କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ , ଆମେରିକା ସଂସଦରେ ପାରିତ ହୋଇଛି । ମହାଭିଯୋଗ ସପକ୍ଷରେ ୨୩୨ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଯାଇଛି ୧୯୭ ଭୋଟ୍ । ଏଥିପାଇଁ ଚାଲିଥିଲା ୧୦ ଘଂଟାର ବିତର୍କ । ବିତର୍କ ପରେ ଭୋଟିଂ ସମୟରେ ଟ୍ରମ୍ପଙ୍କ ନିଜ ଦଳର ୧୦ ସାଂସଦଙ୍କ ଭୋଟ୍ ତାଙ୍କ ବିପକ୍ଷରେ ଯାଇଥିଲା । ଆମେରିକା ସଂସଦରେ ମହାଭିଯୋଗ ପାରିତ ହେବା ପରେ , ଏବେ ସମସ୍ତଙ୍କ ନଜର ସିନେଟରେ କଣ ନେଉଛି ପଦକ୍ଷେପ ।

Advertisment

ଆମେରିକା ଗଣମାଧ୍ୟମ ପ୍ରତିନିଧିମାନେ ଏ ଯେଉଁ ଫଟୋ ଉଠାଉଛନ୍ତି ତାହା କଣ ଜାଣନ୍ତି । ଏହା ହେଉଛି ସେହି ଦସ୍ତାବିଜ ଯାହା ଉପରେ ଏବେ ରହିଛି ସାରା ବିଶ୍ୱର ନଜର । କାରଣ ଆଗାମୀ ସମୟରେ ଆମେରିକା ଇତିହାସରେ ଯୋଡି ହେବାକୁ ଯାଉଥିବା କଳାଫର୍ଦର ଏହା ହେବ ଜୀବନ୍ତ ଛାପ । ଏ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆମେରିକା ରାଜନୀତିରେ ତିଆରି ହେଉଥିବା କଂଟକିତ ପଥର ପ୍ରଥମ ପାହାଚ । ଟ୍ରମ୍ପଙ୍କ ବିରୋଧରେ ଆସିବାକୁ ଥିବା ମହାଭିଯୋଗ ପ୍ରସ୍ତାବର ଦସ୍ତାବିଜ । ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସୀ ଏହାକୁ ସଂସଦରେ ଆଗତ ଆଗରୁ ଗଣମାଧ୍ୟମ ଆଗରେ ଏହାକୁ ସାର୍ବଜନୀନ କରିଛନ୍ତି ।

ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସୀ ମହାଭିଯୋଗ ପ୍ରସ୍ତାବକୁ ସଂସଦରେ ଆଗତ କରିବା ପରେ ପରେ ଆରମ୍ଭ ହୋଇଥିଲା ଚର୍ଚା । ପ୍ରାୟ ୧୦ ଘଂଟା ଧରି ଚାଲିଥିଲା ମାରାଥନ୍ ଡିବେଟ୍ । ଆମେରିକା ସଂସଦର ଏହି ଚର୍ଚାକୁ ଦେଖୁଥିଲା ସାରା ବିଶ୍ୱ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାରେ ଥିବା ବ୍ୟକ୍ତିଙ୍କୁ କ୍ଷମତାରୁ ହଟାଇବାକୁ ଏହା ହେଉଛି ସବୁଠାରୁ କଠୋର ପଦକ୍ଷେପ ।

ବୋଧହୁଏ କେବେ ଏପରି ଏକ ଦିନ ଆସିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱପ୍ନରେ ବି ଭାବିନଥିବେ । କାରଣ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଇ ବର୍ଷରେ ଦୁଇଥର ଆସିଛି ମହାଭିଯୋଗ ପ୍ରସ୍ତାବ । ଆଉ ଏଥର ଏହି ମହାଭିଯୋଗରୁ ବର୍ତିବା କାଠିକର ପାଠ ହୋଇଯିବ ।

ଆମେରିକା ସଂସଦର ହାଉସ୍ ଅଫ୍ ରି ପ୍ରେଜେଂଟେଟିଭ୍ ବା ପ୍ରତିନିଧି ସଭାରେ ୧୦ ଘଂଟା ଧରି ଚାଲିଥିଲା ମହାଭିଯୋଗ ପ୍ରସ୍ତାବ ଉପରେ ବଡ ବିତର୍କ । ଆମେରିକା ସଂସଦ ଭବନ ପରିସରରେ ହୋଇଥିବା ଜାନୁଆରୀ ୬ ତାରିଖର ଦଙ୍ଗା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହିଁ ଦାୟୀ ବୋଲି ଯୁକ୍ତି ଦର୍ଶାଇଥିଲେ ଡେମୋକ୍ରାଟିକ୍ ପାର୍ଟି ର ସାଂସଦ ।

ରିପବ୍ଲିକାନ୍ ପାର୍ଟିର ସାଂସଦ ମହାଭିଯୋଗ ବିତର୍କରେ ଭାଗ ନେଇ ଜଣେ ବିଦାୟୀ ରାଷ୍ଟ୍ରପତିଙ୍କ ବିରୋଧରେ ଏପରି ଏକ ମହାଭିଯୋଗ ଆଣିବା ଅପ୍ରାସଙ୍ଗିକ ରହିବା ନେଇ ଯୁକ୍ତି ଦର୍ଶାଇ ଏହାକୁ ବିରୋଧ ବି କରିଥିଲେ । ଏପରି ସ୍ଥିତି ଦେଶରେ ବିଭାଜନ ସୃଷ୍ଟି କରିପାରେ ବୋଲି ରିପବ୍ଲିକାନ୍ ସାସଂଦ ଯୁକ୍ତି ବାଢିଥିଲେ । ଏହାର ଜବାବରେ ବାଚସ୍ପତି ନାନସୀ ପେଲୋସୀ କହିଥିଲେ ଯେ ଟ୍ରମ୍ପଙ୍କ କାର୍ଯ୍ୟ ଆମେରିକା ଇତିହାସରେ କଳଙ୍କର ଫର୍ଦ୍ଦ ଯୋଡି ଦେଇଛି ।

ଆମେରିକା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ଟ୍ରମ୍ପ । ତେବେ ଏସବୁ ଭିତରେ ୧୦ ଜଣ ରିପବ୍ଲିକାନ୍ ସାଂସଦଙ୍କ ମହାଭିଯୋଗକୁ ସମର୍ଥନ ପରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ଗୃହୀତ ହୋଇଯାଇଛି । ଏହା ହିଁ ଟ୍ରମ୍ପଙ୍କ ପାଇଁ ହୋଇଛି ବଡ ଝଟକା ।