କନକ ବ୍ୟୁରୋ: ଆଇଏଏସ୍ ଚାକିରି ଛାଡିଦେଲେ ୟୁପିଏସସି ଟପ୍ପର। ୨୨୫୦ ଟଙ୍କାରେ ଚାକିରି କଲେ।୨.୬୦ ଲକ୍ଷ କୋଟି ମୂଲ୍ୟର କମ୍ପାନୀ ଗଢିଦେଲେ।  ଆମେ କହୁଛୁ ମାରୁତି ସୁଜୁକି କମ୍ପାନୀର ଚେୟାରମ୍ୟାନ୍ ଆରସି ଭାର୍ଗଭଙ୍କ କଥା । ଦେଶର ସବୁଠୁ ବଡ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିକଟରେ କିର୍ତ୍ତିମାନ ସ୍ଥାନ କରିଛି । କାରଣ ଏହାର ରେଭେନ୍ୟୁ ୧ ଲକ୍ଷ କୋଟି ଟଙ୍କା ପାର କରିଛି । ଏପରି ସଫଳତା ପାଇବାରେ ଏହା ହେଉଛି ଭାରତର ପ୍ରଥମ କମ୍ପାନୀ । କମ୍ପାନୀର ସଫଳତା ପଛରେ ରହିଛି ଆର ସି ଭାର୍ଗଭଙ୍କ ଅଧ୍ୟବସାୟ ଓ ବୁଦ୍ଧିମତ୍ତା । ହେଲେ ଆପଣ ଜାଣନ୍ତି କି ମାରୁତି କମ୍ପାନୀ କରିବା ପୂର୍ବରୁ ଭାର୍ଗଭ ଜଣେ ଆଇ,ଏସ୍ ଅଧିକାରୀ ଥିଲେ । କମ୍ପାନୀ ସହିତ ତାଙ୍କର ୪ ଦଶନ୍ଧିର କାହାଣୀ ବେଶ୍ ରୋଚକ ।

Advertisment

ଆର ସି ଭାର୍ଗଭ୍ ୧୯୫୬ ମସିହାରେ ୟୁପିଏସସିରେ ଟପ୍ପର ଥିଲେ । କିଛି ବର୍ଷ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଏଥିରେ ତାଙ୍କର ମନ ଲାଗିଲାନି । ଏତେ ବଡ ବଦବୀକୁ ଛାଡିଦେଲେ । ୮୦ ଦଶକରେ ଆଇଏଏସ୍ ଚାକିରି ଛାଡି ମାରୁତି ସୁଜୁକିରେ ସାମିଲ ହୋଇ ନିଜ ଭାଗ୍ୟ ପରଖିଲେ । ସେତେବେଳେ ମାରୁତି କମ୍ପାନୀରେ ତାଙ୍କୁ ମାତ୍ର ୨୨୫୦ ଟଙ୍କା ଦରମା ମିଳୁଥିଲା । ହେଲେ ଭାର୍ଗଭଙ୍କ ଯୋଗଦାନ ମାରୁତି କମ୍ପାନୀକୁ ସଫଳତା ଆଡକୁ ନେଇଗଲା ।

ରିପୋର୍ଟ ମୁତାବକ, ଭାର୍ଗଭ ୧୯୮୧ ମସିହାରେ ମାରୁତି କମ୍ପାନୀରେ ସାମିଲ ହେଲେ । ଜଣେ ପ୍ରଶାସନିକ ପରାମର୍ଶଦାତା ଭାବେ ସେ କମ୍ପାନୀରେ ଯୋଗ ଦେଇଥିଲେ ବି ବର୍ଷକ ପରେ ସରକାର ଏହି ପଦବୀକୁ ହଟାଇଦେଲେ । ହେଲେ ମାରୁତି କମ୍ପାନୀକୁ ଛାଡିନଥିଲେ ଆର ସି ଭାର୍ଗଭ । ତାଙ୍କର ଏଭଳି ନିଷ୍ପତ୍ତି କେବଳ ତାଙ୍କର ଭାଗ୍ୟ ନୁହେଁ ବରଂ ପୁରା କମ୍ପାନୀର ଭାଗ୍ୟ ବଦଳାଇଦେଲା । ଜଣେ ସାଧାରଣ କର୍ମଚାରୀ ଭାବେ ଯୋଗ ଦେଇଥିବା ଭାର୍ଗଭ ଚାହୁଁ ଚାହୁଁ କମ୍ପାନୀର ଜଏଣ୍ଟ ଭେଞ୍ଚରର ଫୁଲ ଟାଇମ୍ ଡାଇରେକ୍ଟର ବନିଯାଇଥିଲେ । ଏହାପରେ ୧୯୮୫ରେ ଏମଡି ହେଲେ ।

୪୮ ବର୍ଷ ବୟସରେ ମାରୁତି ସୁଜୁକିରେ ଯୋଗ ଦେଇଥିବା ଆର ସି ଭାର୍ଗଭ ଏବେ ୮୮ ବର୍ଷରେ ପହଞ୍ଚିଛନ୍ତି । ଆରସି ଭାର୍ଗଭଙ୍କ ବାର୍ଷିକ ଆୟ ୧ କୋଟି ୫୦ ଲକ୍ଷ । ଜାପାନୀ କମ୍ପାନୀର ମାଲିକ ଓସାମୁ ସୁଜୁକି ନିଜେ ଏକ ଇଣ୍ଟରଭ୍ୟୁରେ ଭାର୍ଗଭଙ୍କ ପାରିଆପଣିଆକୁ ବଖାଣିଛନ୍ତି । ଯଦି ଆର ସି ଭାର୍ଗଭ ନଥାନ୍ତେ ତେବେ ମାରୁତି କମ୍ପାନୀ ଏଭଳି ସଫଳତାର ଶୀର୍ଷରେ ପହଞ୍ଚିପାରିନଥାନ୍ତା ବୋଲି କହିଛନ୍ତି ଓସାମୁ ସୁଜୁକି । ଏବେ ମାରୁତି କମ୍ପାନୀର ମୂଲ୍ୟ ୨ କୋଟି ୬୦ ଲକ୍ଷ’ କୋଟିରେ ପହଞ୍ଚିଛି ।