ରାଜ୍ୟରେ ଘୁଞ୍ଚିଲା ଗର୍ଭବତୀଙ୍କ ଟିକାକରଣ, ଟ୍ରେନିଂ ପରେ ଦିଆଯିବ ଟିକା । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖି ଜଣାଇଲେ ଏସିଏସ୍ । 

କେନ୍ଦ୍ର ମାର୍ଗଦର୍ଶିକା ଆସି ସାରିଥିଲେ ବି କର୍ମଶାଳାକୁ ଅପେକ୍ଷା

118

କନକ ବ୍ୟୁରୋ: ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ତଥ୍ୟ ଅନୁସାରେ, ୧୫ ବର୍ଷରୁ ୪୪ ବର୍ଷ ମଧ୍ୟରେ ୪ଲକ୍ଷ ମହିଳାଙ୍କ ଉପରେ କରାଯାଇଥିବା ସର୍ଭେରୁ ଜଣାପଡିଥିଲା ଗର୍ଭବତୀ ମହିଳାଙ୍କୁ ଆଇସିୟୁ, ଭେଂଟିଲେସନ ଏବଂ ଅକ୍ସିଜେନର ଆବଶ୍ୟକତା ସମ୍ଭାବନା ଅଧିକ । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମୃତ୍ୟୁ ସମ୍ଭାବନା ୭୦ ପ୍ରତିଶତ ଅଧିକ ଓ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ମଧ୍ୟ ସାମ୍ନାକୁ ଆସିଥିଲା ।

ଏଭଳି ଚିନ୍ତାଜନକ ତଥ୍ୟକୁ ଆଖି ଆଗରେ ରଖି ହିଁ ଦେଶରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଥିଲା । ହେଲେ ଏହି ପ୍ରକ୍ରିୟା ଆରମ୍ଭ ହେବା ଆଗରୁ ଆହୁରି ବିଳମ୍ବିତ ହୋଇଛି । ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି –

  • ଗର୍ଭବତୀଙ୍କୁ ଟିକାଦାନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାର୍ଗଦର୍ଶିକା ଦେଇସାରିଛି
  • ଖୁବଶୀଘ୍ର କେନ୍ଦ୍ର ପୁରା ପ୍ରକ୍ରିୟା ନେଇ କର୍ମଶାଳା ଆୟୋଜନ କରିବ
  • ଗାଇଡଲାଇନ ଉପରେ ସରକାର, ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦେବେ
  • ଗର୍ଭବତୀଙ୍କୁ ଟିକାକରଣ ସେପର୍ଯ୍ୟନ୍ତ ଆରମ୍ଭ କରାଯିବ ନାହିଁ

ଅର୍ଥାତ୍ ରାଜ୍ୟରେ ଗର୍ଭବତୀଙ୍କୁ ଟିକାକରଣ ଆହୁରି ବିଳମ୍ବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବିଜନେସ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, କରୋନା ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । ମହିଳା ଗର୍ଭବତୀ ଥିବା ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବାରୁ ଏହା ବିପଦଜନକ ହୋଇଥାଏ । ସାଧାରଣତଃ ଅନିୟନ୍ତ୍ରିତ ହେପାଟାଇଟିସ୍ ଓ ହାମରେଜ ପାଇଁ ରକ୍ତକ୍ଷୟ ହେଉଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହେବା ସମ୍ଭାବନା ରହିଥାଏ । ହେଲେ ପରିବର୍ତ୍ତିତ ସ୍ଥିତିରେ କରୋନା ଲକ୍ଷଣ ଗର୍ଭବତୀଙ୍କ ପାଇଁ ଘାତକ ହେବାରେ ଲାଗିଛି । ଦ୍ୱିତୀୟ ଲହର ସମୟରେ କରୋନାରେ ଆକ୍ରାନ୍ତ ହେଉଥିବା ଗର୍ଭବତୀଙ୍କ ଫୁସଫୁସ୍ ସଂକୁଚିତ ହେଉଥିବାରୁ ଏହା ବିପଦଜନକ ହେଉଛି ।

ଏଭଳି ପରିସ୍ଥିତିରେ ଦେଶ ତୃତୀୟ ଲହରକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି । ହେଲେ ଟିକାଦାନ ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ଗର୍ଭବତୀଙ୍କ ପ୍ରତି ଆହୁରି ଅଧିକ ବିପଦର ଆଶଙ୍କା ଅନୁମାନ କରାଯାଉଛି । ଜାନୁଆରୀ ମାସରେ ଦେଶରେ ଯେତେବେଳେ ଟିକାକରଣ ଆରମ୍ଭ ହେଲା, ସେହି ସମୟର ତଥ୍ୟ କହୁଛି, ପ୍ରତିଦିନ ଦେଶରେ ୬୭ ହଜାର ଶିଶୁ ଜନ୍ମ ନିଅନ୍ତି । ଏହାର ଅର୍ଥ ପ୍ରତି ମାସ ପ୍ରାୟ ୨୦ ଲକ୍ଷ ମହିଳା ଗର୍ଭାବସ୍ଥାର ୯ ମାସ ପୁରଣ କରିସାରିଥାନ୍ତି । ଏପ୍ରିଲ ମାସରେ ଗର୍ଭବତୀଙ୍କୁ ଟିକାକରଣରେ ପ୍ରାଥମିକତା ଦେବାକୁ ଦାବି ଉଠିଥିଲା ।

ଆମେରିକା, ବ୍ରିଟେନ୍ ବେଲଜିୟମ ଭଳି ରାଷ୍ଟ୍ରରେ ମା’ ହେବାକୁ ଥିବା ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଭାରତ ପଛରେ ଥିଲା । ଟିକା କେତେ ପ୍ରଭାବି ହେବ ସେନେଇ ଅନୁଶୀଳନ ଚାଲିଥିଲା । ଆଉ ଯେତେବେଳେ ଅନୁମତି ମିଳିଲା, ପ୍ରକ୍ରିୟା ବିଳମ୍ବିତ ଆଶଙ୍କା ସୃଷ୍ଟି ହେଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଡେଲଟା ଭାଇରସ୍ ଲଗାତର ଭାବେ ନିଜର ରୁପ ବଦଳାଇ ଘାତକ ହେବାରେ ଲାଗିଛି । ପୁରା ବିଶ୍ୱ ଏକ ବିପଦ ଭିତରେ ଥିବା ବେଳେ ଯେଉଁ ରାଷ୍ଟ୍ରରେ କମ ଟିକାକରଣ ହୋଇଛି ସେସବୁ ସ୍ଥାନରେ ହସ୍ପିଟାଲ ଉପରେ ଆଗାମୀ ଦିନରେ ରୋଗୀ ସଂଖ୍ୟା ବଢିପାରେ । ଆଉ ଏଭଳି ସ୍ଥଳେ ସରକାରୀ ସ୍ତରରେ ଗର୍ଭବତୀଙ୍କୁ ଟିକାଦାନ ପ୍ରକ୍ରିୟା ଶୀଘ୍ର ସାରିବା ଉପରେ ପଦକ୍ଷେପ ନେବା ଜରୁରୀ ।