ବିଜେପିର ଦ୍ୱିତୀୟ ତାଲିକାରେ ବି କେନ୍ଦ୍ରମନ୍ତ୍ରୀ ନିରାଶ: କଣ ହେବ ବିଶ୍ୱେଶ୍ୱରଙ୍କ ଟୁଡୁଙ୍କ ରାଜନୈତିକ ଭବିଷ୍ୟତ?

684

କନକ ବ୍ୟୁରୋ: ବିଜେପିର ଦ୍ୱିତୀୟ ତାଲିକାରେ ବି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନିରାଶ ହେବାକୁ ପଡିଛି । କୌଣସି ବିଧାନସଭା ଆସନରେ ତାଙ୍କୁ ଟିକେଟ ଦେଇନାହିଁ ଦଳ । ଏହାଛଡା ସାରସକଣା ବିଧାୟକ ବୁଧାନ ମୁର୍ମୁଙ୍କ ଟିକେଟ କଟିଛି । ଏଥିରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ଟିକେଟ କାହିଁକି କଟିଲା ବୋଲି ପ୍ରଶ୍ନକରି ବର୍ଷିଛନ୍ତି ବୁଧାନ ମୁର୍ମୁ ।

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହେଲା । କିନ୍ତୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ସାମିଲ ହେଲାନି । କୁହାଯାଉଥିଲା, ମୟୁରଭଞ୍ଜ ଲୋକସଭା ଆସନରେ ବାକିଥିବା ବାଙ୍ଗିରିପୋଷି , କରଞ୍ଜିଆ ଓ ସାରସକଣା ବିଧାନସଭା ଆସନରେ କେନ୍ଦ୍ରମନ୍ତ୍ରୀଙ୍କୁ ଥଇଥାନ କରିପାରେ ବିଜେପି । କିନ୍ତୁ ଏଥର ବି ବିଶ୍ୱେଶ୍ୱରଙ୍କୁ ନିରାଶ ହେବାକୁ ପଡିଛି । ଏହା କେନ୍ଦ୍ରମନ୍ତ୍ରୀଙ୍କୁ ଶକ୍ତ ଝଟକା ଦେଇଛି । ମୟୁରଭଞ୍ଜ ସାଂସଦ ଭାବେ ଲୋକସଭା ଯାଇଥିବା ଟୁଡୁ ବିଜେପିର ଆଦିବାସୀ ଚେହେରା ଥିଲେ । ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବି ସାମିଲ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ହେବା ପରେ ଅନେକ ବିବାଦରେ ଫସିଥିଲେ ବିଶ୍ୱେଶ୍ୱର ଟୁଡୁ । ମୟୁରଭଞ୍ଜରେ ସରକାରୀ ଅଧିକାରୀଙ୍କ ସହ ହାତାହାତିକୁ ନେଇ ବଡ ବିବାଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ । ଜିଲ୍ଲା ଯୋଜନା ବୋର୍ଡର ଦୁଇ ଅଧିକାରୀଙ୍କୁ ନିଜ ଅଫିସକୁ ଡାକି ସେମାନଙ୍କ ଉପରକୁ କେନ୍ଦ୍ରମନ୍ତ୍ରୀ ଚେୟାର ଫୋପାଡିଥିବା ଅଭିଯୋଗ ହୋଇଥିଲା । ଏଥିରେ ଜଣେ ଅଧିକାରୀଙ୍କ ହାତ ବି ଭାଙ୍ଗିଯାଇଥିବା ସଂପୃକ୍ତ ଅଧିକାରୀ ଅଭିଯୋଗ ଆଣିଥିଲେ । ଆଉଜଣଙ୍କୁ ଲହୁଲୁହାଣ ବି କରିଥିବା ଥାନାରେ ମାମଲା ହୋଇଥିଲା ।

ବିଜେପି ଆଉ ୧୬ ଆସନରେ ପ୍ରାର୍ଥୀ ଘୋଷଣା କରିବ । ମୟୁରଭଞ୍ଜର ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଦଳ । ଆଉ ଯେଉଁ ସବୁ ଆସନ ବାକି ରହିଛି, ସେଠାରେ ବିଶ୍ୱେଶ୍ୱର ଟୁଡୁଙ୍କୁ ଟିକେଟ ମିଳିବା ଆଶା କ୍ଷୀଣ ବୋଲି କୁହାଯାଉଛି ।

୧୯ ଜଣିଆ ତାଲିକାରେ ସାରସକଣା ବିଧାୟକ ବୁଧାନ ମୁର୍ମୁଙ୍କ ଟିକେଟ କଟିଛି । ତାଙ୍କ ସ୍ଥାନରେ ଭାଦବ ହାଂସଦା ପ୍ରାର୍ଥୀ ହୋଇଛନ୍ତି । ଆଉ ଟିକେଟ କଟିବା ପରେ ବିଜେପି ଉପରେ ବର୍ଷିଛନ୍ତି ବିଧାୟକ । ବୁୁଧାନ ଅଭିଯୋଗ କରିଛନ୍ତି, ବିଜେପି ତାଙ୍କ ପ୍ରତି ବିଶ୍ୱାସଘାତକତା କରିଛି । କାହିଁକି ଟିକେଟ କଟିଲା ଦଳକୁ ପଚାରିବେ ଓ ସନ୍ତୋଷଜନକ ଉତର ନ ମିଳିଲେ ଦଳ ବିରୋଧୀ କାର୍ଯ୍ୟ କରିବେ ବୋଲି ଚେତାବନୀ ଦେଇଛନ୍ତି ବୁଧାନ ।

ଟିକେଟ ଦେଇନଥିବା ନେତାଙ୍କୁ ବିଜେପି କେଉଁଠି ଥଇଥାନ କରିବ ତା ଉପରେ ସମସ୍ତଙ୍କ ନଜର । ତେବେ ନେତା ମନ ବୁଝାଇ ରହିବେ ନା ଦଳ ଡେଇଁବେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।