ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା । 

97

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ବଡ ସମ୍ମାନ । ଆମେରିକାର ସମ୍ମାନ ‘ଲେଜିଅନ ଅଫ୍ ମେରିଟ୍’ରେ ସମ୍ମାନୀତ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଭାରତ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ ବିଶ୍ୱ ଶକ୍ତି ଭାବେ ଉଭା ହେବା ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସନ୍ଧୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ମଧ୍ୟ ଲେଜିଅନ୍ ଅଫ୍ ମେରିଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଆମେରିକୀୟ ସମ୍ମାନ ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଳାୟ କହିଛି, ଏହି ପଦକ ହେଉଛି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ନେତୃତ୍ୱ । ଏହା ମାଧ୍ୟମରେ ଭାରତ-ଆମେରିକାର ରଣନୀତିକ ଭାଗୀଦାରୀ ବୃଦ୍ଧି ଓ ବିଶ୍ୱ ଶକ୍ତି ଭାବେ ଉଭା ହେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୧୯୪୨ ଜୁଲାଇ ୨୦ରେ ଆମେରିକା ସଂସଦ ଦ୍ୱାରା ଲେଜିଅନ ଅଫ୍ ମେରିଟ ପ୍ରଦାନ ଆରମ୍ଭ ହୋଇଥିଲା । ଉଲ୍ଲେଖନୀୟ ସେବା ଏବଂ ସଫଳତା ଲାଗି ଆମେରିକୀୟ ସେନା ବିଦେଶୀ ସୈନ୍ୟ ସଦସ୍ୟ ଏବଂ ରାଜନେତା ମାନଙ୍କୁ ଏହି ସମ୍ମାନ ପ୍ରଦାନ କରିଥାଏ ।

ଲେଜିଅନ୍ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ ହେବା ପରେ ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ଏହା ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରୀ ସୁଦୃଢ ହୋଇପାରିବ ବୋଲି ସେ କହିଛନ୍ତି ।