କନକ ବ୍ୟୁରୋ : ଖୋଲୁଛି ଚିତ୍ରା-ଯୋଗୀଙ୍କ ସମ୍ପର୍କ ଗୁମର । ସାମ୍ନାକୁ ଆସିଲା ‘ସେବି’ର ଚାଂଚଲ୍ୟକର ତଥ୍ୟ । ଏନଏସସିର ସିଇଓ ପଦ ସମ୍ଭାଳୁଥିବା ଚିତ୍ରା ରାମକ୍ରିଷ୍ଣା ଓ ହିମାଳୟର ଯୋଗୀଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଚିତ୍ରା ଓ ଯୋଗୀଙ୍କୁ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି । ଯାହାଙ୍କୁ ଚିତ୍ରା ଜଣେ ପରମ ସିଦ୍ଧ ପୁରୁଷ ବୋଲି କହୁଥିଲେ ଏବଂ ଯେଉଁ ଯୋଗୀଙ୍କ ସହ ସେ କେବେ ସାକ୍ଷାତ୍ କରିନଥିବା କଥା କହିଥିଲେ ତାହା ସମ୍ପୂର୍ଣ୍ଣ ଭୂଲ । ସେ ଯୋଗୀ ଜଣେ ସଶରୀର ବ୍ୟକ୍ତି ବୋଲି ସେବି ରିପୋର୍ଟରୁ ତଥ୍ୟ ହାସଲ ହୋଇଛି । ଆଉ ଦୁହିଁଙ୍କ ମଧ୍ୟରେ ଏକାଧିକବାର ସାକ୍ଷାତ୍ ହୋଇଥିବା ସେବି ତଦନ୍ତରୁ ଜଣାପଡିଛି ।

Advertisment

ଏନଏସଇର ପୂର୍ବତନ ସିଇଓ ଚିତ୍ରା ଓ ଯୋଗୀଙ୍କ ମଧ୍ୟରେ ଯେଉଁ ସବୁ ଇମେଲ୍ ଆଦାନ-ପ୍ରଦାନ ହୋଇଥିଲା, ସେସବୁକୁ ଉଦ୍ଧାର କରିବାରେ ସଫଳ ହୋଇଛି ସେବି । ଆଉ ଏହି ଇମେଲ୍ ହିଁ ପର୍ଦ୍ଦାଫାସ କରିଛି ଯେ, ଅଜ୍ଞାତ ଯୋଗୀ ଓ ଚିତ୍ରାଙ୍କ ମଧ୍ୟରେ ଥିବା ସମ୍ପର୍କ କେବଳ ଇମେଲରେ ସୀମିତ ନଥିଲା ।

ଯୋଗୀଙ୍କୁ ଭଲ ଲାଗୁଥିଲା ଚିତ୍ରାଙ୍କ କେଶ ! ଗୀତ ଗାଇ ଚିତ୍ରାଙ୍କୁ କରୁଥିଲେ ପ୍ରଭାବିତ ! ସେବି ଯେଉଁ ସନ୍ଧାନ ଚଳାଇଛି ସେଥିରୁ ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଛି ଯେ, ଯୋଗୀ ଓ ଚିତ୍ରାଙ୍କ ମଧ୍ୟରେ ଅନେକ ଥର ସାକ୍ଷାତ୍ ହୋଇଛି । ଚିତ୍ରା ଓ ଅଜ୍ଞାତ ଯୋଗୀଙ୍କ ମଧ୍ୟରେ ଯେଉଁ ଇମେଲ ଆଦାନପ୍ରଦାନ ହୋଇଛି ସେଥିରୁ ଯୋଗୀଙ୍କର ଚିତ୍ରାଙ୍କ ପ୍ରତି ଆକର୍ଷଣ ଥିଲା ବୋଲି ମନେ ହେଉଛି । ସେବି ଦ୍ୱାରା ଉଦ୍ଧାର ହୋଇଥିବା ଇମେଲରୁ ଯାହା ସୂଚନା ମିଳିଛି ଯୋଗୀ-ଚିତ୍ରାଙ୍କ ମଧ୍ୟରେ ସମ୍ପର୍କ ଇମେଲରେ ସୀମିତ ନଥିଲା । ୨୦୧୫ରେ ଦୁହିଁଙ୍କ ମଧ୍ୟରେ ବହୁବାର ସାକ୍ଷାତ୍ ହୋଇଥିଲା । ୨୦୧୮ ଦିଲ୍ଲୀର ସ୍ୱାମୀମଲାଇ ମନ୍ଦିରରେ ମଧ୍ୟ ଉଭୟଙ୍କ ସାକ୍ଷାତ୍ ହୋଇଥିଲା ।

