ରିଙ୍ଗରେ ଆଉ ଦେଖିବାକୁ ମିଳିବନି ରେସଲିଙ୍ଗ ଲିଜେଣ୍ଡଙ୍କ ଦମଦାର ଫାଇଟ୍ । ୩୦ ବର୍ଷର ଐତିହାସିକ ଯାତ୍ରା ପରେ WWE ଦୁନିଆକୁ ଅଲବିଦା ଜଣାଇଲେ ଅଣ୍ଡରଟେକର ।

1,125

କନକ ବ୍ୟୁରୋ : ଡବ୍ଲୁ ଡବ୍ଲୁ ଇ । ୱାର୍ଲଡ ରେସଲିଙ୍ଗ ଏଂଟରଟେନମେଂଟ । ସାରା ବିଶ୍ୱରେ ଏହା ଯେତିକି ପରିଚିତ, ଏଥିରେ ଥିବା ରେସଲରମାନେ ମଧ୍ୟ ସେତିକି ଲୋକପ୍ରିୟ । ଆଉ ସେମାନଙ୍କ ଭିତରେ ରେସଲିଙ୍ଗ ଲିଜେଣ୍ଡ ହେଉଛନ୍ତି ଦ ଅଣ୍ଡରଟେକର । ରେସଲିଙ୍ଗ ଜଗତରେ ଦମଦାର ପ୍ରଦର୍ଶନ କରି କୋଟି କୋଟି ବିଶ୍ୱବାସୀଙ୍କ ମନ ଜିଣିଛନ୍ତି ଏହି ଲୋକପ୍ରିୟ ରେସଲର ଦ ଅଣ୍ଡରଟେକର ।

କିନ୍ତୁ ଏବେ ଆଉ ଦେଖିବାକୁ ମିଳିବନି ଅଣ୍ଡରଟେକରଙ୍କ ଜବରଦସ୍ତ ଆଟାକର ଜଲୱା । କାରଣ ଡବ୍ଲୁ ଡବ୍ଲୁ ଇ ୟୁନିଭର୍ସକୁ ଅଲବିଦା ଜଣାଇଛନ୍ତି ଅଣ୍ଡରଟେକର । ସରଭାଇଭର ସିରିଜ୍ ଅବସରରେ ନିଜର ଅବସର ନେଇ ଅଣ୍ଡରଟେକର କରିଛନ୍ତି ବଡ ଘୋଷଣା ।

ଗତ ରବିବାର ନିଜର ନିଆରା ଅନ୍ଦାଜରେ ଶେଷ ଥର ପାଇଁ ରିଙ୍ଗରେ ପାଦ ରଖିଥିଲେ ୫୫ ବର୍ଷୀୟ ଅଣ୍ଡରଟେକର । ଡବ୍ଲୁ ଡବ୍ଲୁ ଇରୁ ଅବସର ନେଇ ଘୋଷଣା କରିବା ସହ ଅଣ୍ଡରଟେକର କହିଥିଲେ, ‘ମୋ ସମୟ ଆସିଯାଇଛି’ । ଏହା ସହ ନିଜ କ୍ୟାରିୟର ସମ୍ପର୍କରେ ମଧ୍ୟ କହିଥିଲେ ଏହି ରେସଲିଙ୍ଗ ଲିଜେଣ୍ଡ ।

ରିଙ୍ଗରେ ଦ ଅଣ୍ଡରଟେକର ନାଁରେ ପରିଚିତ ଥିବା ଏହି ରେସଲରଙ୍କ ଭଲ ନାଁ ହେଉଛି, ମାର୍କ ବିଲିୟମ୍ କାଲାବେ । ୧୯୬୫ ମସିହା ମାର୍ଚ୍ଚ ମାସ ୨୪ ତାରିଖରେ ଆମେରିକାର ହୁଷ୍ଟନ ସହରରେ ତାଙ୍କର ଜନ୍ମ ହୋଇଥିଲା । ତେବେ ୧୯୯୦ ମସିହା ନଭେମ୍ବର ୨୨ ତାରିଖରେ ରେସଲିଙ୍ଗ ଦୁନିଆରେ ପାଦ ଥାପିଥିଲେ ଅଣ୍ଡରଟେକର । ଆଉ ଦୀର୍ଘ ୩୦ ବର୍ଷର ଯାତ୍ରାରେ ସେ ଅନେକ ସଫଳତା ସାଉଁଟିଛନ୍ତି । ଅନେକ ଥର ଚାମ୍ପିୟନ୍ ହେବା ସହ ଦର୍ଶକଙ୍କ ହୃଦୟ ଜିଣିଥିଲେ ଅଣ୍ଡରଟେକର । ଆଉ ତାଙ୍କ ଅବସର ପରେ ରିଙ୍ଗରେ ତାଙ୍କ ଉପସ୍ଥିତିକୁ ଝୁରିହେଉଛନ୍ତି ଦର୍ଶକ ।