ବିଜୟ ପରେ କଂଗ୍ରେସକୁ ସମାଲୋଚନା । ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ । ସେପଟେ ପ୍ରିୟଙ୍କାଙ୍କ ଥଟ୍ଟାର ଜବାବ ଦେଲେ ସିନ୍ଧିଆ

201

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପି ବିପୁଳ ବିଜୟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଭଳି କି ଭଳି ପ୍ରତିକ୍ରିୟା ସବୁ ଦେଖିବାକୁ ମିଳିଛି । କଂଗ୍ରେସକୁ ପରାଜୟ ନେଇ ବିଜେପିର ବରିଷ୍ଠ ନେତାମାନେ ଜୋରଦାର ସମାଲୋଚନା କରିଛନ୍ତି ।

  • ବିଜୟ ପରେ କଂଗ୍ରେସକୁ ସମାଲୋଚନା
  • ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ

ସୋସିଆଲ ମିଡିଆରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମଜାକ ଉଡାଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ । ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପିର କ୍ଲିନ୍ ସ୍ୱିପ୍ ପରେ ରାହୁଲଙ୍କ କିଛି ମଜାଳିଆ ଭିଡିଓ ସେୟାର କରିଛନ୍ତି ପିୟୁଷ ଗୋଏଲ । ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ପାଲଟିଥିବା ମୋଏ ମୋଏ ଲାଇନଙ୍କୁ ଯୋଡି ଏହି ଭିଡିଓ କରାଯାଇଛି । ଆଉ କ୍ୟାପସନରେ ଲେଖାଯାଇଛି, ସତ ହେଲା ରାହୁଲଙ୍କ କଥା ।

  • ଉଚ୍ଚତାକୁ ନେଇ ଥଟ୍ଟା କରିଥିଲେ ପ୍ରିୟଙ୍କା
  • ବିଜୟ ପରେ ଜବାବ ରଖିଲେ ସିନ୍ଧିଆ

ସେପଟେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶରେ ବଡ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହାନ, ନରେନ୍ଦ୍ର ସିଂହ ତୋମାର ଏବଂ ମଧ୍ୟପ୍ରଦେଶ ଅନ୍ୟ ବରିଷ୍ଠ ବିଜେପି ନେତା ବିଜୟ ଉତ୍ସବ ପାଳନ କରୁଛନ୍ତି । ଏହିସମୟରେ ସିନ୍ଧିଆ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, କେହି ଜଣେ ମୋ ଉଚ୍ଚତାକୁ ନେଇ ଟିପ୍ପଣୀ ଦେଇଥିଲେ, ଆଜି ଜନତା ତାର ଠିକ୍ ଜବାବ ଦେଇଛନ୍ତି । କିଛି ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ସିନ୍ଧିଆଙ୍କ ଉଚ୍ଚତାକୁ ନେଇ କଟାକ୍ଷ କରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା କହିଥିଲେ, ସିନ୍ଧିଆଙ୍କ ହାଇଟ୍ ଛୋଟ, ମାତ୍ର ତାଙ୍କ ଅହଙ୍କାର ବହୁତ ବଡ଼ ।

  • ପୁଣି ଟ୍ରେଣ୍ଡ କଲା ‘ପନୌତି’ ଶବ୍ଦ
  • ପରାଜୟ ପରେ ରାହୁଲଙ୍କୁ ସମାଲୋଚନା

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପନୌତି କହି ଏକ ନୂଆ ବିବାଦ ଆରମ୍ଭ କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ବିଶ୍ୱକପ୍ କ୍ରିକେଟରେ ହାରିବା ପାଇଁ ମୋଦୀଙ୍କୁ ଦାୟୀ କରିବା ସହ ଅଶୁଭ ବୋଲି କହିଥିଲେ ରାହୁଲ । ହେଲେ ବିଧାନସଭା ନିର୍ବାଚନରେ ଭୟଙ୍କର ପରାଜୟ ପରେ ଏବେ ରାହୁଲଙ୍କୁ ପନୌତି ବା ଅଶୁଭ ବୋଲି କହି ସମାଲୋଚିତ କରୁଛନ୍ତି ବିଜେପି ନେତା । ଏପରିକି କିଏ ଅଶୁଭ କହି ସୋସିଆଲ ମିଡିଆରେ ଏକାଧିକ ପୋଷ୍ଟ ବି ସେୟାର କରାଯାଉଛି । ଏଗଜିଟ୍ ପୋଲର ସବୁ ମତାମତ ଫେଲ ମାରିଛି । ତେଲେଙ୍ଗାନାକୁ ଛାଡିଦେଲେ ଆଉ କେଉଁଠି ବି ବିଜେପି-କଂଗ୍ରେସ ଭିତରେ ଟକ୍କର ହୋଇ ନାହିଁ । ବରଂ ବିଜେପି ବହୁମତ ସଂଗ୍ରହ କରିବାରେ ସଫଳ ହୋଇଛି ।

୫ ରାଜ୍ୟ ବିଧାନସଭା ନିର୍ବାଚନରେ ତିନି ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଆଉ ଏହାର ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନରେ ପଡିବ ବୋଲି ଆଶା କରାଯାଉଛି ।