- ୨୦୧୫, ଫେବ୍ରୁଆରୀ ୧୮ରେ ଚିତ୍ରାଙ୍କୁ ପଠାଇଥିବା ଏକ ଇମେଲ୍ରେ ତାଙ୍କ କେଶବିନ୍ୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ ତଥାକଥିତ ଯୋଗୀ
- ୨୦୧୭, ଫେବ୍ରୁଆରୀ ୧୭ରେ ପଠାଇଥିବା ଅନ୍ୟ ଏକ ଇମେଲ୍ରେ ସେ ଚିତ୍ରାଙ୍କୁ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଥିଲେ
- ସିସିଲି ଯାଇ ସେଠାରେ ସମୁଦ୍ରରେ ଗାଧୋଇବା ଓ ବେଳାଭୂମିରେ ବିଶ୍ରାମ କରିବା କଥା ଇମେଲ୍ରେ ଆଲୋଚନା କରିଥିଲେ
- ୨୦୧୫, ସେପ୍ଟେମ୍ବର ୧୬ରେ ଚିତ୍ରାଙ୍କୁ ‘ମକର କୁଣ୍ଡଳ’ ଗୀତ ପଠାଇଥିଲେ ଯୋଗୀ ଏବଂ ଚିତ୍ରା ତାହା ଶୁଣିଛନ୍ତି କି ନାହିଁ ଜାଣିବାକୁ ଚାହିଁଥିଲେ

ସେବିର ତଦନ୍ତବେଳେ ଚିତ୍ରା କହିଥିଲେ ଯେ, ହିମାଳୟରେ ରହୁଥିବା ତଥାକଥିତ ଯୋଗୀ ଜଣେ ପରମସିଦ୍ଧ ଆତ୍ମା, ଯାହାଙ୍କର କୌଣସି ଶରୀର ନାହିଁ । ସେ ଯେଉଁଠି ଚାହାଁନ୍ତି ସେଠାରେ ପ୍ରକଟ ହୁଅନ୍ତି । ମାତ୍ର ଚିତ୍ରା ଓ ଯୋଗୀଙ୍କ ଇ-ମେଲରୁ ଯାହା ସ୍ପଷ୍ଟ ହୋଇଛି ଯୋଗୀ ଜଣେ ସଶରୀର ବ୍ୟକ୍ତି ଏବଂ ଚିତ୍ରାଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା ।

୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ଏନଏସଇର ସିଇଓ ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ସେ ଜଣେ ଅଜଣା ଯୋଗୀଙ୍କ ସମ୍ପର୍କରେ ଥିଲେ । ଯିଏ ତାଙ୍କୁ ଷ୍ଟକ୍ ଏକ୍ସଚେଞ୍ଜ ଚଳାଇବା ଲାଗି ପରାମର୍ଶ ଦେଉଥିଲେ । ଚିତ୍ରା ତାଙ୍କୁ ‘ସିରୋମଣୀ’ ବୋଲି ସମ୍ବୋଧନ କରୁଥିଲେ । ଆଉ ତାଙ୍କ ସହ ଏନଏସଇର ସାଙ୍ଗଠନିକ ଢାଞ୍ଚା, ମାନବ ସମ୍ବଳ ନୀତି, ଲାଭାଂଶ ପ୍ରଦାନ ସ୍ଥିତି, ଆର୍ଥିକ ଫଳାଫଳ ଏବଂ ନିୟାମକ ସଂସ୍ଥାକୁ ଦିଆଯାଉଥିବା ଉତର ସଂକ୍ରାନ୍ତୀୟ ତଥ୍ୟ ସହ ଅନ୍ୟ ଗୋପନୀୟ ସୂଚନା ଯୋଗୀଙ୍କ ସହ ସେୟାର କରିଥିଲେ ଚିତ୍ରା । ଆଉ ଏଥିପାଇଁ ଚିତ୍ରାଙ୍କୁ ୩ କୋଟିର ଜରିମାନା କରିଛି ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ।