳିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ । ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ କୋରୋନା କାଳର ଏକ ନୂତନ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ଯାହା ପୁଣି ଆପଣଙ୍କୁ ସେହି ସମୟକୁ ଫେରାଇନେବ । ସାଧାରଣ ଲୋକ , ଶ୍ରମିକ , ଡକ୍ଟର ଏବଂ ପୋଲିସ ଆଦିଙ୍କ ଦୃଷ୍ଟିରେ ଆପଣମାନେ କରୋନାର ବହୁତ କାହାଣୀ ଦେଖିଥିବେ କିନ୍ତୁ ଏକ ବୈଜ୍ଞାନିକ ଆଖିରେ ଏହା କେମିତି ଥିଲା ଏବଂ ଏହାର ମୁକାବିଲା ସେମାନେ କେମିତି କରିଥିଲେ ତାହା ସେ ଦେଖାଇଛନ୍ତି । ଏହାବାଦ ମହିଳା ସଶକ୍ତିକରଣ ବିଷୟରେ ମଧ୍ୟ ସେ ଦେଖେଇବାକୁ ଚାହିଁଛନ୍ତି । ଗବେଷଣାରେ ଥିବା ସମସ୍ତ ମହିଳା ବୈଜ୍ଞାନିକମାନଙ୍କର ନିଷ୍ଠା ଏବଂ ଅଧ୍ୟବସାୟକୁ ଖୁବ ସୁନ୍ଦର ଢଙ୍ଗରେ ଉପସ୍ଥାପନ କରିଛନ୍ତି । ପରିବାର ଓ କର୍ମ ମଧ୍ୟରେ କିପରି ଧନ୍ଦି ହେଇ ନିଜର କର୍ତବ୍ୟ ପଥରେ ଆଗେଇଛନ୍ତି ତାହା ଖୁବ ରୁଚିକର ଲାଗିବ । ଏପରି କିଛି ସିନ  ଅଛି ଯାହାକୁ ଦେଖି ଗର୍ବରେ ଆପଣଙ୍କ ଛାତି ଫୁଲିଉଠିବ । ଏବେ ଜାଣିବା ଫିଲ୍ମର ସେହି ଦିଗ ଉପରେ ଯାହା ଉପରେ ନିର୍ଦ୍ଦେଶକ ଆଉ ଟିକେ ଧ୍ୟାନ ଦେଇଥିଲେ ଭଲ ହେଇଥାନ୍ତା । ଚଳଚ୍ଚିତ୍ରର ଲେଖା ଏତେ ଭଲ ନୁହେଁ କିନ୍ତୁ ଠିକଠାକ ଶ୍ରେଣୀରେ ଯିବ । ଯେଉଁଥିପାଇଁ ଫିଲ୍ମର ପ୍ରଥମାର୍ଦ୍ଧ ବହୁତ ଲମ୍ବା ହେଲାପରି ଅନୁଭବ ହେବ । କିଛି ସିନକୁ ଏଡିଟ କରି ଆହୁରି ଭଲ  କରାଯାଇ ପାରିଥାନ୍ତା ।  ଫିଲ୍ମରେ ଅନେକ ଦୃଶ୍ୟ ଅଛି ଯେଉଁଠାରେ ବର୍ତ୍ତମାନର ସରକାରଙ୍କ ସଫଳତାକୁ ଖୁବ ସୂକ୍ଷ୍ମ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଟେକନିକାଲ ଦିଗକୁ ଏତେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଦର୍ଶିତ କରାଯାଇଛି ଯେ ସାଧାରଣ ଦର୍ଶକ ମୁଣ୍ଡରେ ଏହା ମାଡିମାଡି ପଡ଼ିବ  ଯଦି ଏଥିରେ କିଛି ହାଲୁକା ମୁହୂର୍ତ୍ତ ଥାଆନ୍ତା ବୋଧହୁଏ ଫିଲ୍ମକୁ ଦର୍ଶକ ଆଉଟିକେ ଉତ୍ସାହର ସହ ଉପଭୋଗ କରିଥାନ୍ତେ ।

