କନକ ବ୍ୟୁରୋ: ୟୁକ୍ରେନ ସୀମାରୁ ସେନା ଅପସାରଣ କରାଯାଉଥିବା ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିବା ପରେ ଆଶା କରାଯାଉଥିଲା ଯେ, ଉତ୍ତେଜନା କମିବ । ହେଲେ ଏବେ ଆମେରିକା ପକ୍ଷରୁ ଯେଉଁ ବୟାନ ଆସିଛି, ତାହା ଘଟଣାକୁ ନୂଆ ମୋଡ଼ ଦେଇଛି । ଋଷ ଯେ ସତରେ ୟୁକ୍ରେନ ସୀମାରୁ ସୈନ୍ୟ ହଟାଇଛି, ଏହାକୁ ନେଇ ସନ୍ଦେହ ପ୍ରକଟ କରିଛି ବାଇଡେନ ପ୍ରଶାସନ । ଆମେରିକାର ଅଭିଯୋଗ ଯେ, ରୁଷ୍ ସୈନ୍ୟ ପ୍ରତ୍ୟାହାର କରୁନାହିଁ, ବରଂ ଅଧିକ ସେନା ଏକାଠି କରିବାରେ ଲାଗିଛି ।

Advertisment
  • କିଏ କହୁଛି ସତ ?
  • ଋୁଷ୍ ନା ଆମେରିକା
  • ୟୁକ୍ରେନ ସୀମାର ସତ କ’ଣ ?

ଆମେରିକା ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଋଷ୍ ସୀମାରେ ଅଧିକ ୭ ହଜାର ସେନା ଠୁଳ କରିଛି । ପ୍ରତ୍ୟାହାର କଥା ଏକ ଛଳନା, ଆଉ ଏହାକୁ ବାହାନା କରି କୌଣସି ମୁହୂର୍ତ୍ତରେ ରୁଷ୍ ୟୁକ୍ରେନକୁ ଆକ୍ରମଣ କରିପାରେ ବୋଲି ସେ କହିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ସମାନ କଥା କହିଛନ୍ତି । ତାଙ୍କ କହିବା କଥା ହେଲା, ଋଷ୍ କୌଣସି ସେନା ହଟାଇ ନାହିଁ, ବରଂ ସୈନ୍ୟ ପରିବର୍ତ୍ତନ କରିଛି । ବ୍ରିଟେନର ଗୁଇନ୍ଦା ବିଭାଗ ମୁଖ୍ୟ ମଧ୍ୟ ଦାବି କରିଛନ୍ତି ଯେ, ୟୁକ୍ରେନ ସୀମାରେ ଅଧିକ ସେନା ଏକଜୁଟ କରୁଛି ରୁଷ୍

ୟୁକ୍ରେନ ବିବାଦ ତେଜିବା ପରେ କୂଟନୈତିକ ସମାଧାନ ପାଇଁ ଜର୍ମାନୀ ଓ ଫ୍ରାନ୍ସ ପରି ଦେଶ ପ୍ରୟାସ ଆରମ୍ଭ କରିଥିଲେ । ଏପରିକି ପୁତିନଙ୍କୁ ଭେଟି ଏପ୍ରସଙ୍ଗରେ ଆଲୋଚନା କରଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ବୁଧବାର ରୁଷ୍ ଘୋଷଣା କରିଥିଲା ଯେ, ୟୁକ୍ରେନ ସୀମାରୁ କିଛି ସେନା ଫେରିବା ଆରମ୍ଭ କରିଛନ୍ତି । ନାଟୋରେ ସାମିଲ ହେବ ନାହିଁ ବୋଲି ୟୁକ୍ରେନର ଜଣେ ମନ୍ତ୍ରୀ କହିବା ପରେ ଋଷ୍ ପକ୍ଷରୁ ଏହି ଘୋଷଣା ହୋଇଥିଲା । ରୁଷ୍ ଓ ୟୁକ୍ରେନ ମଧ୍ୟରେ ଏବେ ଚାଲିଥିବା ବିବାଦର ଏକ କାରଣ ପାଲଟିଛି ନାଟୋ । ନାଟୋ ସହ ରୁଷର ଶତ୍ରୁତା ରହି ଆସିଛି । ଏହି ସମୟରେ ନାଟୋରେ ୟୁକ୍ରେନ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ଏହାପରେ ୟୁକ୍ରେନ-ରୁଷ୍ ବିବାଦ ତେଜିଥିଲା ।

ଋଷର ସୈନ୍ୟ ପ୍ରତ୍ୟାହାର ଘୋଷଣା, ଏପଟେ ଆମେରିକା ଓ ୟୁକ୍ରେନର ସନ୍ଦେହ, ମାମଲାକୁୁ ଆହୁରି ଜଟିଳ କରିଦେଇଛି । ହେଲେ କିଏ ସତ କହୁଛି, କିଏ ମିଛ କହୁଛି, ହୁଏତ କିଛି ଦିନ ପରେ ସ୍ପଷ୍ଟ ହେବ ।