ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ଆକ୍ରାନ୍ତ ଅଧିକ, ହେଲେ ମୃତ୍ୟୁ ସଂଖ୍ୟା କମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲା, ପ୍ରଭାବ ଦେଖାଇଛି ଟିକା

134

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆଶ୍ୱସ୍ତି କଲା ଭଳି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସଂକ୍ରମଣ ବଢିଥିଲେ ସୁଦ୍ଧା ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା କମ ରହିଛି ଏବଂ ହସ୍ପିଟାଲରେ ଶଯ୍ୟା ଖାଲି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଟିକା ପ୍ରଭାବ ଦେଖାଇଛି । ଫଳରେ ମୃତ୍ୟୁ ସଂଖ୍ୟା କମିଛି ।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେଉଁ ତଥ୍ୟ ଦେଇଛି, ତାହା ନିଶ୍ଚିତ ଭାବେ ଆଶ୍ୱସ୍ତି ଆଣିଦେବ । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଦେଶରେ ଅଧିକ ଆକ୍ରାନ୍ତ ହେଉଛନ୍ତି, କିନ୍ତୁ ଡାକ୍ତରଖାନାରେ ଶଯ୍ୟା ଖାଲି ପଡିବା ସହ ମୃତ୍ୟୁ ସଂଖ୍ୟା ବହୁତ କମ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କହିବା ଅନୁସାରେ, ୨୦ ଜାନୁଆରୀ ୨୦୨୨ ସୁଦ୍ଧା କୋଭିଡରେ ମାତ୍ର ୩୮୦ ମୃତ୍ୟୁ ହୋଇଛି । ସେହି ଅନୁସାରେ ତୁଳନା କଲେ, ୨୦୨୧ ଏପ୍ରିଲ ୩୦ ସୁଦ୍ଧା ୩ହଜାର ୫୯ ଲୋକ କୋଭିଡରେ ପ୍ରାଣ ହରାଇଥିଲେ । ବର୍ତ୍ତମାନ ଆକ୍ଟିଭ ମାମଲା ୧୯ ଲକ୍ଷରୁ ଅଧିକ ରହିଛି । ୨୦୨୧ ଏପ୍ରିଲରେ ଆକ୍ଟିଭ ମାମଲା ୩୧ଲକ୍ଷରୁ ଅଧିକ ରହିଥିଲା । ତେବେ ବଡ କଥା ହେଲା ଦେଶରେ ଆକ୍ଟିଭ କେସରେ ଓଡିଶା ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ରହିଛି ।

                ତାରିଖ            ସଂକ୍ରମଣ

  • ଜାନୁଆରୀ ୧୬      ୧୧୧୭୭
  • ଜାନୁଆରୀ ୧୭      ୧୦୪୮୯
  • ଜାନୁଆରୀ ୧୮      ୧୧୦୮୬
  • ଜାନୁଆରୀ ୧୯     ୧୧୬୦୭
  • ଜାନୁଆରୀ ୨୦      ୧୦୩୬୮

ଏହି ତଥ୍ୟକୁ ଦେଖିଲେ ସ୍ପଷ୍ଟ ହେଉଛି ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢୁଥିଲା ତାହା ଆପାତଃ କମିଯାଇଛି । ସବୁଠାରୁ ଆଶ୍ୱାସନାର କଥା ହେଲା ସ୍ୱାସ୍ଥ୍ୟ ସେବା ଉପରେ ଚାପ ପଡିନାହିଁ । ଅକ୍ସିଜେନର ଆବଶ୍ୟକତା ପଡୁନଥିବାବେଳେ ଆଇସିୟୁ ଫାଙ୍କା ପଡିଛି । ଆକ୍ଟିଭ ମାମଲା ୮୮ ହଜାର ଥିବାବେଳେ ଡାକ୍ତରଖାନାରେ ଅଛନ୍ତି ମାତ୍ର ୧୨୩୦ ରୋଗୀ । ସଂକ୍ରମଣ ଅଧିକ ଥିବା ସୁନ୍ଦରଗଡ, ଖୋର୍ଦ୍ଧା, କଟକ ଓ ସମ୍ବଲପୁରରେ ସର୍ଭେଲାନ୍ସ ବଢାଇବାକୁ କୁହାଯାଇଛି । ଏଭଳି ସମୟରେ ଟିକାକରଣ ଶେଷ କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି ।

ରାଜଧାନୀରେ ଟେନସନ ବଢାଇଲେ କ୍ୟାପିଟାଲ ଓ ଏମ୍ସ

କ୍ୟାପିଟାଲ ହସପିଟାଲରେ ପଜିଟିଭ ଚିହ୍ନଟ ୪୦ ଡାକ୍ତରଙ୍କ ମଧ୍ୟରୁ ୩୦ ସଙ୍ଗରୋଧରେ ଅଛନ୍ତି । କିଛି କର୍ମଚାରୀ ପ୍ରଭାବିତ ହୋଇଥିବାରୁ ରୋଗୀ ସେବା ପ୍ରଭାବିତ ହୋଇଛି । ଅପରାହ୍ନରେ ଓପିଡି ବନ୍ଦ କରାଯାଇଥିବାବେଳେ ଦିନରେ ଓପିଡି ସମୟକୁ ଏକ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ଏମ୍ସରେ ବି ୩ ଶହରୁ ଅଧିକ ଡାକ୍ତର, ନର୍ସ ଓ ପାରା ମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି, ଯାହା ମେଡିକାଲ କର୍ତୃପକ୍ଷଙ୍କ ଚିନ୍ତା ବଢାଇଛି ।