ଅସୁରକ୍ଷିତ ରାଜନଗରର ସୁରକ୍ଷା କବଚ ବଙ୍ଗୋପସାଗର ଉପକୂଳ ଜିଓ ସିନ୍ଥେଟିକ ପାଚେରୀ । ନିର୍ମାଣର ପାଞ୍ଚ ବର୍ଷ ଭିତରେ ଛିଣ୍ଡି ଯାଉଛି ଗ୍ୟାବିନ ବକ୍ସର ଦଉଡ଼ି । ଲୁଣା ଜୁଆର ମାଡ଼ରେ ସମୁଦ୍ରକୁ ଭାସି ଯାଉଛି ପଥର । ଚିନ୍ତାରେ ସ୍ଥାନୀୟ ବାସିନ୍ଦା

320

କନକ ବ୍ୟୁରୋ : ୧୯୯୯ ମସିହା ମହାବାତ୍ୟାକୁ ୨୧ ବର୍ଷ ପୁରିଛି । ଏହି ମହାବାତ୍ୟାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ର ଉପକୂଳବର୍ତୀ ଅଂଚଳ ଗୁଡିକ ଅଧିକ କ୍ଷୟକ୍ଷତି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ପେଣ୍ଠ ସମୁଦ୍ର କୂଳରେ ୧୫ କୋଟି ଟଙ୍କା ବ୍ୟୟରେ ଓଡିଶାର ପ୍ରଥମ ଜିଓ ସିନ୍ଥେଟିକ ପାଚେରୀ ନିର୍ମାଣ କଲେ । ମାତ୍ର ଏହା ରକ୍ଷଣା ବେକ୍ଷଣା ଓ ମରାମତି ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଯାହା ସମଗ୍ର ରାଜନଗର ଅଂଚଳ ପାଇଁ ଚିନ୍ତାର କାରଣ ପାଲଟିଛି ।

୧୯୯୯ ମହାବାତ୍ୟା ପରେ ବଂଗୋପସାଗର ଜୁଆରକୁ ଅଟକାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ନିକଟରେ ନିର୍ମାଣ ହୋଇଥିଲା ଭାରତର ଦ୍ୱିତୀୟ ଏବଂ ଓଡିଶାର ପ୍ରଥମ ଜିଓ ସିନ୍ଥେଟିକ ପାଚେରୀ । ୫୦୫ ମିଟର ଜିଓ ସିନ୍ଥେଟିକ ପାଚେରୀ ପାଇଁ ବିପଦ ସୃଷ୍ଟି ହୋଇଛି । ସୂର୍ଯ୍ୟ କିରଣ ଓ ଅଲଟ୍ରା ଭାଓଲେଟ ପ୍ରଭାବରେ ପ୍ରାଚେରୀ ନଷ୍ଟ ହେବାର ଆଶଙ୍କା ଥିବାରୁ ପଲିମର ଜାତିୟ ଦଉଡିରେ ପଥର ପୁରାଇ ପ୍ରାଚେରୀ ନିର୍ମାଣ କରାଯାଇଛି । ହେଲେ ଏଠାରେ ସମୁଦ୍ର ଜୁଆର ମାଡରେ ଗ୍ୟାବିନ ବକ୍ସର ଦଉଡି ଛିଣ୍ଡି ପଥର ଖଣ୍ଡ ସମୁଦ୍ରକୁ ଭାସି ଯାଉଛି । ଫଳରେ ପାଇଲଟ ପ୍ରୋଜେକ୍ଟରେ ନିର୍ମାଣ ହୋଇଥିବା ଜିଓ ସିନ୍ଥେଟିକ ପ୍ରାଚୀର ପ୍ରତି ବିପଦ ସୃଷ୍ଟି ହୋଇଛି । ରାଜନଗରର ସୁରକ୍ଷା କବଚ ସାଜିଥିବା ଏହି ପାଚେରୀ ଧିରେ ଧିରେ ନଷ୍ଟ ହୋଇଯାଉଥିବାରୁ ଅଂଚଳବାସୀ ଭୟଭିତ ହୋଇଛନ୍ତି ।

ଜିଓ ସିନ୍ଥେଟିକ ପାଚେରୀର ପଥର ଗୁଡିକୁ ପଲିମର ଦଉଡି ଦ୍ୱାରା ବାନ୍ଧି ସମୁଦ୍ର କୂଳରେ ରଖାଯାଇଛି । ଫଳରେ ଲୁଣି ପାଣିରେ ୫୦ ବର୍ଷ ଯାଏଁ ପଥରର କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଥିଲା । ୨୦୧୫ରେ ୧୫ କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ପାଚେରୀ ବର୍ଷ କେଇଟାରେ ଲୁଣି ପାଣିରେ ଲିନ ହେବାକୁ ବସିଛି । ଦଉଡି ଛିଣ୍ଡି ପଥର ଗୁଡିକ ସମୁଦ୍ର ଗର୍ଭକୁ ଚାଲିଯାଉଛି । ପ୍ରତିବର୍ଷ ବିଶେଷଜ୍ଞ ଦଳ ଓ ଜଳ ସମ୍ପଦ ବିଭାଗର ବହୁ ଅଧିକାରୀମାନେ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ହେଲେ ପଥର ଗୁଡିକ ସମୁଦ୍ର ଗର୍ଭକୁ ଚାଲି ଯିବା ସହ ପାଚେରୀ ନଷ୍ଟ ହେଉଥିବା ଦୃଶ୍ୟ ସେମାନଙ୍କ ନଜରରେ ପଡୁନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି ।