ତାଲିବାନକୁ ନେଇ ପାକିସ୍ତାନ ଉପରେ ନାରାଜ ଆମେରିକା । ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିିଚାର କରାଯିବ କହିଲା ବାଇଡେନ ପ୍ରଶାସନ ।

245

କନକ ବ୍ୟୁରୋ: ଆଫଗାନିସ୍ତାନରେ କ୍ଷମତାର ପରିବର୍ତ୍ତନ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ଥିବା ବେଳେ ପାକିସ୍ତାନର ଭୂମିକା କାଠଗଡ଼ାକୁ ଆସିଛି । ପାକିସ୍ତାନର ସହାୟତା ହିଁ ତାଲିବାନକୁ ଏତେ ବଳବାନ କରିଥିବା କୁହାଯାଉଛି । ଏହାରି ଭିତରେ ତାଲିବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଲାଣି ।

ଆଫଗାନିସ୍ଥାନରୁ ଆମେରିକୀୟ ସେନାର ସମ୍ପୂର୍ଣ୍ଣ ଅପସାରଣ ଓ ଠିକ ପରେ ପରେ ହିଁ ତାଲିବାନର କବଜା ପ୍ରସଙ୍ଗରେ ଆମେରିକୀୟ କଂଗ୍ରେସରେ ଜୋରଦାର ଚର୍ଚ୍ଚା ହୋଇଛି । କଂଗ୍ରେସ ଆଗରେ ବାଇଡେନ ସରକାରର ପକ୍ଷ ରଖିଛନ୍ତି ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ । ତାଲିବାନ ଓ ପାକିସ୍ତାନର ସମ୍ପର୍କ ନେଇ ଆମେରିକା ତର୍ଜମା କରିବ । ତାଲିବାନର ଆଫଗାନିସ୍ତାନ କବଜାରେ ପାକିସ୍ତାନର ସ୍ୱତନ୍ତ୍ର ଭାବେ କେଉଁ ଭୂମିକା ଥିଲା, ତାହା ଉପରେ ମଧ୍ୟ ବିଚାର କରାଯିବ । ପାକିସ୍ତାନର ଭୂମିକାକୁ ନେଇ ଆମେରିକୀୟ କଂଗ୍ରେସର ବହୁ ନେତା ପ୍ରଶ୍ନ ଉଠାଇଛନ୍ତି । ଏପରିକି ଉଭୟ ଶାସକ ଡେମୋକ୍ରାଟ ଓ ବିରୋଧୀ ରିପବ୍ଲିକାନ ଦଳର ସଦସ୍ୟ ପାକିସ୍ତାନକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି

ଆମେରିକା ସେନାର ଅପସାରଣର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପୂରା ଆଫଗାନିସ୍ତାନକୁ ଏକ ପ୍ରକାର କବଜା କରିନେଇଥିଲା ତାଲିବାନ । ଆଫଗାନିସ୍ତାନ ସେନାକୁ କେମିତି ଏତେ ଶୀଘ୍ର ତାଲିବାନ ପରାସ୍ତ କରିଦେଲା, ତାହା ଏବେ ବି ଏକ ବଡ଼ ପ୍ରଶ୍ନ ପାଲଟିଛି । ଏହାସହ ଆଫଗାନ ସେନା ପାଖରେ ଯୁଦ୍ଧବିମାନ ଥିଲେ, ବି ତାଲିବାନ ବିରୋଧରେ କାହିଁକି ବ୍ୟବହାର ହେଲା ନାହିଁ, ତାହା ମଧ୍ୟ ରହସ୍ୟ ଘେରରେ । ତେବେ ପାକିସ୍ତାନର ହସ୍ତକ୍ଷେପ ଯୋଗୁଁ ତାଲିବାନ ସଫଳତା ପାଇଥିବା ବିଶେଷଜ୍ଞଙ୍କ ମତ । ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ପାକିସ୍ତାନର ଭୂମିକା ନେଇ ପଶ୍ନ ଉଠାଇଥିଲେ । ପାକିସ୍ତାନ ସହ ଆମେରିକାର ସମ୍ପର୍କ ଖରାପ ଆଡ଼କୁ ଯାଉଥିବା ବେଳେ ୱାଶିଂଟନ୍ ନୂଆଦିଲ୍ଲୀର ଆହୁରି ନିକଟତର ହେବାର ସମ୍ଭାବନା ରହିଛି । ଉଭୟ ଆମେରିକା ଓ ଭାରତ ଏବେ ଘନିଷ୍ଠ ସହଯୋଗୀ ।

ତାଲିବାନ ସରକାରରେ ହକ୍କାନିଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି । ହକ୍କାନି ନେଟୱର୍କ ସହ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ରହିଛି ଘନିଷ୍ଠ ସମ୍ପର୍କ । ତେବେ ଆମେରିକା ସରକାର ହକାନି ନେଟୱର୍କକୁ ପୂର୍ବରୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିସାରିଛି ।