ମମିତା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । ନୈତିକତାର ପାଠ ପଢାଇ କଲେ ସମାଲୋଚନା।

116

କନକ ବ୍ୟୁରୋ: ମମିତା ହତ୍ୟା ମାମଲାର ମାସେ ପରେ କ୍ୟାମେରା ଆଗରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଲାଲ ବାହାଦୂର ଶାସ୍ତ୍ରୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ଉଦାହରଣ ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ୨୨ ବର୍ଷର ଶାସନ କାଳରେ ନୀତି ନୈତିକତାର ଦ୍ୱାହି ଦେଇ ଅନେକ ମନ୍ତ୍ରୀଙ୍କ ପଦବୀ ଯାଇଛି । ହେଲେ ଦିବ୍ୟଶଙ୍କର ମିଶ୍ରଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ପୀଡିତାଙ୍କ ବାପା,ମାଆଙ୍କୁ ଲଗାଇ ହାଇକୋର୍ଟରେ ପ୍ରାୟୋଜିତ କେସ କରାଯାଇଥିବା ସାଙ୍ଘାତିକ ଅଭିଯୋଗ ବି କରିଛନ୍ତି ।

ମମିତା ପ୍ରସଙ୍ଗରେ ପ୍ରତିଦିନ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ବିରୋଧୀ । ବିଜେପି ଓ କଂଗ୍ରେସ ଉଭୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସାଙ୍ଗକୁ, ପୁରା ମାମଲାରେ ତାଙ୍କ ସଂପୃକ୍ତିର ଯାଞ୍ଚ ପାଇଁ ଦାବି କରିଆସୁଛନ୍ତି । ହେଲେ ଏହାକୁ ବିରୋଧୀଙ୍କ ତୁଛା ରାଜନୀତି ବୋଲି କହି ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଉଛି ବିଜେଡି । ଯାହାକୁ ଅତି ଚତୁରତାର ସହିତ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଞ୍ଜନା ଦୁଷ୍କର୍ମ ମାମଲାରେ କିଭଳି ଅଟଳ ବିହାରୀ ବାଜପେୟୀଙ୍କୁ ଆଠଗଡ ନେଇ ପ୍ରତିବାଦ କରାଯାଇଥିଲା ସେହି କଥାକୁ ମନେ ପକାଇ ଦେଇଛନ୍ତି ଧର୍ମେନ୍ଦ୍ର ।

ଖାଲି ସେତିକି ନୁହେଁ ମମିତା ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ୟୁନିଟ ତମ୍ବି ତୋଫାନ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ ମୁହଁରୁ ଏଭଳି ଶାଣିତ ଆକ୍ରମଣ କେବେ ଶୁଣିିବାକୁ ମିଳିନଥିଲା । ଅକ୍ଟୋବର ୨୦ରେ ଗୋଟିଏ ଟ୍ୱିଟ୍ କରି ଚୁପ ବସିଥିଲେ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଆଜିର ଆଭିମୁଖ୍ୟ ପରେ ଲାଗୁଛି ରାଜ୍ୟ ବିଜେପି ମମିତା ପ୍ରସଙ୍ଗକୁ ଆହୁରି ଲମ୍ବା ଟାଣିବ । ହେଲେ ପୁରା ମାମଲାରେ ବାରମ୍ବାର ନିଜକୁ ନିଜେ କ୍ଲିନଚିଟ୍ ଦେଇଆସୁଛନ୍ତି ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ । ଏସବୁ ଭିତରେ ଚର୍ଚ୍ଚା ହେଉଛି ମମିତାଙ୍କ ପରିବାର ହାଇକୋର୍ଟରେ କରିଥିବା ଆବେଦନ ଉପରେ କଣ ହେବ କୋର୍ଟଙ୍କ ଆଭିମୁଖ୍ୟ । ଯାହା ଉପରେ ନିର୍ଭର କରିବ ମମିତା ମାମଲାକୁ ନେଇ ବିରୋଧୀ ରାଜନୈତିକ ଦଳଙ୍କ ଆଗାମୀ ରଣନୀତି ।