ପାକିସ୍ତାନର ନୂଆ ସରକାରକୁ ଆମେରିକା ଓ ଭାରତର ଚେତାବନୀ । ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜାରିକଲେ ଜଏଣ୍ଟ୍ ଷ୍ଟେଟମେଣ୍ଟ

511

କନକ ବ୍ୟୁରୋ: ପାକିସ୍ତାନ ରାଜନୀତିର ରୂପରେଖ ବଦଳିଯାଇଛି । ସରକାର ବଦଳିଛି । ପ୍ରଧାନମନ୍ତ୍ରୀ ଚେହେରା ବି ବଦଳିଯାଇଛି । ଆଉ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପାକିସ୍ତାନ ମୁସଲିମ ଲିଗ-ନୱାଜ ନେତା ଶାହୱାଜ ଶରିଫ । କୁହାଯାଉଛି ରିମୋଟରେ ପରିଚାଳିତ ହେବ ଶାହବାଜ ସରକାର । ଆଉ ରିମୋଟ କଂଟ୍ରୋଲ ରହିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାହବାଜଙ୍କ ବଡ ଭାଇ ନୱାଜ ଶରିଫଙ୍କ ହାତରେ । ସେପଟେ ପାକିସ୍ତାନରେ ନୂଆ ସରକାର ଦାୟିତ୍ୱ ନେବା ପରେ ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ମିଳିତ ବିବୃତି ଜାରି କରିଛି ଆମେରିକା ଓ ଭାରତ ।

  • ଶାହୱାଜ ସରକାରକୁ ଆମେରିକା ଓ ଭାରତର ଚେତାବନୀ
  • ଆତଙ୍କବାଦ ବିରୋଧରେ ପାକିସ୍ତାନ ନେଉ ଦୃଢ ନିଷ୍ପତ୍ତି

ପାକିସ୍ତାନରେ ଶାହାୱାଜ ଶରିଫ ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆମେରିକା ଓ ଭାରତ ତରଫରୁ ଚେତାବନୀ ଦିଆଯାଇଛି । ଆମେରିକା ଓ ଭାରତ ଭିତରେ ଟୁ ପ୍ଲସ ଟୁ ବୈଠକ ପରେ ଉଭୟ ଦେଶ ପକ୍ଷରୁ ମିଳିତ ଭାବେ ଏଭଳି ଏକ ବିବୃତି ଜାରି କରାଯାଇଛି । ଏଥିରେ ପାକିସ୍ତାନର ନୂଆ ସରକାରକୁ ଆତଙ୍କବାଦ ବିରୋଧରେ ତୁରନ୍ତ, ଶକ୍ତ ଏବଂ ଅପରିବର୍ତ୍ତନୀୟ ନିଷ୍ପତି ନେବାକୁ କୁହାଯାଇଛି । ଆମେରିକା ଓ ଭାରତ ପକ୍ଷରୁ ଜାରି କରାଯାଇଥିବା ଜଏଣ୍ଟ୍ ଷ୍ଟେଟମେଣ୍ଟ୍ ବା ମିଳିତ ବିବୃତିରେ ପାକିସ୍ତାନର ନୂଆ ସରକାରକୁ ଅଲ-କଏଦା, ଆଇଏସଆଇଏସ, ଲସ୍କର-ଇ-ତୋଇବା, ଜୈଶ-ଇ-ମୋହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଅନୁଷ୍ଠାନ ବିରୋଧରେ ତୁରନ୍ତ, ଶକ୍ତ ଓ ଅପରିବର୍ତନୀୟ ନିଷ୍ପତି ନେବାକୁ କୁହାଯାଇଛି । ପାକିସ୍ତାନର ମାଟି ଯେପରି ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ନହୁଏ ସେଥିପାଇଁ ନୂଆ ସରକାରଙ୍କୁ ଚେତାବନୀ ଦେଇଛି ଆମେରିକା ଓ ଭାରତ ।

ବର୍ଷ ବର୍ଷ ଧରି ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ନଜିର ରହିଛି । ସେଥିପାଇଁ ସରକାରରେ ଆସିବା ପରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ କିଛି ଏପରି ଚେତାବନୀ ଦେଇଛି ଆମେରିକା ଓ ଭାରତ ।

  • ରିମୋଟରେ ପରିଚାଳିତ ହେବେ ପ୍ରଧାନମନ୍ତ୍ରୀ ଶାହୱାଜ ଶରିଫ
  • ସରକାରଙ୍କ କମାନ ରହିବ ନୱାଜ ଶରିଫଙ୍କ ହାତରେ

ବେଆଇନ୍ ଟଙ୍କା ହେରଫେର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଚଳିତ ମାସ ଶେଷ ସୁଦ୍ଧା ପାକିସ୍ତାନ ଫେରି ପାରନ୍ତି ବୋଲି ପାକିସ୍ତାନ ଗଣମାଧ୍ୟମରୁ ଜଣା ପଡିଛି । ସ୍ୱଦେଶ ଫେରିବା ପରେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯେଉଁ କେସ୍ ଚାଲିଛି ସେଥିରୁ ତାଙ୍କୁ ଆଶ୍ୱସ୍ତି ବି ମିଳିପାରେ । ଏହାସହ ଦେଶରେ ସରକାର ଚଳାଇବାରେ ବି ବଡ ଭୂମିକା ତୁଲାଇ ପାରନ୍ତି ନୱାଜ । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ କେବଳ ରିମୋଟରେ ପରିଚାଳିତ ହେବେ ଏବଂ ସବୁ ନିଷ୍ପତି ନୱାଜ ଶରିଫ ନେବେ ବୋଲି ପାକିସ୍ତାନର ଜିଓ ନ୍ୟୁଜର ଏକ ରିପୋର୍ଟରୁ ଜଣାପଡିଛି ।

କୁହାଯାଉଛି ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସଂସଦରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ଏହା ପଛରେ ବି ମାଷ୍ଟର ମାଇଣ୍ଡ ନୱାଜ ଶରିଫ ରହିଥିଲେ । ଆଉ ଇମ୍ରାନଙ୍କ ସରକାର ଭାଙ୍ଗିବା ପରେ ହିଁ ସେ ପାକିସ୍ତାନ ଫେରିବେ ବୋଲି କହିଥିଲେ । ସେପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶାହୱାଜ ଶରିଫ ଦାୟିତ୍ୱ ନେବା ପରେ ପୂର୍ବ ପିଏମ୍ ଇମ୍ରାନ ଖାନ୍ ଓ ତାଙ୍କ ଦଳ ପାଇଁ ସମସ୍ୟା ବଢିବାରେ ଲାଗିଛି । ସୁପ୍ରିମକୋର୍ଟ ବିରୋଧରେ ମିଥ୍ୟା ଖବର ପ୍ରଚାର କରିବା ନେଇ ଇମ୍ରାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ ଦଳର ୮ଜଣ ସୋସିଆଲ ମିଡିଆ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଆଗକୁ ତାଙ୍କ ବିରୋଧରେ ବି ଅନେକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଜଣା ପଡିଛି ।