କନକ ବ୍ୟୁରୋ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ରାଜନୈତିକ ଜୀବନ ଯେତିକି ରୋଚକ ତାଙ୍କ ବ୍ୟକ୍ତିଗତ ଜୀବନ ବି ସେତିକି ଚର୍ଚ୍ଚିତ । ମୁଲାୟମଙ୍କ ଜୀବନରେ ସାଧନା ଗୁପ୍ତାଙ୍କ ପ୍ରବେଶ ସବୁଠାରୁ ଚର୍ଚ୍ଚିତ । ସାଧନା ଗୁପ୍ତାଙ୍କ ସହ ତାଙ୍କ ପ୍ରେମ କାହାଣୀ ସେତେବେଳର ସବୁଠୁ ବଡ କାହାଣୀ ଥିଲା । ଯେତେବେଳେ ମୁଲାୟମ ରାଜନୀତିର ଶୀର୍ଷରେ ଥିଲେ ସେହି ସମୟରେ ତାଙ୍କ ଜୀବନରେ ଆସିଥିଲେ ସାଧନା ଗୁପ୍ତା ।

Advertisment

୧୯୮୨ ବେଳକୁ ମୁଲାୟମ ଯେତେବେଳେ ଲୋକଦଳର ଅଧ୍ୟକ୍ଷ ଥିଲେ, ସେ ସମୟରେ ସାଧନା ପାର୍ଟିର କର୍ମକର୍ତ୍ତା ଭାବେ ସକ୍ରିୟ ଥିଲେ । ପ୍ରଥମ ଦେଖାରେ ହିଁ ସାଧନାଙ୍କୁ ପସନ୍ଦ କରିଥିଲେ ମୁଲାୟମ । ନିଜ ଠାରୁ ୨୦ ବର୍ଷ ସାନ ସାଧନାଙ୍କୁ ହୃଦୟ ଦେଇଥିଲେ । ସେତେବେଳକୁ ମୁଲାୟମଙ୍କର ପ୍ରଥମ ପତ୍ନୀ ଓ ପୁତ୍ର ଅଖିଳେଶ ଥିଲେ । ସାଧନା ମଧ୍ୟ ପୂର୍ବରୁ ବିବାହିତ ଥିଲେ । ଫରୁଖାବାଦର ଜଣେ ବ୍ୟବସାୟୀଙ୍କ ସହ ତାଙ୍କର ବିବାହ ହୋଇଥିଲେ ବି ଏସମ୍ପର୍କ ବେଶିଦିନ ତିଷ୍ଠିନଥିଲା । ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଦୁହେଁ ବିବାହିତ ହୋଇଥିଲେ ବି ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ନିଆରା ପ୍ରେମ ସମ୍ପର୍କ ।

୮୦ ଦଶକରେ ମୁଲାୟମଙ୍କର ଏହି ପ୍ରେମ କାହାଣୀ ବିଷୟରେ ଅମର ସିଂହଙ୍କ ବ୍ୟତୀତ କାହାରିକୁ ବି ଜଣାନଥିଲା । ଏହା ମଧ୍ୟରେ ୧୯୮୮ରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ସାଧନା । ଆଉ ଏବିଷୟରେ ଜାଣିପାରିଥିଲେ ମୁଲାୟମଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶଙ୍କ ମା’ମାଳତୀ ଦେବୀ ।

ଯେତେବେଳେ ମୁଲାୟମ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କର ଦୁଇଜଣ ସ୍ତ୍ରୀ ଥିବା ଗୁଜବ ହେଲା ।ହେଲେ କେହି ମୁହଁ ଖୋଲିନଥିଲେ । ନବେ ଦଶକର ଶେଷ ଆଡକୁ ଏ ବିଷୟରେ ମୁଲାୟମଙ୍କ ବଡ ପୁଅ ଅଖିଳେଶଙ୍କୁ ଏ ବିଷୟରେ ଜଣାପଡିଲା । ହେଲେ ଏହି ସମ୍ପର୍କକୁ ମାନିବାକୁ ନାରାଜ ଥିଲେ ଅଖିଳେଶ ।

୧୯୯୩-୨୦୦୭ ମଧ୍ୟରେ ମୁଲାୟମଙ୍କ ଶାସନ କାଳରେ ସାଧନା ଅପରିଜ୍ୟାପ୍ତ ସମ୍ପତ୍ତିର ମାଲିକାଣୀ ହୋଇଥିଲେ । ଆୟ ବହିର୍ଭୁତ ସମ୍ପତ୍ତି କୁ ନେଇ ତାଙ୍କ ବିରୋଧରେ ମାମଲା ମଧ୍ୟ ଥିଲା । ୨୦୦୩ରେ ମୁଲାୟମଙ୍କ ମା’ଙ୍କ ମୃତ୍ୟୁ ହୋଇଯିବା ପରେ ସାଧନାଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଲାଗିଲେ ମୁଲାୟମ ।ହେଲେ ଦୁହିଁଙ୍କ ସମ୍ପର୍କକୁ ସାର୍ବଜନିନ କରିବାକୁ ଚାହୁଁନଥିଲେ । ହେଲେ ଆଇନଗତ ଭାବେ ମୁଲାୟମଙ୍କ ପତ୍ନୀର ଅଧିକାର ପାଇବାକୁ ଚାହୁଁଥିଲେ ସାଧନା । ଏଥିପାଇଁ ସେ ଅମର ସିଂଙ୍କ ସାହାଯ୍ୟ ନେଇଥିଲେ । ସାଧନା ଓ ତାଙ୍କ ପୁଅ ପ୍ରତୀକକୁ ଗ୍ରହଣ କରିବାକୁ ମୁଲାୟମଙ୍କୁ ମନାଇଥିଲେ ଅମର ସିଂ । ଏଥର ଅମର ସିଂଙ୍କ କଥା ମାନିଥିଲେ ମୁଲାୟମ । ପରିବାର ଲୋକେ ଦୁହିଁଙ୍କ ଏହି ସମ୍ପର୍କକୁ ବିରୋଧ କରୁଥିଲେ ବି ସମୟ କ୍ରମେ ଦୁହିଁଙ୍କୁ ସ୍ୱୀକୃତି ଦେଇଥିଲେ ମୁଲାୟମଙ୍କ ପରିବାର ।

ରାଜନୀତିରେ ବି ବେଶ୍ ଦକ୍ଷ ଥିଲେ ମୁଲାୟମ । ସମାଜବାଦର ସ୍ତମ୍ଭ କୁହାଯାଉଥିବା ମୁଲାୟମଙ୍କର କେନ୍ଦ୍ରଠାରୁ ଆରମ୍ଭ ରାଜ୍ୟ ରାଜନୀତିରେ ଦବଦବା ଥିଲା । ଆଜି ତାଙ୍କର ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ମୁଲାୟମ ସିଂ କିଛି ଦିନ ହେବ ଏକାଧିକ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ । ୟୁରିନ୍ ସଙ୍କ୍ରମଣ ସାଙ୍ଗକୁ ବ୍ଲଡ ପ୍ରେସର, ଓ ଶ୍ୱାସ ଜନିତ ସମସ୍ୟାରେ ପୀଡିତ ଥିଲେ । ତେଣୁ ତାଙ୍କୁ ଅକ୍ଟୋବର ୨ ତାରିଖରୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା ।ଆଜି ସକାଳ ପାଖାପାଖି ୮ଟା ସମୟରେ ତାଙ୍କର ପରଲୋକ ହେବା ପରେ ରାଜନୀତି ମାହୋଲରେ ଶୋକର ଛାୟା ଖେଳିଯାଇଛି ।