ଏହି ଚଳଚ୍ଚିତ୍ରରେ ଦେଶର ସଫଳତା ଉପରେ ଯେପରି ଧ୍ୟାନ କେନ୍ଦ୍ରିତ ହେଇଛି ସେହିପରି ସ୍ୱାସ୍ଥ୍ୟ ବିଭାଗର ବିଫଳତାକୁ ଦେଖା ଯାଇନାହିଁ । ସେହିସବୁ ଦିଗ ମଧ୍ୟ ଦେଖାଇଥିଲେ ଠିକ ଲାଗିଥାନ୍ତା । ତୃତୀୟ ଭୁଲ ହେଉଛି ଗଣମାଧ୍ୟମର ଉପସ୍ଥାପନା ।  ରୋହିଣୀଙ୍କ ଚରିତ୍ର ସାମ୍ବାଦିକଙ୍କ ଅପେକ୍ଷା ଅଧିକ କମେଡିଆନ ପରି ହେଇଛି ।  ମିଡିଆକୁ ପୁରା ଚଳଚ୍ଚିତ୍ରରେ ଭିଲେନ୍ ଭାବରେ ଉପସ୍ଥାପିତ କରାଯାଇଛି ।  ଯାହା ହଜମ କରିବା ଟିକେ କଷ୍ଟକର ମନେହୁଏ । ବାମପନ୍ଥୀ ବିଚାରଧାରାରେ ବିଶ୍ବାସ ରଖୁଥିବା ବ୍ୟକ୍ତିମାନଙ୍କ ପାଇଁ ସେ ଚଳଚ୍ଚିତ୍ର ମାଧ୍ୟମରେ ଏକ କଟାକ୍ଷ କରିଛନ୍ତି ।  ଯେ ସମଗ୍ର କୋରୋନା କାଳରେ ଗଣମାଧ୍ୟମ କେବଳ ନକାରାତ୍ମକ ଖବରକୁ ପ୍ରଦର୍ଶିତ କରିଛି ଏବଂ ଭାରତର ଟିକା ହାସଲ ଉପରେ କଦାପି ଧ୍ୟାନ ଦେଇ ନାହିଁ ।

ଅଭିନୟ

କୁହାଯାଏ ଯଦି ଫିଲ୍ମରେ ଭଲ ଅଭିନେତା/ଅଭିନେତ୍ରୀ ଥାନ୍ତି ତେବେ ନିର୍ଦ୍ଦେଶକଙ୍କ ୫୦ ଭାଗ କାମ ହେଇଯାଏ ।  ଡକ୍ଟର ଭାର୍ଗବ ରୂପେ ଅଭିନେତା ନାନା ପାଟେକରଙ୍କୁ ନେବା ଖୁବ ଭଲ ନିର୍ଣ୍ଣୟ । ତାଙ୍କର ଦମଦାର ଅଭିନୟ ଚରିତ୍ରକୁ ଆହୁରି ଜୀବନ୍ତ କରିଦେଇଛି । ମହିଳା ବୈଜ୍ଞାନିକ ଭାବେ ପଲ୍ଲବୀ ଜୋଶୀଙ୍କ ଭୂମିକା ମଧ୍ୟ ଖୁବ ଚ୍ୟାଲେଞ୍ଜିଙ୍ଗ ଥିଲା । ଦକ୍ଷିଣ ଭାରତୀୟ ଉଚ୍ଚାରଣକୁ ସେ ବହୁତ ଭଲ ଭାବରେ କାବୁ କରିପାରିଛନ୍ତି । ତଥାପି କିଛି ଦୃଶ୍ୟରେ ସେ ତାହାକୁ ବଜାୟ ରଖିବା ପରି ମନେ ହେଉନାହିଁ ।  ମହିଳା ବୈଜ୍ଞାନିକ ରୋଲରେ ଗିରିଜ ଓକେ ଓ ନିବେଦିତା ଭଟ୍ଟାଚାର୍ଯ୍ୟଙ୍କ କାମ ଖୁବ ସୁନ୍ଦର ହେଇଛି । ପ୍ରତ୍ୟେକ ଫ୍ରେମରେ ସେମାନେ ବହୁତ ସହଜରେ ଅଭିନୟ କରିଛନ୍ତି । ସେମାନଙ୍କ ଭାବପ୍ରବଣତା ଦର୍ଶକ ମାନଙ୍କୁ ବାନ୍ଧି ରଖି ପାରିବ ବୋଲି ବିଶ୍ବାସ କରାଯାଏ ।

କାହିଁକି ଦେଖିବେ ?

କରୋନା କାଳରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଦି ଭ୍ୟାକସିନ ୱାର ଏକ ଭିନ୍ନ ଦୃଷ୍ଟିକୋଣର ଫିଲ୍ମ ।  ଉତ୍କୃଷ୍ଟ ଅଭିନୟ ଏବଂ ନିର୍ଦ୍ଦେଶନା ଓ କାହାଣି  ପାଇଁ ଏହି ଚଳଚ୍ଚିତ୍ରକୁ ଏକ ସୁଯୋଗ ଦିଆଯାଇପାରେ ।