ବିଜେପି ଦଖଲରେ ହିନ୍ଦୀ ହାର୍ଟଲ୍ୟାଣ୍ଡ । ଇଭିଏମ୍ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ନେଇ ତେଜିଲା ବିତର୍କ । କେନ୍ଦ୍ରମନ୍ତ୍ରୀ କହିଲେ, କଂଗ୍ରେସ ହାରିଲେ ଇଭିଏମକୁ ଦିଏ ଦୋଷ

93

କନକ ବ୍ୟୁରୋ: ତେଲେଙ୍ଗାନାରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଛି । ଦକ୍ଷିଣ ଭାରତରେ କର୍ଣ୍ଣାଟକ ପରେ ତେଲେଙ୍ଗାନାରେ ବିଜୟ ଦଳକୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ପରାଜୟର ସାନ୍ତ୍ୱନା ଦେଇଛି । ହେଲେ ଏବେ ମଧ୍ୟପ୍ରଦେଶର ନେତା ଦାବି କରିଛନ୍ତି ଜନତା ଯେଉଁ ଇଭିଏମରେ ଭୋଟ ଦେଇଛନ୍ତି ସେଥିରେ ଟାମ୍ପରିଂ ହୋଇପାରିବ । ତେବେ ବିରୋଧୀ କଂଗ୍ରେସର ଏହି ଦାବି ଏବେର ନୁହଁ । ନିର୍ବାଚନ ଆସିଲେ ଏହି ପ୍ରସଙ୍ଗ ଉଠେ ଆଉ ପରେ ଥମିଯାଏ । ହେଲେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବ୍ୟବହୃତ ଇଭିଏମରେ ଚିପ୍ ଲାଗିଛି କହିବା କେତେଦୂର ଗ୍ରହଣଯୋଗ୍ୟ ତାକୁ ନେଇ ଚର୍ଚ୍ଚା ବଢିଛି । କାରଣ ଏକାକୀ ଦିଗବିଜୟ ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ସମାନ ଦାବି କରିଛନ୍ତି । ଏହି ଅଭିଯୋଗ ସେତେବେଳେ ଉଠିଛି ଯେଉଁ ସମୟରେ କଂଗ୍ରେସ ହାଇକମାଣ୍ଡ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଦଳର ପରାଜୟର ସମୀକ୍ଷା କରୁଛନ୍ତି ଏବଂ ୨୪ ନିର୍ବାଚନ ପୂର୍ବରୁ ନୂଆ ଟିମ୍ ଗଢି ଏବେର ଟିମକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି ।

  • ଲୋକସଭା ନିର୍ବାଚନ ପୂର୍ବରୁ ଇଭିଏମ୍ ହେବ କି ମୁଦ୍ଦା?
  • ବାଲଟ ପେପରରେ ମତଦନ ପାଇଁ ତେଜିଲା ଦାବି

କଂଗ୍ରେସ ନେତା ଦିଗବିଜୟ ସିଂହ, କମଲନାଥ, ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଇଭିଏମ୍ ପ୍ରସଙ୍ଗରେ ନିଜସ୍ୱ ଶୈଳୀରେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ନିର୍ବାଚନ କମିସନଙ୍କ ନିର୍ବାଚନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କିନ୍ତୁ ସାଧାରଣରେ ପ୍ରଶ୍ନ ଉଠୁଛି ଏକା ପ୍ରକାର ଦେଖାଯାଉଥିବା ଇଭିଏମ୍ ଏବଂ ଭିଭିପାଟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବ୍ୟବହାର ବେଳେ ଚିପ୍ ଲାଗିପାରିଲା କିନ୍ତୁ କର୍ଣ୍ଣାଟକ ଓ ତେଲେଙ୍ଗାନାରେ କାହିଁକି ଲାଗିପାରିଲାନି । ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ବିଜେପିର ବିଜୟକୁ ଇଭିଏମର ଜନାଦେଶ ବୋଲି କହିଛନ୍ତି । ତାଙ୍କ ମତରେ, ଲୋକମାନେ ଚାହୁଁଛନ୍ତି ଯେ ଥରେ ବାଲଟ୍ ଦ୍ୱାରା ନିର୍ବାଚନ ଅନୁଷ୍ଠିତ ହେଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣତନ୍ତ୍ରର ସୁରକ୍ଷା ସୁନିଶ୍ଚିତ କରିବା ଉଚିତ । ଇଭିଏମର ମନୋବଳର ଅର୍ଥ ଲୋକଙ୍କ ମନୋବଳ ନୁହେଁ ।

ତେବେ ବିଜେପି କହିଛି ଯେ ମୋଦୀଙ୍କ ଗ୍ୟାରେଣ୍ଟିଂ ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇଛି । ଏବଂ ରାହୁଲ ଗାନ୍ଧୀଙ୍କ ପ୍ରେମର ଦୋକାନ ବନ୍ଦ ହୋଇଛି । କିନ୍ତୁ ମୋଦୀ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାର ଗ୍ୟାରେଟିଂ, ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିଶ୍ରୁତି କଥା କହି ବିରୋଧୀ ଦେଇଛନ୍ତି ଜବାବ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରଶ୍ନ କରିଛନ୍ତି ଯେ ଆମେରିକା-ଜାପାନରେ ବାଲଟ ପେପର ବ୍ୟବସ୍ଥା ଅଛି । ତେଣୁ ଭାରତ କାହିଁକି ଲାଗୁହେବନି?