୫୦ଟି ଏଲଏନଜି ଇନ୍ଧନ ଷ୍ଟେସନର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ । ଆଗାମୀ ୩ ବର୍ଷରେ ୧ ହଜାର ଏଲଏନଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା

96

କନକ ବ୍ୟୁରୋ : ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶରେ ପ୍ରଥମ ୫୦ଟି ଏଲ୍ଏନ୍ଜି ଇନ୍ଧନ ଷ୍ଟେସନର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କୋରିଡର ଏବଂ ଖଣି ଅଞ୍ଚଳ ମାନଙ୍କରେ ୧ ହଜାର ଏଲଏନଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରାଯିବାର ଯୋଜନା କରାଯାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଏଲଏନଜିକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ରାଜପଥ ଗୁଡିକରେ ୫୦ଟି ଏଲଏନଜି ଇନ୍ଧନ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଦିଗରେ ବଡ ପଦକ୍ଷେପ । ତୈଳ ଓ ଗ୍ୟାସ ଉଦ୍ୟୋଗ ସଂସ୍ଥା ଯଥା ଇଣ୍ଡିଆନ ଅଏଲ, ଏଚପିସିଏଲ, ଗେଲ୍ ଇଣ୍ଡିଆ, ପେଟ୍ରୋନେଟ୍ ଏଲଏନଜି ଓ ଗୁଜୁରାଟ ଗ୍ୟାସ, ଯୌଥ ଉଦ୍ୟୋଗ କମ୍ପାନୀ ତଥା ସହାୟକ କମ୍ପାନୀ ଗୁଡ଼ିକ ସହଯୋଗରେ ଏହି ସବୁ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବ ।

ଉର୍ଜା ଦକ୍ଷତା ଦୃଷ୍ଟିରୁ ପରିବହନ ଇନ୍ଧନ ଭାବରେ ଏଲଏନଜିର ବ୍ୟବହାର ଦ୍ୱାରା ଏକାଧିକ ଲାଭ ଅଛି । ଏଲଏନଜିର ବ୍ୟବହାର ବଢ଼ିଲେ ଦେଶରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବ । ଏଲଏନଜି କ୍ଷେତ୍ରରେ ଦେଶରେ ଆମଦାନୀ କମିବା ସହ ଏହି ଇନ୍ଧନକୁ ବ୍ୟବହାର କରାଯାଇ ଜାହାଜ ଏବଂ ଗାଡି ନିର୍ମାଣ କରୁଥିବା ସଂସ୍ଥା ତଥା ଗ୍ୟାସ କ୍ଷେତ୍ରରେ ବ୍ୟାପକ ଅର୍ଥ ସଞ୍ଚୟ କରାଯାଇପରିବ ।

ପରିବହନ କ୍ଷେତ୍ରରେ ଏଲଏନଜିର ଅଭିବୃଦ୍ଧି ଘଟିଲେ ଏହା ରୋଜଗାର, ଦକ୍ଷତା ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ସହାୟକ ହୋଇପାରିବ । ପରିବହନ କ୍ଷେତ୍ରରେ ଏଲଏନଜି ଆଗାମୀ ଭବିଷ୍ୟତର ଇନ୍ଧନ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।