ଡରେଇପାରିଲାନି ତାଲିବାନ । ଦେଶବାସୀଙ୍କ ପାଇଁ ଅଟକି ରହିଲେ ରାଷ୍ଟ୍ରଦୂତ, ବିଶ୍ୱବାସୀଙ୍କ ମୁହଁରେ ଲରି ବ୍ରିଷ୍ଟୋଙ୍କୁ ନେଇ ପ୍ରଶଂସା

3,386

କନକ ବ୍ୟୁରୋ: ତାଲିବାନ କବଳରୁ ଖସିପଳାଇବାକୁ ଚାଲିଛି ପ୍ରତିଯୋଗିତା । ସଙ୍ଗଠନର ଧମକ ଦେ ଛାଡି ପଳାଇଲେ ଖୋଦ୍ ରାଷ୍ଟ୍ର ପୁରୋଧା ରାଷ୍ଟ୍ରପତି ଅସ୍ରଫ୍ ଘନି । ପରେ ନିଜ ନିଜ ଦେଶକୁ ଫେରିଯାଉଛନ୍ତି ରାଷ୍ଟ୍ରଦୂତ ଓ କର୍ମଚାରୀ । ହେଲେ ଜଣେ ରାଷ୍ଟ୍ରଦୂତଙ୍କୁ ଡରେଇ ପାରିନି ତାଲିବାନୀଙ୍କ ନାଲିଆଖିି । ନିଜ ଜୀବନକୁ ଖାତିର ନକରି ସେଠାରେ ଅଟକି ରହିଛନ୍ତି ଏହି ରାଷ୍ଟ୍ରଦୂତ । ତାଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ସେ ହେଉଛନ୍ତି ଡେୟାରିଙ୍ଗ ଆମ୍ବାସାଡର ସାର୍ ଲରି ବ୍ରିଷ୍ଟୋ ।

ତାଲିବାନ ଧମକରେ ଏବେ ଏଠାରେ ଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଭବନ ଗୁଡିକ ବନ୍ଦ ହୋଇଯାଇଛି । ପ୍ରାଣ ବଂଚାଇ ନିଜ ନିଜ ଦେଶକୁ ପଳାଉଛନ୍ତି ରାଷ୍ଟ୍ରଦୂତ । ହେଲେ ଜୀବନକୁ ଖାତିର ନକରି ସାହସିକତାର ପରିଚୟ ଦେଇଛନ୍ତି ଲରି ବ୍ରିଷ୍ଟୋ । ଏଠାରେ ଫଶିରହିଥିବା ନିଜ ଦେଶବାସୀଙ୍କୁ ନ ମୁକୁଳେଇବା ଯାଏଁ ସେ ମଧ୍ୟ ଅଟକି ରହିବେ ବୋଲି ଘୋଷଣା କରିଛନ୍ତି । ଜୀବନ ଚାଲିଯିବ ପଛେ ଏଠାରେ ଥିବା ୪୦୦୦ ପାଖାପାଖି ବ୍ରିଟେନ ପ୍ରବାସୀ ଓ ଆଫଗାନ କର୍ମୀଙ୍କୁ ନ ମୁକୁଳେଇବା ଯାଏଁ ନିଜେ କୁଆଡେ ଯିବେନି ବୋଲି ବ୍ରିଷ୍ଟୋ ସ୍ପଷ୍ଟ କରିଛନ୍ତି ।

ଲରି ବ୍ରିଷ୍ଟୋଙ୍କ ଏପରି ସାହସିକ ମନୋଭାବ ପାଇଁ ସେ ପାଲଟି ଯାଇଛନ୍ତି ‘ଦ ଗ୍ରେଟ ହିରୋ ଅଫ ବ୍ରିଟେନ୍’ । ‘ଦ ସନ୍’ର ସୂଚନା ମୁତାବକ, ଏଯାଏଁ ୨ଶହ ବ୍ରିଟେନ୍ ବାସୀଙ୍କୁ ନିଜ ଦେଶକୁ ପଠାଯାଇଛି । ଉଦ୍ଧାର କାର୍ଯ୍ୟ ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେଉଛି । ଆହୁରି ଅନେକ ବ୍ରିିଟେନ ବାସୀଙ୍କୁ ନେଇ ଚିନ୍ତାରେ । ତା ସହ ଆଫଗାନିସ୍ତାନର ସରକାରୀ କର୍ମଚାରୀ ଓ ସେନାରେ ଥିବା କର୍ମୀଙ୍କୁ ନେଇ ମଧ୍ୟ ସେ ଚିନ୍ତାବ୍ୟକ୍ତ କରିଛନ୍ତି ।ତେଣୁ ଗୋଟିଏ ବି ନାଗରିକଙ୍କ ଜୀବନ ବଂଚାଇବା ଏବେ ତାଙ୍କ ପାଇଁ ବଡ ଚ୍ୟାଲେଂଜ ବୋଲି ବ୍ରିଷ୍ଟୋ କହିଛନ୍ତି । ଏପରି ଦୁଃସାହସିକ କାର୍ଯ୍ୟପାଇଁ ବିଶ୍ୱବାସୀ ତାଙ୍କ ପ୍ରଶଂସାରେ ଶତମୁଖ ।