ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଟିକା କିଣିବା ଓ କରୋନା ମୁକାବିଲା ନେଇ ସରକାର ଖର୍ଚ୍ଚ କଲେଣି ହଜାର ହଜାର କୋଟି ଟଙ୍କା । ରାଜସ୍ୱ ଭରଣା କରିବାକୁ ଆଗାମୀ ବଜେଟରେ ଆସିପାରେ ‘ଭ୍ୟାକ୍ସିନ୍ ସେସ୍’

60

କନକ ବ୍ୟୁରୋ : କରୋନା ଭ୍ୟାକ୍ସିନ ଲାଗି ବଜେଟରେ ନୂଆ ସେସ୍ ଲାଗୁ ହୋଇପାରେ । ଏ ନେଇ ଏବେ ର୍ଚ୍ଚା ଜୋର ଧରିଛି । କୋଭିଡ ପରିଚାଳନା କୁ ନେଇ ସରକାର ବହୁ ଅର୍ଥ ଖର୍ଚ୍ଚ କରିସାରିଲେଣି । ଫଳରେ ରାଜକୋଷକୁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି । ଏହାସହ ଚୀନ ସହ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପାଇଁ ସରକାର ଅଧିକ ଅର୍ଥ ବିନିଯୋଗ କରୁଥିବା ଦେଖିବାକୁ ମିଳିଛି । ଏ ସବୁ ଖର୍ଚ୍ଚକୁ ଭରଣା କରିବାକୁ ଫେବୃଆରୀ ମାସରେ ଆସିବାକୁ ଥିବା ବଜେଟରେ କେନ୍ଦ୍ର ସରକାର ‘ଭ୍ୟାକ୍ସିନ୍ ସେସ୍’ ଲାଗୁ କରାଇବା ନେଇ ଘୋଷଣା କରିପାରନ୍ତି ।
ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମିବା ଫଳରେ ଅର୍ଥ ବ୍ୟବସ୍ଥା ସ୍ୱାଭାବିକ ସ୍ଥିତିକୁ ଫେରିବା ଆରମ୍ଭ କରିଛି । ରାଜସ୍ୱ ସଂଗ୍ରହ ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି । ବିଭିନ୍ନ ଚ୍ୟାଲେଞ୍ଜ ସତ୍ତେ୍ୱ ବଜାର ଟ୍ରାକ୍ କୁ ଫେରିଛି । ଏଭଳି ସ୍ଥଳେ ଆଗାମୀ ବଜେଟରେ ଭିତ୍ତିଭୂମି ଓ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷେତ୍ର ଗୁଡିକୁ ସରକାର ଗୁରୁତ୍ୱ ଦେଇପାରନ୍ତି । ଯାହା ଫଳରେ ସରକାରଙ୍କୁ ଅଧିକ ଅର୍ଥର ଆବଶ୍ୟକତା ପଡିବ । ଅନ୍ୟପଟେ ଭ୍ୟାକ୍ସିନ ଦେବାକୁ ସରକାରଙ୍କୁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ଆକଳନ କରାଯାଉଛି । ଏହା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାକୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡରୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ରାଜସ୍ୱ ହ୍ରାସକୁ ଭରଣା କରିବାକୁ ଟିକସ୍ କିମ୍ବା ସେସ୍ ଲାଗୁ କରିବାକୁ ଲକଡାଉନ ସମୟରେ ଟିକସ ଅଧିକାରୀ ମାନେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଟିକସ ବା ସେସ୍ ଲାଗୁ କରିବାକୁ ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି କହି ଅର୍ଥ ମନ୍ତ୍ରଣାଳୟ ଏହାକୁ ଟାଳି ଦେଇଥିଲେ । ହେଲେ ସେହି ସମୟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ୍ ବଢାଇ ଦେଇଥିଲେ । ଏହି ସମୟରେ ରାଜ୍ୟ ସରକାରମାନେ ମଧ୍ୟ ମଦ ଉପରେ ଟିକସ ବଢାଇଥିଲେ ।
ଏଭଳି ସମୟରେ ଦେଶର କିଛି ସରକାରୀ ଅଧିକାରୀ ଏବଂ ଟିକସ ପରାମର୍ଶଦାତା ମାନେ ଭ୍ୟାକ୍ସିନ ନାମରେ ସ୍ପଳ୍ପ ପରିମାଣର ଟିକସ ଲାଗୁ କରାଇବା ନେଇ ଅର୍ଥମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି । କହିରଖୁ କି ଏହା ପୂର୍ବରୁ ମଧ୍ୟ ସରକାର ସ୍ୱାସ୍ଥ୍ୟ ସେବା ଉପରେ ସେସ୍ ଲଗାଇଛନ୍ତି   ।