ଦେଶରେ ମହିଳାଙ୍କ ଉପରେ ବଢୁଥିବା ହିଂସାକୁ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର ଗୃହମନ୍ତ୍ରାଳୟ । ମହିଳା ବିରୋଧୀ ହିଂସା ଘଟଣାରେ ମାମଲା ରୁଜୁ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଲା ଗୃହମନ୍ତ୍ରାଳୟ ।

139

କନକ ବ୍ୟୁରୋ : ଦେଶରେ ମହିଳାଙ୍କ ଉପରେ ବଢୁଥିବା ହିଂସା ଘଟଣାକୁ ନେଇ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ନିର୍ଦ୍ଦେଶବଳୀ ଜାରି କରାଯାଇଛି । ବିଶେଷ କରି ହାଥରସ ଗଣଦୁଷ୍କର୍ମ ମାମଲାରେ ଯେପରି ଆରମ୍ଭରେ ପୁଲିସ ଯେପରି ଅବହେଳା କରିଥିଲା, ସେହି ଅବହେଳାକୁ ଦୂର କରିବା ପାଇଁ ଆଡଭାଇଜରୀ କରିଛି ଗୃହ ମନ୍ତ୍ରାଳୟ । ମହିଳା ବିରୋଧୀ ହିଂସା ଘଟଣାରେ ମାମଲା ରୁଜୁ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ଗୃହମନ୍ତ୍ରାଳୟ ।

ବହୁ ସମୟରେ ପୀଡିତାଙ୍କୁ ଏଫଆଇଆର ଦେବା ପାଇଁ ଏଥାନାରୁ ସେ ଥାନାକୁ ଦୌଡିବାକୁ ପଡିଥାଏ । ତେଣୁ ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ଆଡଭାଇଜରୀରେ କୁହାଯାଇଛି, ପୀଡିତାଙ୍କ ଏତଲା ଗ୍ରହଣ କରିବାରେ ଟାଳଟୁଳ ହେବା ଉଚିତ ନୁହେଁ । ଏତଲା ଗ୍ରହଣ କରିବା ବାଧ୍ୟତା ମୂଳକ ଓ ଥାନା ଅଂଚଳରୁ ବାହାରେ କୌଣସି ଅଘଟଣ ଘଟିଥିଲା ଜିରୋ ଏଫଆଇର ନିୟମ ଅନୁସାଲେ ଏତଲା କରାଯାଇପାରିବ । ଯଦି କୌଣସି ଅଧିକାରୀ ଏସବୁ ନିୟମର ଖିଲାପ କଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କୁ କୁହାଯାଇଛି ।

ଆଇପିସି ଧାରା ୧୬୬ ଅନୁସାରେ ଏତଲା ଗ୍ରହଣ ନକଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ରହିଛି । ଫରେନସିକ ସାଇନ୍ସ ସର୍ଭିସେସ ଡାଇରେକ୍ଟୋରେଟ ପକ୍ଷରୁ ଯୌନ ଶୋଷଣ ମାମଲାରେ ଫରେନସିକ ରିପୋର୍ଟ ସଂଗ୍ରହ ନେଇ ଗାଇଡଲାଇନ ଜାରି କରିଛି । ତାକୁ କଡାକଡି ଭାବେ ପାଳନ କରିବାକୁ ଆଡଭାଇଜରୀରେ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ପୁଲିସ ପ୍ରାୟ ଯୌନ ନିର୍ଯାତନା ମାମଲାରେ ଜରୁରୀ ଫରେନସିକ ପ୍ରକ୍ରିୟା ପୁରା କରିନଥାଏ, ଫଳରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ ହୋଇଯାଏ ଓ ମାମଲା ଦୁର୍ବଳ ହୋଇଥାଏ ।

ଆଭିଡେଂସ ଆକ୍ଟ ୩୧ର ଉପଧାରା ୧ ଅନୁସାରେ ମୃତ ବ୍ୟକ୍ତିଙ୍କ ବୟାନ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାବେ ଗ୍ରହଣ କରାଯିବ । ଏହାଛଡା ମେଡିକାଲ ଯାଂଚ ଠିକ ସମୟରେ ନହେବା, ଜାଣିଶୁଣି କେସକୁ ଦୁର୍ବଳ କଲେ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ମନ୍ତ୍ରାଳୟ ଜାରି କରିଥିବା ଆଡଭାଇଜରୀରରେ ତଦନ୍ତ ପ୍ରକ୍ରିୟା ଉପରେ ଜୋର ଦିଆଯାଇଛି, ଏଥିରୁ ସ୍ପଷ୍ଟ ହୋଇଛି ପୁଲିସର କାଯ ର୍୍ୟଶୈଳୀକୁ ନେଇ ମନ୍ତ୍ରାଳୟ ଅସନ୍ତୁଷ୍ଟ ଅଛି ।