ରିପୋର୍ଟରଙ୍କ ଉପରେ ଚିଡିଲେ ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନଙ୍କ ଠାରୁ ଡୋନାଲ୍ଡ ଟ୍ରମ୍ପ ପରାଜୟ ସ୍ୱୀକାର କରିବେ କି ବୋଲି କରିଥିଲେ ପ୍ରଶ୍ନ 

136

କନକ ବ୍ୟୁରୋ : ହ୍ୱାଇଟ ହାଉସ ଛାଡିବାକୁ ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଏଥିପାଇଁ ଏକ ସର୍ତ ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯଦି ଜୋ ବାଇଡେନଙ୍କୁ ଔପଚାରିକ ଭାବେ ଆମେରିକାର ରାଷ୍ଟ୍ରପତି ଘୋଷଣା କରାଯାଏ ତେବେ ସେ ହ୍ୱାଇଟ ହାଉସ ଛାଡିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । କିନ୍ତୁ ଏହା ସହ ପୁଣି ଥରେ ଦୋହରାଇଛନ୍ତି ଯେ ସେ ପରାଜୟ ସ୍ୱିକାର କରିପାରିବେ ନାହିଁ ।

ତେବେ ଇଲେକେଟୋରାଲ କଲେଜ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା କଲେ ସେ ହ୍ୱାଇଟ ହାଉସ ଛାଡିବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ କହିଛନ୍ତି ଟ୍ରମ୍ପ । ନିର୍ବାଚନରେ ଅନିୟମିତତା ବା ଜାଲିଆତି ହୋଇଥିବା ବାରମ୍ବାର ଅଭିଯୋଗ କରୁଛନ୍ତି ଟ୍ରମ୍ପ । ତେବେ ଜାଲିଆତି ନିର୍ବାଚନର ଫଳାଫଳକୁ ସେ ସ୍ୱିକାର କରିବେ ନାହିଁ ବୋଲି ପୁଣି ଥରେ ଦୋହରାଇଛନ୍ତି ।

୩ସପ୍ତାହରୁ ଅଧିକ ସମୟ ଧରି ନିଜର ପରାଜୟକୁ ଅସ୍ୱିକାର କରିଆସୁଛନ୍ତି ଟ୍ରମ୍ପ । ବିନା କୌଣସି ପ୍ରମାଣ ଦେଇ ସେ ବାରମ୍ବାର ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଆସୁଛନ୍ତି । ଏବଂ ଏଥିପାଇଁ ନିର୍ବାଚନର ଫଳାଫଳକୁ ସ୍ୱିକାର କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ବୋଲି କହିଛନ୍ତି । ଟ୍ରମ୍ପ ପରାଜୟକୁ ସ୍ୱିକାର ନକରିବାକୁ ନେଇ ସାରା ବିଶ୍ୱରେ ଏକପ୍ରକାର ଦ୍ୱନ୍ଦ୍ୱ ଦେଖାଦେଇଛି । ଏବେ ଟ୍ରମ୍ପଙ୍କ ସବୁଜ ସଙ୍କେତ ପରେ ସେ ଶାସନରୁ ହଟିବା ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଗତ ତିନି ଦିନ ତଳେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକାର ଜେନେରାଲ ସର୍ଭିସ ଆଡମିନିଷ୍ଟ୍ରେସନ ଯାହା ଚାହୁଁଛିି କରିପାରିବ ବୋଲି କହିଥିଲେ ରାଷ୍ଟ୍ରପତି ଟ୍ରମ୍ପ ।